୨୭ ଫେବୃଆରୀ ୨୦୧୯କୁ ଏବେ ବି ଭୁଲି ନାହାନ୍ତି ୱିଂଗ କମାଣ୍ଡର ଅଭିନନ୍ଦନ, MIG-21ରେ ଘଉଡାଇ ଥିଲେ ପାକ୍ F-16କୁ
26/02/2020 at 10:39 PM

୨୬ ଫେବୃଆରୀ ୨୦୧୯ ସକାଳେ ପାକ୍ ସୀମାରେ ଭାରତୀୟ ବାୟୁସେନା ବିମାନ ଆକ୍ରମଣର ସୂଚନା ପାଇଥିଲେ ଇମ୍ରାନ ସରକାର। ସାରା ଦେଶରେ ଆତଙ୍କ ଖେଳିଯାଇଥିଲା। ଭାରତର ଦୁଃଶାହାସକୁ ନେଇ ଦିନ ତମାମ ଘଟଣା ସମ୍ପର୍କରେ ଉଚ୍ଚ ସେନା ଅଧିକାରୀଙ୍କ ସହ ଆଲୋଚନା କରିଥିଲେ ପାକ୍ ପ୍ରଧାନମନ୍ତ୍ରୀ।

ଭାରତୀୟ ବାୟୁସେନା ବିମାନମାନେ ଏକକାଳୀନ ପାକିସ୍ତାନର ଅନେକ ଆତଙ୍କବାଦୀ ଠିକଣା ଉପରେ ଆକ୍ରମଣ କରିଥିଲେ। ଏଥିରେ ବାଲାକୋଟ୍ ସମେତ ପିଓକେ ଅନ୍ତର୍ଗତ ଚକୋଟି ଓ ମୁଜାଫରବାଦରେ ଜେସ୍-ଏ-ମୋହମ୍ମଦର ଠିକଣା ବିଧ୍ୱଂସ୍ତ ହୋଇଥିଲା। ପୁଲୱାମା ଆତଙ୍କବାଦୀ ଆକ୍ରମଣର ରୋଗ ସୁଝାଇ ଦେଇଥିଲା ଭାରତ। ହେଲେ ପାକ୍ ଗଣମାଧ୍ୟମ ଘେରିଥିଲା ସରକାରକୁ। ଇମ୍ରାନଙ୍କ ଲାଗି ତାଙ୍କ ଇଜ୍ଜତ ବଞ୍ଚାଇବା ଜରୁରି ହୋଇପଡିଥିଲା। ୨୭ ତାରିଖ ପୂର୍ବାହ୍ନରେ କିଛି ପାକ୍ ବାୟୁସେନା ବିମାନ ନୌସେରା ଓ ରଜୌରୀ ସେକ୍ଟରରେ ଅନୁପ୍ରବେଶ ଉଦ୍ୟମ କରିଥିଲେ।

ଏଥିଲାଗି ପୂର୍ବରୁ ଭାରତ ସତର୍କ ଥିଲା। ଏଲଓସିରେ କିଛି ବିମାନଙ୍କୁ ଭାରତ ମୁତୟନ କରିଥିଲା। ପାକ୍ ବାୟୁସେନା ବିମାନମାନେ ଭାରତୀୟ ବାୟୁସୀମାରେ ପ୍ରବେଶ ଲାଗି ପିଓକେ ରାସ୍ତାରେ ଆଗକୁ ବଢିଥିଲେ। ତେବେ ଆଗରୁ ସତର୍କ ଥିବା ଏୟାର କଣ୍ଟ୍ରୋଲର ତୁରନ୍ତ ଶ୍ରୀନଗର ବାୟୁସେନା ଘାଟିକୁ ସୂଚିତ କରିଥିଲେ। ସେହି ଅନୁସାରେ ସେଠାରେ ମୁତୟନ ଥିବା ୱିଙ୍ଗ କମାଣ୍ଡର ଅଭିନ୍ଦନ ବର୍ଥମାନ ପଦକ୍ଷେପ ନେଇଥିଲେ।

ପାକ୍ ଏଫ-୧୬ର ଅବସ୍ଥିତି ନେଇ ଅଭିନନ୍ଦନଙ୍କୁ ଏଟିସିରୁ ପ୍ରତି ମୂହୁର୍ତ୍ତର ସୂଚନା ମିଳୁଥିଲା। ତେବେ ଏଥିପ୍ରତି ସତର୍କ ନଥିଲେ ପାକ୍ ବାୟୁସେନା। ଅଚାନକ ସାମ୍ନାରେ ଭାରତୀୟ ବିମାନ ଦେଖି ଖସି ପଳାଇବାକୁ ଚେଷ୍ଟା କରିଥିଲେ। ଅଭିନନ୍ଦନ ସେଗୁଡିକୁ ପିଛା କରିବାରୁ ୨ଟି ଖସି ପଳାଇବାରେ ସକ୍ଷମ ହୋଇଥିବା ବେଳେ ଗୋଟିଏ ତାଙ୍କ ଟାର୍ଗେଟରେ ପଡିଯାଇଥିଲା। ଫଳରେ ଅଭିନନ୍ଦନ ଶତ୍ରୁ ବିମାନକୁ ଧ୍ୱଂସ୍ତ କରିବା ବେଳେ ତାଙ୍କ ବିମାନରେ ବି ନିଆଁ ଲାଗିଯାଇଥିଲା। ଫଳରେ ସେ ପାକ୍ ଅଧିକୃତ କାଶ୍ମୀର ଅଞ୍ଚଳରେ ପାରାସ୍ୟୁଟରେ ଓହ୍ଲାଇଯାଇଥିଲେ। ବେଶି ସମୟ ତାଙ୍କୁ ବନ୍ଦୀ ରଖିପାରିନଥିଲା ପାକ୍ । ତେବେ ଆଜି ବି ସେ ଦିନ ମନେ ପଡିଲେ ଶିହରି ଉଠନ୍ତି ଅଭିନନ୍ଦନ।