FIFA World Cup 2022 Final: ଫାଇନାଲ୍ରୁ ବାଦ୍ ପଡିବେ ମେସି ? ଅଭ୍ୟାସ୍ ସେସନରେ ଯୋଗ ଦେଲେନି, ଚିନ୍ତାରେ ପ୍ରଶଂସକ
17/12/2022 at 6:16 PM

ନୂଆଦିଲ୍ଲୀ: ଫିଫା ବିଶ୍ଵ କପ୍ ୨୦୨୨ର ଫାଇନାଲ୍ ମୁକାବିଲା ରବିବାର ଡିସେମ୍ବର ୧୮ରେ ରାତି ୮ଟା ୩୦ରେ ଖେଳାଯିବ। ମହାମୁକାବିଲାରେ ମୁହାଁମୁହିଁ ହେବେ ଆର୍ଜେଣ୍ଟିନା ଏବଂ ଫ୍ରାନ୍ସ। ସଭିଙ୍କ ନଜର ଆର୍ଜେଣ୍ଟିନାର ଅଧିନାୟକ ଲିଓନେଲ୍ ମେସିଙ୍କ ଉପରେ ରହିବ। ତେବେ ଫାଇନାଲ୍ ପୂର୍ବରୁ ଏକ ଚିନ୍ତାଜନକ ଖବର ସାମ୍ନାକୁ ଆସିଛି।
ରିପୋର୍ଟ ଅନୁଯାୟୀ, ଲିଓନେଲ୍ ମେସି ଫାଇନାଲ୍ ମ୍ୟାଚ୍ ପୂର୍ବରୁ ସଂପୂର୍ଣ୍ଣ ଫିଟ୍ ନାହାନ୍ତି। ଏପରିକି ଫାଇନାଲ୍ ମୁକାବିଲା ପୂର୍ବରୁ ଟ୍ରେନିଂ ସେସନରେ ଯୋଗ ଦେଇ ନାହାନ୍ତି ମେସି। ତାଙ୍କର ଜଙ୍ଘ ମାଂସମେଶୀ ଟାଣି ଧରିବା କାରଣରୁ ମେସିଙ୍କୁ ସମସ୍ୟା ହୋଇଛି। କ୍ରୋଏସିଆ ବିପକ୍ଷ ସେମି ଫାଇନାଲ୍ରେ ମେସିଙ୍କୁ କିଛିଟା ଶାରୀରିକ ସମସ୍ୟା ଦେଖା ଦେଇଥିଲା। ତେବେ ସେ ଠିକ୍ ଅନୁଭବ କରୁଥିବା ଏବଂ ବିଶ୍ଵ କପ୍ରେ ନିଜ ଦଳକୁ ସମସ୍ତ ସହଯୋଗ କରିବାକୁ ପ୍ରସ୍ତୁତ ବୋଲି ମେସି କହିଥିଲେ। କିନ୍ତୁ ମେସିଙ୍କ ଅନଫିଟ୍ ହେବା ଖବର ସାମ୍ନାକୁ ଆସିବା ପରେ ପ୍ରଶଂସକଙ୍କ ଚିନ୍ତା ବଢି ଯାଇଛି।
ଦୁନିଆର ସର୍ବଶ୍ରେଷ୍ଠ ଫୁଟବଲ୍ ଖେଳାଳିଙ୍କ ମଧ୍ୟରୁ ଜଣେ ଲିଓନେଲ୍ ମେସିଙ୍କ ନିକଟରେ ନିଜ ଦଳକୁ ଚାମ୍ପିଅନ କରାଇବାର ସୁଯୋଗ ରହିଛି। ଏହା ମେସିଙ୍କ ଶେଷ ବିଶ୍ଵ କପ୍ ଏବଂ ଆର୍ଜେଣ୍ଟିନା ପାଇଁ ଏହା ତାଙ୍କର ଶେଷ ମ୍ୟାଚ୍ ହୋଇପାରେ। ଆର୍ଜେଣ୍ଟିନା ଷଷ୍ଠ ଥର ଫିଫା ବିଶ୍ଵ କପ୍ର ଫାଇନାଲ୍ରେ ପ୍ରବେଶ କରିଛି। ଏଥିରୁ ଦଳ ଦୁଇ ଥର ୧୯୭୮ ଏବଂ ୧୯୮୬ ବିଶ୍ଵ କପ୍ରେ ଚାମ୍ପିଅନ ହୋଇଥିଲା। ସେହିପରି ଫ୍ରାନ୍ସ ମଧ୍ୟ ଦୁଇ ଥର ବିଶ୍ଵ କପ୍ ଜିତିଛି। ଦଳ ୧୯୯୮ ଏବଂ ୨୦୧୮ରେ ଟ୍ରଫି ଜିତିଥିଲା। ଅର୍ଥାତ ଦୁଇ ଦଳ ନିଜର ତୃତୀୟ ଟ୍ରଫି ପାଇଁ ପରସ୍ପରର ମୁକାବିଲା କରିବେ।
ମେସି ଚଳିତ ବିଶ୍ଵ କପ୍ରେ ଏ ପର୍ଯ୍ୟନ୍ତ ୫ଟି ଗୋଲ୍ ଦେଇ ସାରିଛନ୍ତି। ଆର୍ଜେଣ୍ଟିନା ଚଳିତ ବିଶ୍ଵ କପ୍ରେ ୧୨ଟି ଗୋଲ୍ ଦେଇଛି। ବ୍ୟକ୍ତିଗତ ୫ଟି ଗୋଲ୍ ଦେଇଥିବା ମେସି ୩ଟି ଗୋଲ୍ ଦେବାରେ ଗୁରୁତ୍ଵପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି। ଏମିତିରେ ମେସି ନିଜ ଦଳକୁ ନେତୃତ୍ଵ କରୁଛନ୍ତି। ତେଣୁ ତାଙ୍କ ଉପରେ ଏବେ ସଭିଙ୍କ ନଜର ରହିଛି।