ଦିଲ୍ଲୀରୁ ବିଦାୟ ନେଲା ଶୀତ, ଋତୁର ସବୁଠୁ ଗରମ ଦିନ ସାବ୍ୟସ୍ତ ହେଲା ଗୁରୁବାର
9/02/2023 at 9:32 PM

ନୂଆଦିଲ୍ଲୀ ୯।୨: ରାଜଧାନୀ ଦିଲ୍ଲୀରୁ ଗୁରୁବାର ଶୀତ ବିଦାୟ ନେଇଛି। ଦିଲ୍ଲୀ ଲାଗି ଗୁରୁବାର ଋତୁର ସବୁଠୁ ଗରମ ଦିନଥିଲା। ଆଜିଦିନର ତାପମାତ୍ରା ସାଧାରଣରୁ ଅଧିକ ୬ ଡିଗ୍ରି ସେଲସିୟସ୍ ରେକର୍ଡ ହୋଇଛି। ବାୟୁର ଦିଗ ପରିବର୍ତ୍ତନ ଯୋଗୁ ତାପମାତ୍ରାରେ ବୃଦ୍ଧି ହେବା ସହ ପାଗରେ ପରିବର୍ତ୍ତନ ଆସିଛି। ଦିନର ଅଧିକାଂଶ ଅଞ୍ଚଳରେ ଗୁରୁବାର ସ୍ପଷ୍ଟ ସୂର୍ଯ୍ୟକିରଣ ପଡିଥିଲା। ଫଳରେ ଦିନର ସର୍ବାଧିକ ତାପମାତ୍ରାରେ ବୃଦ୍ଧି ଦେଖାଯାଇଛି।
ଦିଲ୍ଲୀ ସଫଦରଜଙ୍ଗ ପାଣିପାଗ ବିଜ୍ଞାନ କେନ୍ଦ୍ରରେ ଦିନର ସର୍ବାଧିକ ତାପମାତ୍ରା ୨୯.୪ ଡିଗ୍ରି ସେଲସିୟସ୍ ରେକର୍ଡ ହୋଇଛି। ଯାହା ଋତୁରେ ସାଧାରଣରୁ ୬ ଡିଗ୍ରି ଅଧିକ ବୋଲି ପାଣିପାଗ ବିଭାଗ କହିଛି। ତେବେ ଦିଲ୍ଲୀରେ ସର୍ବନିମ୍ନ ତାପମାତ୍ରା ୮.୬ ଡିଗ୍ରି ସେଲସିୟସ ରହିଛି। ଯାହା ସାଧାରଣରୁ ୧ ଡିଗ୍ରି କମ୍ ବୋଲି କୁହାଯାଇଛି। ପାଣିପାଗ ବିଭାଗଙ୍କ ଅନୁସାରେ ବାୟୁର ଦିଗ ବଦଳିବା ଯୋଗୁ ତାପମାତ୍ରାରେ ବୃଦ୍ଧି ଦେଖାଯାଇଛି।

ବୁଧବାର ରାଜଧାନୀ ଦିଲ୍ଲୀର ସର୍ବାଧିକ ତାପମାତ୍ରା ୨୪.୫ ଡିଗ୍ରି ସେଲସିୟସ ଥିଲା। ଉତ୍ତର-ପଶ୍ଚିମ ଦିଗରୁ ଆସୁଥିବା ପବନ ଯୋଗୁ ପାଗ ବେଶ୍ ଭଲ ଥିଲା। ତେବେ ଗୁରୁବାର ବାୟୁର ଦିଗ ଦକ୍ଷିଣ-ପଶ୍ଚିମ ହୋଇଯାଇଛି। ଏଥିରେ ପବନର ବେଗ ମଧ୍ୟ ଘଣ୍ଟା ପ୍ରତି ୮ରୁ ୧୦ କିଲୋମିଟର ମଧ୍ୟରେ ରହିଛି। ଏଣୁ ଅଚାନକ ପାଗରେ ପରିବର୍ତ୍ତନ ଦେଖା ଦେଇଛି। ଏଣୁ ଗୁରୁବାର ଦିଲ୍ଲୀରେ ଅଧିକତମ ତାପମାତ୍ରା ୩୦ ଡିଗ୍ରି ସେଲସିୟସ ଆଖପାଖରେ ରହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛନ୍ତି।
ଦିଲ୍ଲୀରେ ବାୟୁର ଦିଗ ବଦଳିବା ସହିତ ବେଗ ମଧ୍ୟ ବଦଳିଛି। ବାୟୁର ବେଗ ହ୍ରାସ ଯୋଗୁ ବାୟୁର ମାନ ଖରାପ ହୋଇଛି। କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡଙ୍କ ଅନୁସାରେ ଗୁରୁବାର ଦିଲ୍ଲୀର ବାୟୁ ମାନ ସୂଚକାଙ୍କ ୨୧୨ ପଏଣ୍ଟ ପର୍ଯ୍ୟନ୍ତ ବୃଦ୍ଧି ହୋଇଛି। ବୁଧବାର ଏଠାରେ ବାୟୁମାନ ସୂଚକାଙ୍କ ୧୪୪ ଥିଲା। ଅର୍ଥାତ ୨୪ ଘଣ୍ଟାରେ ବାୟୁ ମାନରେ ୬୮ ପଏଣ୍ଟ ପର୍ଯ୍ୟନ୍ତ ବୃଦ୍ଧି ହୋଇଛି। ଦିଲ୍ଲୀ ଆନନ୍ଦ ବିହାର ଅଞ୍ଚଳରେ ବାୟୁ ମାନ ୩୨୨କୁ ପହଞ୍ଚିଛି। ଅର୍ଥାତ ଏଠାରେ ବାୟୁରମାନ ଏବେ ଅତ୍ୟନ୍ତ ଖରାପ ହୋଇଯାଇଛି।