ଟିଡିପି-ଜେଡିୟୁକୁ ଧରିବାକୁ କସରତ, ନୀତୀଶ ଆମର କହିଲେ ସପା ନେତା

Published By : Prameya-News7 Bureau | June 05, 2024 IST

ନୂଆଦିଲ୍ଲୀ ୦୫/୦୬: ବିଜେପି ନେତୃତ୍ୱାଧୀନ ଏନ୍‌ଡିଏ ବହୁମତ ମୁହାଁ ହୋଇଥିଲେ ବି କଂଗ୍ରେସ ନେତୃତ୍ୱାଧୀନ ବିରୋଧୀଙ୍କ ଇଣ୍ଡିଆ ମେଣ୍ଟ କିନ୍ତୁ ଚଳିତ ଲୋକସଭା ନିର୍ବାଚନରେ କଡ଼ା ଟକ୍କର ଦେଇଛି । କଳେ ବଳେ କୌଶଳେ ଇଣ୍ଡିଆ ମଧ୍ୟ ସରକାର ଗଠନ କରିବାକୁ ଉଦ୍ୟମ ଆରମ୍ଭ କରିଦେଇଛି । 

ଏହି କ୍ରମେ କଂଗ୍ରେସ ନେତୃବୃନ୍ଦ ଚନ୍ଦ୍ରବାବୁ ନାଇଡୁଙ୍କ ତେଲୁଗୁ ଦେଶମ ପାର୍ଟି(ଟିଡିପି) ଏବଂ ନୀତୀଶ କୁମାରଙ୍କ ସଂଯୁକ୍ତ ଜନତା ଦଳ (ଜେଡିୟୁ) ସହ ଯୋଗାଯୋଗ କରିବାରେ ଲାଗିପଡ଼ିଛନ୍ତି । ଏ ନେଇ ଚର୍ଚ୍ଚା ସରଗରମ ହୋଇପଡ଼ିଛି । ଜାତୀୟ ରାଜନୀତିରେ ପଲଟୁରାମ ଭାବେ ଜଣା ନୀତୀଶ କୁମାର ପୁଣି ପଲଟି ଇଣ୍ଡିଆ ମେଣ୍ଟକୁ ଫେରିପାରନ୍ତି ବୋଲି ଆଲୋଚନା ହେଉଛି । 

ଏନ୍‌ସିପି ନେତା ଶରଦ ପାୱାର ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ଫୋନ କରିବା ଏବଂ ସମାଜବାଦୀ ପାର୍ଟି ନେତା ଆଇ.ପି ସିଂଙ୍କ ଟୁଇଟ୍‌ ଏହି ଚର୍ଚ୍ଚାକୁ ଖୋରାକ ଯୋଗାଇଛି । ଆଇ.ପି ସିଂ ଟୁଇଟ୍‌ କରିଛନ୍ତି, ‘ନୀତୀଶ ଆମର ଥିଲେ, ଆମର ଅଛନ୍ତି ଏବଂ ଆମର ରହିବେ । ଜୟ ସିୟାରାମ’। ସେହିପରି ପାୱାର ଟିଡିପି ନେତା ନାଇଡ଼ୁଙ୍କ ସହ ବି କଥା ହୋଇଛନ୍ତି । 

ରାଜନୈତିକ ବିଶେଷଜ୍ଞଙ୍କ କହିବା ଅନୁସାରେ, ନୀତୀଶ ଏବଂ ନାଇଡୁ ନୂଆ ସରକାର ଗଠନରେ ମୁଖ୍ୟ ଭୂମିକା ତୁଲାଇବେ । ଯଦି ଟିଡିପି ଏବଂ ଜେଡିୟୁ ବିଜେପି ହାତ ଛାଡ଼ନ୍ତି ତେବେ କଂଗ୍ରେସ ପାଇଁ ନୂଆ ସରକାର ଗଠନ ଅଧିକ ସହଜ ହୋଇଯିବ । ତେଣୁ ଆନ୍ଧ୍ରପ୍ରଦେଶରେ ବିପୁଳ ବହୁମତ ପାଇଥିବା ଟିଡିପି ମୁଖ୍ୟ ନାଇଡୁଙ୍କୁ ନିଜ ପାଲରେ ପକାଇବା ଲାଗି ଉଭୟ ବିଜେପି ଏବଂ କଂଗ୍ରେସ ଲାଗି ପଡ଼ିଛନ୍ତି । 

ସେହିପରି ନୀତୀଶ ଯେପରି ହାତରୁ ନ ଖସି ଯାଆନ୍ତି ତାହା ଉପରେ ବିଜେପି ନଜର ରଖିଛି । ଅନ୍ୟପଟେ ଦୁଇଜଣଙ୍କୁ ନିଜ ପଟକୁ ଟାଣିବା ପାଇଁ ବିରୋଧୀ ମେଣ୍ଟ ଲାଗିଛନ୍ତି । ଅନ୍ୟ ଏକ ରିପୋର୍ଟ ଅନୁସାରେ, ଚୂଡ଼ାନ୍ତ ଫଳାଫଳ ପ୍ରକାଶ ପାଇବାର ୨/୩ ସପ୍ତାହ ପରେ ନୀତୀଶ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇପାରନ୍ତି । ଏହାକୁ ନେଇ ମଧ୍ୟ ବଡ଼ ପ୍ରଶ୍ନ ଛିଡ଼ାହୋଇଛି । 

ଇସ୍ତଫା ଦେବା ପରେ ସେ ଇଣ୍ଡିଆ ମେଣ୍ଟ ଆଡ଼କୁ ଢଳିବେ ନା ଏନ୍‌ଡିଏରେ ରହିବେ ତାହା ଉପରେ ସଭିଁଙ୍କ ନଜର ରହିଛି । ନୀତୀଶଙ୍କୁ ନିଜ ପାଲରେ ରଖିବା ପାଇଁ ବିଜେପି ତାଙ୍କୁ ରେଳ ବିଭାଗ ମନ୍ତ୍ରୀ ପଦ ଫେରାଇପାରେ ବୋଲି ମଧ୍ୟ ଚର୍ଚ୍ଚା ହେଉଛି । ରବିବାର ନୀତୀଶ କୁମାର ଦିଲ୍ଲୀ ଯାଇଥିଲେ । ସୋମବାର ସକାଳେ ସେ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କୁ ଭେଟିବା ପରେ ଏହି ଆଲୋଚନା ଜୋର୍‌ ଧରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.