ପୁରୀ I ଭୁବନେଶ୍ୱର ୧୩/୦୧: ଶ୍ରୀମନ୍ଦିର ଭିତରେ ମହାପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ କରିବାକୁ ବିଦେଶୀ ଭକ୍ତମାନଙ୍କୁ ମଧ୍ୟ ଅନୁମତି ମିଳୁ। ଏପରି କହିଛନ୍ତି ଓଡ଼ିଶାର ରାଜ୍ୟପାଳ ପ୍ରଫେସର ଡକ୍ଟର ଗଣେଶୀ ଲାଲ। ଯେହେତୁ ସେମାନେ ଗଜପତି ମହାରାଜା, ଜଗଦଗୁରୁ ଶଙ୍କରାଚାର୍ଯ୍ୟ ଓ ସେବାୟତଙ୍କୁ ଭେଟି ପାରୁଛନ୍ତି ତାହେଲେ ମହାପ୍ରଭୁଙ୍କୁ କାହିଁକି ଦର୍ଶନ କରିପାରିବେ ନାହିଁ ବୋଲି ସେ ପ୍ରଶ୍ନ କରିଛନ୍ତି।
ଏନେଇ ଗଜପତି ମହାରାଜା, ଜଗଦଗୁରୁ ଶଙ୍କରାଚାର୍ଯ୍ୟ ଓ ସେବାୟତଙ୍କୁ ମିଳିତ ଭାବେ ନିଷ୍ପତ୍ତି ନେବାକୁ ସେ ଅନୁରୋଧ କରିଛନ୍ତି। ଭୁବନେଶ୍ୱରରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେବା ଅବସରରେ ରାଜ୍ୟପାଳ ତାଙ୍କ ବକ୍ତବ୍ୟରେ ଏହା କହିଛନ୍ତି। ଏହି ମନ୍ତବ୍ୟକୁ ନେଇ ବିଭିନ୍ନ ମହଲରେ ଚର୍ଚ୍ଚା ଆଲୋଚନା ଲାଗିରହିଥିବା ବେଳେ ଏହା ତାଙ୍କର ସମ୍ପୂର୍ଣ୍ଣ ବ୍ୟକ୍ତିଗତ ମତ ବୋଲି ରାଜ୍ୟପାଳ କହିଛନ୍ତି।
ସେପଟେ ରାଜ୍ୟପାଳଙ୍କ ଏଭଳି ମତକୁ ନେଇ ସେବାୟତ ଓ ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ମୁହଁ ଖୋଲିଛନ୍ତି। ଶ୍ରୀମନ୍ଦିର ପରମ୍ପରା ଅନୁସାରେ ଏହି ମନ୍ତବ୍ୟ ଗ୍ରହଣୀୟ ନୁହେଁ ବୋଲି ସେମାନେ କହିଛନ୍ତି। ଅତୀତରେ ରାଜା ରାଜୁଡ଼ା ଅମଳରୁ ଶ୍ରୀମନ୍ଦିର ଭିତରକୁ ବିଦେଶୀଙ୍କ ପ୍ରବେଶ ନେଇ କଟକଣା ରହିଛି। ବିଦେଶୀ ଶକ୍ତିମାନେ ପୂର୍ବରୁ ଶ୍ରୀମନ୍ଦିରକୁ ଆକ୍ରମଣ କରି ଧ୍ଵଂସ କରିବା ପାଇଁ ଚେଷ୍ଟା କରିଛନ୍ତି। କିନ୍ତୁ ସେହି ସମୟରେ ଗଜପତି ମହାରାଜା ଓ ସେବାୟତମାନେ ଦୃଢ଼ ପ୍ରତିରୋଧ କରିବା ଯୋଗୁ ମହାପ୍ରଭୁଙ୍କ ପ୍ରତିମୂର୍ତ୍ତିକୁ ସୁରକ୍ଷା ଦେବା ସହ ଶ୍ରୀମନ୍ଦିରର ମଧ୍ୟ ସୁରକ୍ଷା କରିଛନ୍ତି। ବିଭିନ୍ନ କାରଣ ନେଇ ବିଦେଶୀଙ୍କୁ ଶ୍ରୀମନ୍ଦିର ପ୍ରବେଶ ଉପରେ ବାରଣ ରହିଛି।
ସେହିପରି ମହାପ୍ରଭୁଙ୍କୁ ଦର୍ଶନ କରିବାକୁ ବିଦେଶୀ ଭକ୍ତମାନଙ୍କ ପାଇଁ ସିଂହଦ୍ଵାରରେ ପତିତପାବନଙ୍କ ମୂର୍ତ୍ତି ରହିଛି। ପ୍ରତିବର୍ଷ ବଡଡ଼ଦାଣ୍ଡରେ ରଥଯାତ୍ରହେଉଥବା ବେଳେ ସେହି ସମୟରେ ସେମାନେ ପ୍ରଭୁ ଜଗନ୍ନାଥଙ୍କ ସାନିଧ୍ୟ ଲାଭ କରୁଛନ୍ତି। ତେବେ ରାଜ୍ୟପାଳଙ୍କ ତାଙ୍କର ବ୍ୟକ୍ତିଗତ ମତ ରଖିଥିବା ବେଳେ ଏହାକୁ କାର୍ଯ୍ୟକାରୀ କରିବା ସମ୍ଭବ ନୁହେଁ ବୋଲି ସେବାୟତ ଓ ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ପ୍ରତିକ୍ରିୟା ଦେଇଛନ୍ତି।