ଦଳରେ କୁହୁଳିଲା ଅସନ୍ତୋଷର ବହ୍ନି, ବିପଦରେ ସିନ୍ଦେ ଗୋଷ୍ଠୀ, ସରକାରରୁ ଓହରିବାକୁ ନିର୍ଦ୍ଦଳୀୟ ବିଧାୟକଙ୍କ ଚେତାବନୀ

Published By : Prameya-News7 Bureau | October 29, 2022 IST

ମୁମ୍ବାଇ: ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଏବଂ ଉପ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡଣବିସ୍ ସାମ୍ନାକୁ ଆସନ୍ତୁ। ତଥ୍ୟ ସହିତ ମୋ ଉପରେ ଲାଗିଥିବା ଅଭିଯୋଗର ଜବାବ ଦିଅନ୍ତୁ। ନଚେତ୍ ମୋତେ କିଛି କରିବାକୁ ପଡିବ। ମୋ ହାତରେ ବି ଅନେକ ବିଧାୟକ ଅଛନ୍ତି। ଆଗାମୀ ସମୟରେ ଏହାର ଜବାବ ଦିଆଯିବ। ଏମିତି ଶାଣିତ ସ୍ଵରରେ ଏକନାଥ ସିନ୍ଦେ ସରକାରଙ୍କୁ ଚେତାବନୀ ଦେଇଛନ୍ତି ସମର୍ଥକ ବିଧାୟକ ତଥା ଜନ ପ୍ରହାର ଶକ୍ତି(ଜେପିଏସ) ପାର୍ଟିର ବିଧାୟକ ବଚ୍ଚୁ କଡୁ। ମହାରାଷ୍ଟ୍ରରେ ସିନ୍ଦେ ସରକାରଙ୍କୁ ତିନି ମାସରୁ ଅଧିକ ସମୟ ପୂରିଛି। ତେବେ ସରକାରରେ ସବୁ କିଛି ଠିକ୍ ଚାଲୁଥିବା ଭଳି ମନେ ହେଉନି। ଆଉ ଏହି ଅନୁମାନକୁ ବଳ ଯୋଗାଉଛି ସାଂପ୍ରତିକ ଘଟଣାକ୍ରମ।

ସିନ୍ଦେ ଗୋଷ୍ଠୀରେ କୁହୁଳିବାରେ ଲାଗିଲାଣି ଅସନ୍ତୋଷର ବହ୍ନି। ଅନେକ ବିଧାୟକ ଖପ୍ପା ଥିବା ସାଂପ୍ରତିକ ସ୍ଥିତିରୁ ଦେଖିବାକୁ ମିଳିଛି। ଏମିତି ସ୍ଥିତି ଉପୁଜିବାର କାରଣ ନିର୍ଦ୍ଦଳୀୟ ବିଧାୟକଙ୍କୁ ସିନ୍ଦେ ଗୋଷ୍ଠୀ ଆଡକୁ ଟାଣିବା ପାଇଁ ହେଉଥିବା ଲାଞ୍ଚ କାରବାରର ଅଭିଯୋଗ। କୋଟି କୋଟି ଟଙ୍କାର ପ୍ରଲୋଭନ ଦେଖାଇ ନିଜ ଗୋଷ୍ଠୀରେ ସାମିଲ୍ କରାଯିବାର ପ୍ରୟାସକୁ ନେଇ ଅଭିଯୋଗ ଉପରେ ନିର୍ଦ୍ଦଳୀୟ ବିଧାୟକ ଖପ୍ପା ଥିବା ଜଣା ପଡିଛି।

ଜନ ପ୍ରହାର ଶକ୍ତି(ଜେପିଏସ) ପାର୍ଟିର ବିଧାୟକ ବଚ୍ଚୁ କଡୁ ଏବଂ ସ୍ଵାଧୀନ ବିଧାୟକ ରବି ରାଣା ମଧ୍ୟରେ ମତଭେଦ ଖବର ସିନ୍ଦେ ସରକାରଙ୍କୁ ହରଡଘଣାରେ ପକାଇଛି। ସ୍ଵାଧୀନ ବିଧାୟକ ରବି ରାଣା ଅଭିଯୋଗ କରିଛନ୍ତି ଯେ, କଡୁ ମହାବିକାଶ ଅଘାଡି(ଏମଭିଏ) ମେଣ୍ଟରୁ ସମର୍ଥନ ଟାଣିବା ଏବଂ ବିଧାୟକଙ୍କୁ  ସିନ୍ଦେ ଗୋଷ୍ଠୀକୁ ଆଣିବା ପାଇଁ ୫୦ କୋଟି ଟଙ୍କା ଲାଞ୍ଚ ନେଇଛନ୍ତି। ବଚ୍ଚୁ କଡୁ ଅମରାବତୀ ଜିଲ୍ଲାର ଅଚଲାପୁର ବିଧାନସଭା ଆସନରୁ ବିଧାୟକ ରହିଛନ୍ତି। ୨୦୧୯ ବିଧାନସଭା ନିର୍ବାଚନ ପରେ କଡୁ ସେହି ସମୟର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ସରକାରଙ୍କ ସମର୍ଥନ କରିଥିଲେ। ତାଙ୍କୁ ରାଷ୍ଟ୍ର ମନ୍ତ୍ରୀ ପଦ ବି ମିଳିଥିଲା। ପୁଣି ଚଳିତ ବର୍ଷ ଜୁନରେ ସିନ୍ଦେ ବିଦ୍ରୋହ କରି ନିଜର ଗୋଷ୍ଠୀ ଗଠନ କରିଥିଲେ। ଆଉ କଡୁ ଗୋଷ୍ଠୀ ପରିବର୍ତ୍ତନ କରି ସିନ୍ଦେ ଗୋଷ୍ଠୀରେ ସାମିଲ୍ ହୋଇ ଯାଇଥିଲେ। ଗୌହାଟୀ ଯାଇଥିବା ୫୦ ବିଧାୟକଙ୍କ ମଧ୍ୟରେ କଡୁ ସାମିଲ୍ ଥିଲେ।

ସବୁଠୁ ବଡ କଥା କଡୁ ଏବଂ ରାଣା ଉଭୟ ସିନ୍ଦେଙ୍କ ସମର୍ଥକ। ଏହା ପରେ ବି ପରସ୍ପର ଭିତରେ ମତାନ୍ତର ଦେଖା ଦେଇଛି। ଆଉ ଏଥିରେ ଏବେ ଟାଣି ହୋଇ ଯାଇଛନ୍ତି ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଏବଂ ଉପ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡଣବିସ। ରାଣାଙ୍କ ଦ୍ଵାରା ଏମିତି ସଙ୍ଗୀନ ଅଭିଯୋଗ ଆସିବା ପରେ ମୁଖ୍ୟମନ୍ତ୍ରୀ ଏବଂ ଉପ ମୁଖ୍ୟମନ୍ତ୍ରୀଙ୍କୁ ସିଧାସଳଖ ଚେତାବନୀ ଦେଇଛନ୍ତି କଡୁ। ସେ କହିଛନ୍ତି ସିନ୍ଦେ ଏବଂ ଫଡଣବିସ ଉଭୟ ତଥ୍ୟର ସହ ସଫେଇ ଦିଅନ୍ତୁ।

ବଚ୍ଚୁ କଡୁ କହିଛନ୍ତି, ରାଣା ହେଉଛନ୍ତି ସିନ୍ଦେଙ୍କ ସମର୍ଥକ। ସେ ମୋର ଛବି ଖରାପ କରିବା ପାଇଁ ଭିତ୍ତିହୀନ ଅଭିଯୋଗ ଲଗାଇଛନ୍ତି। କହିବାକୁ ଗଲେ, ଏହି ଅଭିଯୋଗ ମୋ ବିରୋଧରେ ନୁହେଁ, ଏହା ତ ମୁଖ୍ୟମନ୍ତ୍ରୀ ସିନ୍ଦେ ଜୀ ଏବଂ ଉପ ମୁଖ୍ୟମନ୍ତ୍ରୀ ଫଡଣବିସ୍ ଜୀଙ୍କ ବିରୋଧରେ ରହିଛି। ଲୋକେ ତ ମୁଖ୍ୟମନ୍ତ୍ରୀ ଏବଂ ଉପ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶ୍ନ କରିବେ ଯେ, କଣ ସରକାର ଗଢିବା ପାଇଁ ପ୍ରତ୍ୟେକ ବିଦ୍ରୋହୀ ବିଧାୟକଙ୍କୁ ୫୦ କୋଟି ଟଙ୍କାର ଲାଞ୍ଚ ଦିଆଯାଇଛି। ତେଣୁ ମୁଖ୍ୟମନ୍ତ୍ରୀ ଏବଂ ଉପ ମୁଖ୍ୟମନ୍ତ୍ରୀ ସାମ୍ନାକୁ ଆସି ତଥ୍ୟ ରଖନ୍ତୁ। ନଚେତ୍ ନଭେମ୍ବର ସୁଦ୍ଧା ମୋତେ କିଛି ପଦକ୍ଷେପ ନେବାକୁ ପଡିବ। ଏମିତି ଆହୁରି ଆଠ ବିଧାୟକ ଅଛନ୍ତି, ଯେଉଁମାନେ ଲାଞ୍ଚ ଅଭିଯୋଗ ନେଇ କ୍ଷୁବ୍ଧ ଅଛନ୍ତି। ଆମେ ୯ ବିଧାୟକ ଏକାଠି ହୋଇ ସ୍ଥିର କରିବୁ ଯେ, ଆଗାମୀ ଦିନରେ କଣ କରିବୁ।

ସିନ୍ଦେ ୫୦ ବିଧାୟକ ସହିତ ବାଲାସାହେବଞ୍ଚି ଶିବସେନା ପାର୍ଟିର ନେତୃତ୍ଵ ନେଉଛନ୍ତି। ଏଥିରୁ ୧୦ ବିଧାୟକ ଛୋଟ ଦଳ ଏବଂ ସ୍ଵାଧୀନ ବିଧାୟକ। ଆଉ ବିଧାୟକ କଡୁଙ୍କ ଚେତାବନୀ ସିନ୍ଦେ ଗୋଷ୍ଠୀରେ ଅସ୍ଥିରତା ଆଣିପାରେ। ଯଦି ସିନ୍ଦେ ବିଧାୟକଙ୍କ ଅସନ୍ତୋଷ ପ୍ରଶମିତ ନକରନ୍ତି ତେବେ ୯ ବିଧାୟକ ସିନ୍ଦେ ଗୋଷ୍ଠୀ ପରିତ୍ୟାଗ କରି ପାରନ୍ତି। ଏମିତି ସ୍ଥିତି ଉପୁଜିଲେ ସିନ୍ଦେ ଗୋଷ୍ଠୀର ପତିଆରା ହ୍ରାସ ପାଇବ ଏବଂ ଏହାର ଫାଇଦା ନେବାକୁ ବିଜେପି ସଙ୍କୋଚ ବି କରିବନି। ଏହାର ନକରାତ୍ମକ ପ୍ରଭାବ ସିନ୍ଦେ ଗୋଷ୍ଠୀ ସରକାରକୁ ଅସ୍ଥିର କରିପାରେ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.