ଆର୍ଥିକ ସହାୟତା ପାଇଁ ରାଜି ହେବେ କି ଧନୀ ରାଷ୍ଟ୍ର ? COP-୨୭ରେ କ୍ଷତିଗ୍ରସ୍ତ ଦେଶଙ୍କ କ୍ଷତି ଭରଣା ହେବ ମୁଖ୍ୟ ପ୍ରସଙ୍ଗ

Published By : Prameya-News7 Bureau | November 03, 2022 IST

ନୂଆଦିଲ୍ଲୀ: ମିଳିତ ଜାତିସଂଘର ଜଳବାୟୁ ପରିବର୍ତ୍ତନ ସମ୍ମିଳନୀ (COP-୨୭) ଆସନ୍ତା ସପ୍ତାହରୁ ଆରମ୍ଭ ହେବ । ଏଥିପାଇଁ ଇଜିପ୍ଟରେ ଜୋରଦାର ପ୍ରସ୍ତୁତି ଜାରି ରହିଛି। ଇଜିପ୍ଟର ଶର୍ମ ଏଲ୍-ଶେଖ ସହରରେ ଏହାର ଆୟୋଜନ କରାଯିବ । ଏହି ସମ୍ମିଳନୀ ଏପରି ଏକ ସମୟରେ ହେବାକୁ ଯାଉଛି, ଯେତେବେଳେ ଗତ କିଛି ମାସରେ ବିଶ୍ୱର ଅନେକ ସ୍ଥାନରେ ଜଳବାୟୁ ପରିବର୍ତ୍ତନ ଯୋଗୁଁ ଅନେକ ବିନାଶ ଦେଖିବାକୁ ମିଳିଛି । ଚଳିତ ବର୍ଷ ପାକିସ୍ତାନରେ ଅସାଧାରଣ ବନ୍ୟା, ୟୁରୋପରେ ଅସାଧାରଣ ଗରମ ଦେଖିବାକୁ ମିଳିଛି। ଅମେରିକାରେ ଅନେକ ସାମୁଦ୍ରିକ ଝଡ଼ ଆସିଛି । ଦୁନିଆର ଅନେକ ସ୍ଥାନରେ ବର୍ତ୍ତମାନ ଜଳ ସଂକଟ ରହିଛି ।  

ପରିବେଶବିତ୍‌ଙ୍କ କହିବା ଅନୁସାରେ, ଜଳବାୟୁ ପରିବର୍ତ୍ତନର ଭୀଷଣ ପ୍ରଭାବ ପରେ ମଧ୍ୟ ଯଦି ସରକାରଙ୍କ ଆଭିମୁଖ୍ୟ ବେପରୁଆ ରୁହେ, ତେବେ ଏହା ମାନବଜାତି ପ୍ରତି ଅପରାଧ ବୋଲି ଧରାଯିବ । ଜଳବାୟୁ ପରିବର୍ତ୍ତନର ସବୁଠୁ ଅଧିକ ପ୍ରଭାବ ବିକାଶଶୀଳ ଦେଶକୁ ସହିବାକୁ ପଡ଼ିଥାଏ । କିନ୍ତୁ ଏଠାରେ ଅଙ୍ଗାରକାମ୍ଲ ନିର୍ଗତ ପରିମାଣ କମ।

ଏନଜିଓ ଭଲନରେବଲ ୨୦ ଚଳିତ ବର୍ଷ ଜୁନରେ ଜଳବାୟୁ ପରିବର୍ତ୍ତନର ପ୍ରଭାବ ଉପରେ ଅଧ୍ୟୟନ ଆରମ୍ଭ କରିଥିଲା । ୨୦ ଦେଶର ଅଧ୍ୟୟନ ପରେ ସଂସ୍ଥା ଏହି ପରିଣାମରେ ପହଞ୍ଚିଥିଲା ଯେ, ଗତ ଦୁଇ ଦଶନ୍ଧିରେ ଜଳବାୟୁ ପରିବର୍ତ୍ତନର କୁପ୍ରଭାବ ଯୋଗୁଁ ଏହି ଦେଶ ଗୁଡିକ ୫୨୫ ବିଲିୟନ ଡଲାରର କ୍ଷତି ସହିଛନ୍ତି । ଏହି ରାଶି ୨୦୧୯ ମସିହାର ଏହି ଦେଶ ଗୁଡିକର ଜିଡିପିର ୨୨ ପ୍ରତିଶତ ସହ ସମାନ।

ବୈଜ୍ଞାନିକଙ୍କ ଅନୁସାରେ ଅଧିକ କାର୍ବନ ନିର୍ଗତ ହେବା ଯୋଗୁଁ ପୃଥିବୀର ତାପମାତ୍ରା ବଢୁଛି, ଏହି କାରଣରୁ ପାଣିପାଗରେ ପରିବର୍ତ୍ତନ ଘଟୁଛି । ଭଲନରେବଲ ୨୦ ଅନୁସାରେ ଜଳବାୟୁ ପରିବର୍ତ୍ତନର ସବୁଠୁ ଅଧିକ ପ୍ରଭାବ ବାଂଲାଦେଶ ଉପରେ ପଡୁଛି । ଦୁନିଆର ମୋଟ କ୍ଷତିର ୪୪ ପ୍ରତିଶତ ତିନି ଦେଶ- ବାଂଲାଦେଶ, ଫିଲିପିନ୍ସ ଏବଂ ଭିଏତନାମରେ ହୋଇଛି ।

ବିଶେଷଜ୍ଞଙ୍କ ଅନୁସାରେ, COP ୨୭ରେ ଏହିପରି ସବୁ ଘଟଣା ଉପରେ ଚର୍ଚ୍ଚା ହୋଇପାରେ । ଏହା ପୂର୍ବରୁ COP ୨୬ ବ୍ରିଟେନର ଗ୍ଲାସଗୋରେ ଆୟୋଜିତ ହୋଇଥିଲା । ଏଠାରେ ୧୩୦ରୁ ଅଧିକ ଦେଶ ଏକ ପ୍ରସ୍ତାବ ରଖିଥିଲେ, ଏଥିରେ ବିକାଶଶୀଳ ଦେଶଙ୍କୁ ଆର୍ଥିକ ସହାୟତା ପ୍ରଦାନ ନେଇ ନୂଆ ବ୍ୟବସ୍ଥାର ଦାବି କରାଯାଇଥିଲା । ଏହି ଆର୍ଥିକ ସହାୟତା ଜଳବାୟୁ ପରିବର୍ତ୍ତନର ପ୍ରଭାବକୁ ରୋକିବା ଯୋଜନା ଉପରେ ଖର୍ଚ୍ଚ କରାଯିବ । କିନ୍ତୁ ଆମେରିକା ସହ ଅନ୍ୟ ଧନୀ ରାଷ୍ଟ୍ର ଏହି ପ୍ରସ୍ତାବକୁ ବିରୋଧ କରିଥିଲେ । ଏଥର COP ୨୭ରେ ବିକାଶଶୀଳ ରାଷ୍ଟ୍ରର ନେତା ଏହି ଦାବିକୁ ଅଧିକ ପ୍ରଭାବୀ ଏବଂ ବଳ ଦେଇ ଉଠାଇବେ ବୋଲି ଅନୁମାନ କରାଯାଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.