କ'ଣ ଭାରତୀୟ ନୋଟରେ ଦେଖିବାକୁ ମିଳିବ ନାହିଁ ମହାତ୍ମା ଗାନ୍ଧୀଙ୍କ ଫଟୋ ? ସ୍ପଷ୍ଟ କଲା RBI

Published By : Prameya-News7 Bureau | June 06, 2022 IST

ନୂଆଦିଲ୍ଲୀ; ଭାରତୀୟ ନୋଟ୍‌ରେ ସର୍ବଦା ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଫଟୋ ଦେଖିବାକୁ ମିଳି ଆସିଛି। ହେଲେ କିଛି ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ଭାରତୀୟ ରିଜର୍ଭ ବ୍ୟାଙ୍କ ଭାରତୀୟ ନୋଟରେ ଏକ ବଡ ପରିବର୍ତ୍ତନ କରିବା ଉପରେ ବିଚାର କରୁଛନ୍ତି। ଏହି ପରିବର୍ତ୍ତନ ନୋଟ୍‌ରେ ଛପା ଯାଉଥିବା ମହାତ୍ମା ଗାନ୍ଧୀଙ୍କ ଫଟୋକୁ ନେଇ ରହିଛି। ଏହି ଖବର ଗଣମାଧ୍ୟମରେ ଚର୍ଚ୍ଚାର ବିଷୟ ପାଲଟିବାରୁ କେନ୍ଦ୍ରୀୟ ବ୍ୟାଙ୍କ ଏହି ସମ୍ବନ୍ଧରେ ନିଜର ବିବୃତି ଜାରି କରି ଏହି ଧରଣର ଖବରକୁ ଖଣ୍ଡନ କରିଛନ୍ତି।

ରିପୋର୍ଟରେ କୁହାଯାଇଥିଲା ଯେ, ଶୀଘ୍ର  ଭାରତୀୟ ନୋଟରେ ରବୀନ୍ଦ୍ର ନାଥ ଟାଗୋର ଏବଂ ମିସାଇଲ ମ୍ୟାନ ଏପିଜେ ଅବଦୁଲ କଲାମଙ୍କ ଫଟୋ ଦେଖିବାକୁ ମିଳିପାରେ। ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ ମହାତ୍ମା ଗାନ୍ଧୀଙ୍କ ସହିତ ଏହି ଦୁଇ ହସ୍ତୀଙ୍କ ଫଟୋ ନୋଟରେ ଛାପିବା ପାଇଁ ବିସ୍ତୃତ ବିଚାର ବିମର୍ଶ ଚଳାଇଥିବା ରିପୋର୍ଟରେ କୁହାଯାଇଛି।

ଆରବିଆଇ ସଂପ୍ରତି ଏହି ସବୁ ରିପୋର୍ଟକୁ ସଂପୂର୍ଣ୍ଣ ଖାରଜ କରି କହିଛି ଯେ, ବର୍ତ୍ତମାନ ମୁଦ୍ରାରେ କୌଣସି ପ୍ରକାରର ପରିବର୍ତ୍ତନ ଉପରେ ବିଚାର କରାଯାଉ ନାହିଁ। ସଂପ୍ରତି ଭାରତୀୟ ମୁଦ୍ରା ଏବଂ ବ୍ୟାଙ୍କ ନୋଟରେ କୌଣସି ପରିବର୍ତ୍ତନ ନେଇ ପ୍ରସ୍ତାବ ବା ଯୋଜନା ନାହିଁ। ଏହି ଧରଣର ଖବର ମାତ୍ର ଏକ କଳ୍ପନା ଜଳ୍ପନା ବୋଲି ଆରବିଆଇ ପକ୍ଷରୁ କୁହାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.