୨୦୨୪ ଟି-୨୦ ବିଶ୍ବକପ୍‌ ମ୍ୟାଚ୍‌ ଜିତିବ କି ଭାରତ ? IPL ଆରମ୍ଭ ପରଠୁ ଜିତିନି ବିଶ୍ବକପ୍‌

Published By : Prameya-News7 Bureau | May 26, 2024 IST

ନୂଆଦିଲ୍ଲୀ ୨୬।୦୫ : ୨୦୦୮ରୁ ଆରମ୍ଭ ହୋଇଥିଲା ଆଇପିଏଲ୍‌ । ଦିନକୁ ଦିନ ବଢୁଛି ଏହାର ଲୋକପ୍ରିୟତା । କିନ୍ତୁ ଆଇପିଏଲ୍‌ ଆରମ୍ଭ ପରଠାରୁ ବିଶ୍ବକପ୍‌ ଜିତିନି ଭାରତ । ୨୦୦୭ ଟି-ଟ୍ୱେଣ୍ଟି ବିଶ୍ୱକପ୍‌ର ପ୍ରଥମ ସଂସ୍କରଣରେ ଭାରତ ଚାମ୍ପିଅନ ହୋଇଥିଲା । କିନ୍ତୁ ଏହାପରଠୁ ହୋଇପାରନି ସଫଳ । କିନ୍ତୁ ଚଳିତବର୍ଷ ଏହି ପ୍ରତୀକ୍ଷାର ଘଟିବ କି ଅନ୍ତ ?

 ଏହା ଏବେ ସମସ୍ତଙ୍କ ନିକଟରେ ବଡ଼ ପ୍ରଶ୍ନ । ପ୍ରଥମ ଥର ଅର୍ଥାତ୍‌ ୨୦୦୭ରେ ଦକ୍ଷିଣ ଆଫ୍ରିକାରେ ବିଶ୍ୱକପ୍‌ ଟ୍ରଫି ଜିତିଥିଲା ଭାରତ । ୨୦୧୪ରେ ବାଂଲାଦେଶରେ ଦ୍ୱିତୀୟ ସୁଯୋଗ ମିଳିଥିଲା ଭାରତକୁ । କିନ୍ତୁ ଟିମ୍‌ ଇଣ୍ଡିଆ ଏହାକୁ କରିଥିଲା ହାତଛଡା । ଫାଇନାଲରେ ଶ୍ରୀଲଙ୍କାଠୁ ହୋଇଥିଲା ପରାଜିତ । ତେବେ ୩ୟ ସଂସ୍କରଣ ଶେଷ ହୋଇଥିଲେ ବି ଫାଇନାଲକୁ ଉନ୍ନୀତ ହୋଇପାରିନି ଭାରତ ।

ଅନ୍ୟପଟେ ରୋହିତଙ୍କ ନେତୃତ୍ୱକୁ ନେଇ ଲାଗିଛି ଆଶା ଆଶଙ୍କା । ୨୦୨୨ ବିଶ୍ୱକପ୍‌ର ସେମି ଫାଇନାଲରେ ହାରିବା ପରଠୁ ରୋହିତ ଓ ବିରାଟ କୋହଲି ଅନ୍ତର୍ଜାତୀୟ ଟି-ଟ୍ୱେଣ୍ଟିରୁ ଦୂରେଇ ରହିଥିଲେ । କୁହାଯାଉଥିଲା ଉଭୟ ୨୦୨୪ ବିଶ୍ୱକପ୍‌ରେ ଅନୁପସ୍ଥିତ ରହିବେ । କିନ୍ତୁ ୨୦୨୪ ଟି-ଟ୍ୱେଣ୍ଟି ବିଶ୍ୱକପ୍‌ରେ ରୋହିତଙ୍କ ନେତୃତ୍ୱର ଆବଶ୍ୟକତା ପଡିଲା । 

ତେଣୁ ବହୁ ପୂର୍ବରୁ ହିଁ ବିସିସିଆଇ ରୋହିତଙ୍କୁ ବିଶ୍ୱକପ୍‌ର ଅଧିନାୟକ ଭାବେ ଘୋଷଣା କରିଥିଲା । କେବଳ ବିସିସିଆଇ ନୁହେଁ, ପ୍ରଶଂସକଙ୍କର ମଧ୍ୟ ରୋହିତଙ୍କ ନେତୃତ୍ୱ ଉପରେ ଭରସା ରହିଛି । କୋହଲି ବିଶ୍ୱ କ୍ରିକେଟରେ ଜଣେ ଅପ୍ରତିଦ୍ୱନ୍ଦ୍ୱୀ ବ୍ୟାଟର । କିନ୍ତୁ ଏତେ ପରେ ବର୍ତ୍ତମାନ  ବିରାଟଙ୍କ ଫର୍ମକୁ ନେଇ ଚର୍ଚ୍ଚା । ପ୍ଲେ ଅଫ୍‌ ପର୍ଯ୍ୟନ୍ତ ସେ ୧୫ ମ୍ୟାଚ୍‌ ଖେଳି ୭୪୧ ରନ୍‌ କରିଛନ୍ତି । ଯେଉଁଥିରେ ଗୋଟିଏ ଶତକ ଏବଂ ୫ଟି ଅର୍ଦ୍ଧଶତକ ସାମିଲ ରହିଛି । 

ଯଦିଓ ମଧ୍ୟଭାଗରେ କୋହଲିଙ୍କ ଷ୍ଟ୍ରାଇକ ରେଟ୍‌କୁ ନେଇ ବିଶେଷଜ୍ଞମାନେ ପ୍ରଶ୍ନ ଉଠାଇଥିଲେ କିନ୍ତୁ ସେ ପରେ ଏହାର ଜବାବ ବ୍ୟାଟରେ ଦେଇଥିଲେ । ତାଙ୍କ ଫର୍ମ ହିଁ ବିଶ୍ୱକପ୍‌ରେ ଟିମ୍‌ ଇଣ୍ଡିଆର ପ୍ରମୁଖ ଶକ୍ତି ପାଲଟିଛି । ୨୦୧୨ ବିଶ୍ୱକପ୍‌ରେ ଭେଟେରାନ କୋହଲି ପଦାର୍ପଣ କରିଥିଲେ । ତେବେ ଏହି ଦୁଇ ଭରସାଯୋଗ୍ୟ ଭେଟେରାନ ବ୍ୟାଟର ଯଦି ଫର୍ମରେ ରହିବେ, ତେବେ ସେମାନଙ୍କୁ ଅଟକାଇବା ଯେକୌଣସି ଦଳ ପକ୍ଷେ ଅସମ୍ଭବ । 

ସେମିତି ଯଶସ୍ୱୀ ଜୈସ୍ୱାଲ, ସୂର୍ଯ୍ୟକୁମାର ଯାଦବ, ହାର୍ଦ୍ଦିକ ପାଣ୍ଡ୍ୟା ମଧ୍ୟ କିଛି କମ୍‌ ନୁହଁନ୍ତି । ଦଳରେ ରହିଛନ୍ତି ୪ ସ୍ପିନର ଅକ୍ଷର, ଚହଲ, ଜାଡେଜା ଓ କୁଲଦୀପଙ୍କ ସହ ପେସ ଯାଦୁକର ଯଶପ୍ରୀତ ବୁମରା । ତେଣୁ ଏଥର ଯେ ଭାରତ ଦ୍ୱିତୀୟ ଟାଇଟଲ ସ୍ୱପ୍ନ ପୂରା କରିପାରିବ, ସେଥିରେ କାହାର ସନ୍ଦେହ ନାହିଁ । ମାତ୍ର ସମୟ ଏବଂ ଭାଗ୍ୟ ଟିମ୍‌ ଇଣ୍ଡିଆକୁ କେତେ ସହାୟତା କରୁଛି ତାହା ହିଁ ବଡ଼ କଥା ।

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.