T20 World Cup 2022: ସେମି ଫାଇନାଲ୍‌ରେ ଋଷଭ ପନ୍ତ ନା ଦିନେଶ କାର୍ତ୍ତିକଙ୍କୁ ମିଳିବ ସୁଯୋଗ ? ସଙ୍କେତ ଦେଲେ ଅଧିନାୟକ ରୋହିତ ଶର୍ମା

Published By : Prameya-News7 Bureau | November 09, 2022 IST

ନୂଆଦିଲ୍ଲୀ: ଟି-୨୦ ବିଶ୍ଵ କପ୍‌ର ପ୍ରଥମ ସେମି ଫାଇନାଲ୍‌ରେ ପାକିସ୍ତାନ ନ୍ୟୁଜିଲାଣ୍ଡକୁ ହରାଇ ପ୍ରଥମ ଦଳ ଭାବେ ଫାଇନାଲ୍‌ରେ ପ୍ରବେଶ କରିଛି। ଏବେ ସଭିଙ୍କ ନଜର ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ହେବାକୁ ଥିବା ଦ୍ଵିତୀୟ ସେମି ଫାଇନାଲ୍‌ ଉପରେ ରହିଛି। ଦର୍ଶକଙ୍କ ପୁଣି ଆଶା ବାନ୍ଧିଛନ୍ତି ଯେ, ୨୦୦୭ ଟି-୨୦ ବିଶ୍ଵ କପ୍ ପରି ୨୦୨୨ ଟି-୨୦ ବିଶ୍ଵ କପ୍‌ର  ଫାଇନାଲ୍‌ରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ମୁକାବିଲା ହେବ। ଆସନ୍ତାକାଲି ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଦ୍ଵିତୀୟ ସେମି ଫାଇନାଲ୍ ମ୍ୟାଚ୍ ଖେଳାଯିବ। ଆଡିଲେଡ୍‌ର ଓଭାଲ ମଇଦାନରେ ଭାରତୀୟ ସମୟନୁସାର ୧ଟା ୩୦ରେ ମ୍ୟାଚ୍ ଖେଳାଯିବ।

ଏହି ମ୍ୟାଚ୍ ପୂର୍ବରୁ ବୁଧବାର ଭାରତୀୟ ଅଧିନାୟକ ରୋହିତ ଶର୍ମା  ସାମ୍ବାଦିକ ସମ୍ମିଳନୀରେ କିଛି ଖୁଲାସା କରିଛନ୍ତି। ଇଂଲଣ୍ଡ ବିପକ୍ଷ ମୁକାବିଲାରେ ଓ୍ଵିକେଟ୍ କିପର ଭାବେ ଦିନେଶ କାର୍ତ୍ତିକ ନା ଋଷଭ ପନ୍ତ ଖେଳିବେ ସେ ନେଇ ସଙ୍କେତ ଦେଇଛନ୍ତି ହିଟ୍ ମ୍ୟାନ୍। ଏଥିସହ ନିଜର ଆହତଜନିତ ସମସ୍ୟାକୁ ନେଇ ମଧ୍ୟ ସୂଚନା ଦେଇଛନ୍ତି ଭାରତୀୟ ଅଧିନାୟକ। ସେ ବର୍ତ୍ତମାନ ଠିକ୍ ଥିବା କହିଛନ୍ତି। ତେଣୁ ରୋହିତ ଦ୍ଵିତୀୟ ସେମି ଫାଇନାଲ୍‌ରେ ଖେଳିବା ସ୍ପଷ୍ଟ ଲାଗୁଛି।

ପନ୍ତ ନା କାର୍ତ୍ତିକ ଏହି ପ୍ରଶ୍ନର ଉତ୍ତରରେ ରୋହିତ ଶର୍ମା କହିଛନ୍ତି, ପନ୍ତ ଏହି ଗସ୍ତରେ ଦୁଇଟି ଅଭ୍ୟାସ୍ ମ୍ୟାଚ୍ ବାଦ୍ ଦେଲେ କୌଣସି ମ୍ୟାଚ୍ ଖେଳି ନାହାନ୍ତି। ଏମିତିରେ ତାଙ୍କୁ ସୁଯୋଗ ଦେବାକୁ ଚାହୁଁଛୁ। ଯଦ୍ଵାରା ଆମ ନିକଟରେ ବି ବିକଳ୍ପ ରହିବ। ରୋହିତ ଏହା ମଧ୍ୟ କହିଛନ୍ତି, କୌଣସି ଖେଳାଳିଙ୍କୁ ଅଚାନକ ଆଣିବା ଏବଂ ମ୍ୟାଚ୍ ଖେଳିବା ବି ଉଚିତ୍ ନୁହେଁ। ମାତ୍ର ଆମେ ପ୍ରଥମରୁ ସମସ୍ତ ଖେଳାଳିଙ୍କୁ ସୂଚାଇ ଦେଇଥିଲୁ ଯେ କୌଣସି ସମୟରେ ଖେଳିବା ପାଇଁ ପ୍ରସ୍ତୁତ ରହିଥିବେ, ସେ ସେମି ଫାଇନାଲ୍ ହେଉ କି ଫାଇନାଲ୍। ରୋହିତଙ୍କ ଏମିତି ବୟାନ ପରେ କଳ୍ପନା ଜଳ୍ପନା ଆରମ୍ଭ ହୋଇ ଯାଇଛି।

ଚଳିତ ବିଶ୍ଵ କପ୍‌ରେ ଦିନେଶ କାର୍ତ୍ତିକ ନିଜର ବେଷ୍ଟ ଫିନିସର ଭୂମିକା ଦେଖାଇ ପାରି ନାହାନ୍ତି। ତାଙ୍କୁ ଚାରୋଟି ମ୍ୟାଚ୍‌ରେ ତିନୋଟି ଇନିଂସରେ ସୁଯୋଗ ମିଳିଥିଲେ ହେଁ ସେ ମାତ୍ର ୧୪ ରନ କରିଛନ୍ତି। ପନ୍ତ ଗୋଟିଏ ମ୍ୟାଚ୍‌ ଖେଳି ମାତ୍ର ୩ ରନ କରିଛନ୍ତି। ହେଲେ ରୋହିତ ଶର୍ମାଙ୍କ ବୟାନରୁ ଲାଗୁଛି ଯେ, ସେମି ଫାଇନାଲ୍‌ରେ ଋଷଭ ପନ୍ତଙ୍କୁ ଚୂଡାନ୍ତ ଏକାଦଶରେ ସୁଯୋଗ ମିଳିପାରେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.