ଆଜି ପାକିସ୍ତାନ ବିଜୟର କାମନା କରିବ ପୂରା ଭାରତ ? ଏମିତି ରହିଛି ସମୀକରଣ

Published By : Prameya-News7 Bureau | October 14, 2024 IST

ନୂଆଦିଲ୍ଲୀ: ମହିଳା ଟି-୨୦ ବିଶ୍ୱକପ୍ ୨୦୨୪ରେ ସେମି ଫାଇନାଲର ସମୀକରଣ ରୋଚକ ହେବାରେ ଲାଗିଛି । ଚଳିତ ବିଶ୍ଵକପରେ ଏକମାତ୍ର ଦଳ ଭାବେ ଅଷ୍ଟ୍ରେଲିଆ ଗ୍ରୁପ ଏରୁ ସେମିରେ ପହଞ୍ଚିଛି। ଆହୁରି ତିନି ଦଳ ସେମି ଫାଇନାଲ୍‌କୁ ଯିବା ବାକି ରହିଛି। ତେବେ ଗତକାଲି ଭାରତ କଙ୍ଗାରୁ ଦଳ ହାତରୁ ହାରିବା ପରେ ଗ୍ରୁପ ଏରେ ସେମି ଫାଇନାଲ୍ ଲଢେଇ ଆହୁରି ରୋଚକ  ହୋଇଛି। 

ଏ ଗ୍ରୁପରୁ ଅଷ୍ଟ୍ରେଲିଆ ସେମି ଉନ୍ନୀତ ହୋଇ ସାରିଥିବା ବେଳେ ଭାରତ, ପାକିସ୍ତାନ ଓ ନ୍ୟୁଜିଲାଣ୍ଡ ମଧ୍ୟରୁ ଦ୍ୱିତୀୟ ଦଳ ଭାବେ କିଏ ସେମିକୁ ଯିବ ତାର ଫଇସଲା ଆଜି ହେବ । ଗ୍ରୁପ ଏରୁ ଶ୍ରୀଲଙ୍କା ଦଳ ପ୍ରଥମରୁ ହିଁ ସେମି ଦୌଡରୁ ବାଦ୍ ପଡି ସାରିଛି । ଦ୍ୱିତୀୟ ଦଳ ଭାବେ ଭାରତ, ପାକିସ୍ତାନ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ପ୍ରତିଦ୍ଵନ୍ଦ୍ଵିତା ଚାଲିଛି। 

ଆଜି ପାକିସ୍ତାନ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଏ ଗ୍ରୁପରୁ ଲିଗ ପର୍ଯ୍ୟାୟର ଶେଷ ମ୍ୟାଚ୍ ଖେଳାଯିବ । ମୁକାବିଲା ଭାରତୀୟ ସମୟାନୁସାରେ ସନ୍ଧ୍ୟା ୭ଟା ୩୦ରେ ଆରମ୍ଭ ହେବ। ମ୍ୟାଚର ଫଳାଫଳରୁ ସ୍ପଷ୍ଟ ହୋଇଯିବ ଯେ, ଏହି ଗ୍ରୁପରୁ ଦ୍ୱିତୀୟ ଦଳ ଭାବେ କିଏ ସେମିରେ ପ୍ରବେଶ କରିବ । ପାକିସ୍ତାନ ବିଜୟ ଉପରେ ଭାରତର ସେମି ଆଶା ଉଜ୍ଜିବୀତ ରହିଛି।  ପାକିସ୍ତାନ ଜିତିଲେ ଭାରତ ସେମି ଫାଇନାଲ୍‌ରେ ପ୍ରବେଶ କରିବ।  ପାକିସ୍ତାନ ହାରିଲେ ଭାରତର ବିଶ୍ଵକପ୍ ଅଭିଯାନ ସମାପ୍ତ ହେବ। 

ଏମିତି ରହିଛି ସମୀକରଣ 

ଗ୍ରୁପ ଏରେ ନିଜର ସମସ୍ତ ୪ ମ୍ୟାଚ୍  ଜିତି ସେମି ଫାଇନାଲ୍‌ରେ ନିଜର ସ୍ଥାନ ସୁନିଶ୍ଚିତ କରି ସାରିଛି ଅଷ୍ଟ୍ରେଲିଆ। ଦ୍ଵିତୀୟ ସ୍ଥାନ ପାଇଁ ଭାରତ, ପାକିସ୍ତାନ ଓ ନ୍ୟୁଜିଲାଣ୍ଡ ମଧ୍ୟରେ କଡ଼ା ପ୍ରତିଦ୍ଵନ୍ଦ୍ଵିତା ଚାଲିଛି। ପାକିସ୍ତାନର ନେଟ୍ ରନ ରେଟ୍ ମାଇନସ ଥିବାରୁ ଏହାର ସେମିକୁ ଯିବା ଆଶା ସମ୍ଭାବନା କମ ରହିଛି। ଭାରତ ଓ ନ୍ୟୁଜିଲାଣ୍ଡ ଉଭୟ ୪ ପଏଣ୍ଟ ପାଇଥିଲେ ହେଁ ଉନ୍ନତ ରନ ରେଟ୍ ଆଧାରରେ ଭାରତ ଦ୍ୱିତୀୟ ସ୍ଥାନରେ ରହିଛି ।  

ଭାରତର ନେଟ୍ ରନ ରେଟ୍ +୦.୩୨୨ ରହିଥିବା ବେଳେ ନ୍ୟୁଜିଲାଣ୍ଡର ନେଟ୍ ରନ ରେଟ୍ +୦.୨୮୨ ରହିଛି।  ଗ୍ରୁପ ଏରେ ନ୍ୟୁଜିଲାଣ୍ଡ ଓ ପାକିସ୍ତାନ ମଧ୍ୟରେ ଖେଳା ଯିବାକୁ ଥିବା ଶେଷ ଲିଗ୍ ମ୍ୟାଚ୍‌ରେ ଯଦି ପାକିସ୍ତାନ ବିଜୟୀ  ହୁଏ ତେବେ ଭାରତ ସେମିରେ ପହଞ୍ଚିବ। ନ୍ୟୁଜିଲାଣ୍ଡ ଜିତିଲେ ଭାରତ ବିଶ୍ଵକପରୁ ବିଦା ହେବ। ତେଣୁ ଭାରତର ପ୍ରତ୍ୟେକ ପ୍ରଶଂସକ ଚାହିଁବେ ଆଜିର ମ୍ୟାଚ୍‌ ପାକିସ୍ତାନ ମହିଳା ଦଳ ମ୍ୟାଚ୍ ଜିତୁ। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.