ଥରୁଛି ସାରା ଓଡିଶା, ଆହୁରି ୨ ଦିନ ହାଡଭଙ୍ଗା ଶୀତ

Published By : Prameya-News7 Bureau | December 24, 2020 IST

ଭୁବନେଶ୍ୱର,୨୪/୧୨: ରାଜ୍ୟରେ ଜାରି ରହିଛି ଶୀତର ଲହରୀ । ଶୀତ ପ୍ରକୋପ କମି ନାହିଁ । ଏପରି ଥଣ୍ଡା ଆଉ ଦୁଇଦିନ ଏମିତି ଥରାଇବ ।  ଆଭ୍ୟନ୍ତରୀଣ ଓଡ଼ିଶାରେ ଥଣ୍ଡା ଲହରୀ ଅନୁଭୂତ ହେବା ସହ ଧିରେଧିରେ ଶୀତ ପ୍ରକୋପ କମିପାରେ। ପାଣିପାଗ ବିଭାଗ ପକ୍ଷରୁ ଏପରି ପୂର୍ବାନୁମାନ କରାଯାଇଛି। ଫୁଲବାଣୀରେ ଶୀତ ସ୍ଥିତି ସାଂଘାତିକ ରହିଛି । ପାରଦ ୩ ଦିନ ହେଲାଣି ୪ ଡିଗ୍ରୀ ଉପରକୁ ଡେଉଁ ନାହିଁ ।

ରାଜ୍ୟର ମୋଟ ୧୨ଟି ସ୍ଥାନରେ ସର୍ବନିମ୍ନ ତାପମାତ୍ରା ୧୦ ଡିଗ୍ରୀ ସେଲସିୟସ୍‌ ତଳେ ଅଛି । ଦାରିଙ୍ଗିବାଡ଼ିର ରାତି ତାପମାତ୍ରା ୫ ଡିଗ୍ରୀକୁ ଖସି ଆସିଥିବାବେଳେ ବାରିପଦା ୯, ବଲାଙ୍ଗିର ୯.୨, ସୋନପୁର ୯.୪ ଡିଗ୍ରୀ, ଅନୁଗୁଳ ୫.୬, କୋରାପୁଟ ୭, ସୁନ୍ଦରଗଡ଼ ୭, ଝାରସୁଗୁଡ଼ା ୭.୮, ଭବାନୀପାଟଣା ୮, କେନ୍ଦୁଝର ୮.୮, ବୌଦ୍ଧ ୯ ଡିଗ୍ରୀ ସେଲସିୟସ୍‌ ଥିଲା । ଉପକୂଳ ଓଡ଼ିଶାରେ ମଧ୍ୟ ପାରଦ ସ୍ୱାଭାବିକଠାରୁ କମ୍‌ ରହିଛି । ପାରଦ ପ୍ରାୟତଃ ୧୨ରୁ ୧୩ ଡିଗ୍ରୀ ଭିତରେ ରହୁଛି ।

ପାଣିପାଗ ବିଭାଗର ସୂଚନାନୁସାରେ, ରାଜ୍ୟରେ ଏବେ ପାଗ ପ୍ରାୟତଃ ଶୁଖିଲା ରହିବ । ମୟୂରଭଞ୍ଜ, ଝାରସୁଗୁଡ଼ା, ବରଗଡ଼, ସୁନ୍ଦରଗଡ଼, ଢେଙ୍କାନାଳ, କନ୍ଧମାଳ, କଳାହାଣ୍ଡି, କୋରାପୁଟ, ନୂଆପଡ଼ା, ଅନୁଗୁଳ, ଓ ନବରଙ୍ଗପୁରରେ ଗୁରୁବାର ସକାଳେ ଅଧିକ ଥଣ୍ଡା ଅନୁଭୂତ ହେବ। ଗୁରୁବାର ରାତି ଓ ଶୁକ୍ରବାର ସକାଳେ ଅନୁଗୁଳ, ଝାରସୁଗୁଡ଼ା, ସୁନ୍ଦରଗଡ଼, ବରଗଡ଼, ନୂଆପଡ଼ା, କନ୍ଧମାଳ ଜିଲ୍ଲାରେ ଥଣ୍ଡା ଲହରୀ ଜାରି ରହିବ । ସେହିପରି ଶୁକ୍ରବାର ରାତି ଓ ଶନିବାର ସକାଳେ ମଧ୍ୟ ଶୀତ ଲହରୀ ଅନୁଭୂତ ହେବ ବୋଲି ଆକଳନ କରିଛି ପାଣିପାଗ ବିଭାଗ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.