କୋହଲିଙ୍କ ଦିନିକିଆ ଦଳର ଅଧିନାୟକ ପଦ ରହିବ କି ଯିବ, ଚଳିତ ସପ୍ତାହରେ ଆସିପାରେ ନିଷ୍ପତ୍ତି

Published By : Prameya-News7 Bureau | December 01, 2021 IST

ମୁମ୍ବାଇ ୦୧।୧୨ : ଭାରତୀୟ ଟି-୨୦ ଦଳର ଅଧିନାୟକ ଭାବେ ରୋହିତ ଶର୍ମାଙ୍କ ଆରମ୍ଭ ଦମଦାର ରହିଛି। ତେବେ ଏହା ମଧ୍ୟ ପ୍ରଶ୍ନ ଉଠୁଛି ଯେ, ବିରାଟ କୋହଲି ଦିନିକିଆ ଦଳର ଅଧିନାୟକ ରହିବେ କି ନାହିଁ। ଆଉ କିଛି ଦିନରେ ଏହା ଉପରେ ନିଷ୍ପତ୍ତି ନିଆଯାଇପାରେ।  ଦକ୍ଷିଣ ଆଫ୍ରିକା ଗସ୍ତ ନେଇ ଦଳର ଘୋଷଣା ସମୟରେ ଚେତନ ଶର୍ମାଙ୍କ ନେତୃତ୍ଵାଧୀନ ଚୟନ କମିଟି ଏହାର ନିଷ୍ପତ୍ତି ଶୁଣାଇବେ।

ଟି-୨୦ ବିଶ୍ଵ କପ୍‌ରେ ଭାରତ ଖରାପ ପ୍ରଦର୍ଶନ କଲେ କୋହଲିଙ୍କଠୁ ଦିନିକିଆ ଅଧିନାୟକ ଦାୟିତ୍ଵ କାଢି ନିଆଯାଇପାରେ ବୋଲି ଚର୍ଚ୍ଚା ଜୋର ଧରିଥିଲା। କୋହଲିଙ୍କୁ କେବଳ ଟେଷ୍ଟ ଦଳର ଅଧିନାୟକ ଦାୟିତ୍ଵ ଦିଆଯାଉ ଏବଂ ସୀମିତ ଓଭର କ୍ରିକେଟ୍‌ ଦଳର ଅଧିନାୟକ ରୋହିତ ଶର୍ମାଙ୍କୁ କରାଯାଉ ବୋଲି କୁହାଯାଉଥିଲା।

ବିସିସିଆଇର ଏକ ଗୋଷ୍ଠୀ କୋହଲିଙ୍କୁ ଦିନିକିଆ ଦଳର ଅଧିନାୟକ କରାଯିବା ପକ୍ଷରେ ଥିବା ବେଳେ ଅନ୍ୟ ଏକ ଗୋଷ୍ଠୀ ଟି-୨୦ ଏବଂ ଦିନିକିଆ ଦଳର ଅଧିନାୟକ ଦାୟିତ୍ଵ ଜଣେ ଖେଳାଳିଙ୍କୁ ଦେବା ପକ୍ଷରେ ଅଛନ୍ତି। ରୋହିତଙ୍କୁ ମଧ୍ୟ ଦିନିକିଆ ଦଳର ଅଧିନାୟକ କରାଯାଉ ବୋଲି ଅଧିକାରୀ କହିଛନ୍ତି। ଯଦ୍ଵାରା ରୋହିତ ଶର୍ମାଙ୍କୁ ୨୦୨୩ ଦିନିକିଆ ବିଶ୍ଵ କପ୍‌ ପାଇଁ ପ୍ରସ୍ତୁତି ପାଇଁ ସମୟ ମିଳିବ। ତେବେ ଏହି ବିଷୟରେ ଚୂଡାନ୍ତ ନିଷ୍ପତ୍ତି ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ଓ ସଂପାଦକ ଜୟ ଶାହା ନେବେ।

ଏହା ପୂର୍ବରୁ ଅଧିନାୟକ ଭାବେ କୋହଲିଙ୍କ ଶେଷ ଟି-୨୦ ମ୍ୟାଚ୍ ଟି-୨୦ ବିଶ୍ଵ କପ୍‌ ଥିଲା। ଟି-୨୦ ବିଶ୍ଵ କପ୍ ପରେ କୋହଲି ଟି-୨୦ ଅନ୍ତର୍ଜାତୀୟ ଅଧିନାୟକ ପଦରୁ ଅବ୍ୟାହତି ଦେଇ ସାରିଛନ୍ତି। ରୋହିତ ଶର୍ମା ନ୍ୟୁଜିଲାଣ୍ଡକୁ ଟି-୨୦ ସିରିଜ୍‌ରେ ୩-୦ରେ ହରାଇ ଦମଦାର ଆରମ୍ଭ କରିଛନ୍ତି। ତେଣୁ ରୋହିତଙ୍କୁ ଦିନିକିଆ ଦଳର ଅଧିନାୟକ କରାଯାଉ ବୋଲି ବିସିସିଆଇର ଗୋଟିଏ ଗୋଷ୍ଠୀ ଚାହୁଁଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.