ନିର୍ବାଚନ ଜିତିଲେ ନିଜାମଙ୍କ ଦାସତ୍ୱର ଚିହ୍ନବର୍ଣ୍ଣ ଲିଭାଇ ଦେବୁ: ତେଲେଙ୍ଗାନା ବିଜେପି ମୁଖ୍ୟ

Published By : Prameya-News7 Bureau | February 10, 2023 IST

ନୂଆଦିଲ୍ଲୀ: ବିଜେପି ଜିତିଲେ ରାଜ୍ୟରେ ମୋଗଲ ଶାସନର ଚିହ୍ନବର୍ଣ୍ଣ ଲିଭାଇ ଦେବୁ। ସେକ୍ରେଟେରିଏଟ୍‌ରେ ଯେତେ ବି ଗମ୍ବୁଜ ତିଆରି ହେଉଛି ସେସବୁ ନିଜାମଙ୍କ ଶାସନ ସମୟରେ ଦାସ୍ୱତ୍ୱର ଚିହ୍ନ। ବିଜେପି ଜିତିଲେ ଏସବୁ ଭାଙ୍ଗିଦିଆଯିବ ବୋଲି ଶୁକ୍ରବାର ତେଲେଙ୍ଗାନା ବିଜେପି ଅଧ୍ୟକ୍ଷ ବନ୍ଦୀ ସଞ୍ଜୟ କୁମାର କହିଛନ୍ତି।

ତେଲେଙ୍ଗାନା କୁକଟପାଲ୍ଲୀ ବିଧାନସଭା ନିର୍ବାଚନ ମଣ୍ଡଳୀ ଅଧିନରେ ଥିବା ଓଲ୍ଡ ବୋଏନପାଲ୍ଲୀରେ 'ଜନମ ଗୋସା-ବିଜେପି ଭରୋସା' ଯାତ୍ରାରେ ଯୋଗ ଦେଇ ଏପରି କହିଛନ୍ତି ସଞ୍ଜୟ।

ସେ କହିଛନ୍ତି " ଯଦି ଆମେ ନିର୍ବାଚିତ ହୋଇ କ୍ଷମତାକୁ ଆସିଲୁ ତେବେ ଆମେ ତେଲେଙ୍ଗାନାରେ ନିଜାମଙ୍କର ସମସ୍ତ ସାଂସ୍କୃତିକ ପ୍ରତୀକକୁ ନଷ୍ଟ କରିଦେବୁ। ସେକ୍ରେଟେରିଏଟ୍‌ରେ ତିଆରି ହେଉଥିବା ନୂଆ ଗମ୍ବୁଜଗୁଡ଼ିକ ବି ଭାଙ୍ଗିଦେବୁ। ଆମେ ଏଥିରେ ଏମିତି ପରିବର୍ତ୍ତନ କରିବୁ ଯେମିତି ଏହା ଭାରତୀୟ ତେଲେଙ୍ଗାନା ସଂସ୍କୃତିରେ ଝଲସିବ।" କେବବ ସେତିକି ନୁହେଁ ତେଲାଙ୍ଗାନା ମୁଖ୍ୟମନ୍ତ୍ରୀ ପ୍ରଗତି ଭବନକୁ ସେ ପ୍ରଜା ଦରବାରରେ ପରିଣତ କରିବାକୁ ଶ୍ରୀ ସଞ୍ଜୟ ଘୋଷଣା କରିଛନ୍ତି।  

ଏଥିସହିତ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେସିଆର୍‌ ମୁସଲମାନ ତୋଷ ରାଜନୀତି କରୁଛନ୍ତି ବୋଲି ଶ୍ରୀ ସଞ୍ଜୟ ଅଭିଯୋଗ କରିଛନ୍ତି। ମୁଖ୍ୟମନ୍ତ୍ରୀ କେସିଆର୍ କେବଳ ଅସଦୁଦ୍ଦିନ ଓୱେସୀଙ୍କୁ ଖୁସୀ କରିବା ପାଇଁ ସେକ୍ରେଟେରିଏଟ୍‌କୁ ତାଜମହଲ ଓ ସମାଧିରେ ପରିଣତ କରିଦେଇଛନ୍ତି ବୋଲି ସଞ୍ଜୟ କହିଛନ୍ତି। ସେହିପରି ରାସ୍ତା ତିଆରି ବାଧକ ସାଜୁଥିବା ସମସ୍ତ ପୂଜା ସ୍ଥଳକୁ ଭାଙ୍ଗିଦିଆଯିବ ବୋଲି କେସିଆର୍‌ଙ୍କ ବୟାନକୁ ନେଇ ମଧ୍ୟ ଟାର୍ଗେଟ୍ କରିଛନ୍ତି ସଞ୍ଜୟ। ସେ କହିଛନ୍ତି ଯେ ମୁଁ ଚ୍ୟାଲେଞ୍ଜ କରୁଛି ମୁଖ୍ୟମନ୍ତ୍ରୀ ଯଦି ପାରୁଛନ୍ତି ରାସ୍ତାରେ ତିଆରି ହୋଇଥିବା ମସ୍‌ଜିଦ୍‌ଗୁଡ଼ିକ ଭାଙ୍ଗି ଦିଅନ୍ତୁ ବୋଲି ସଞ୍ଜୟ କହିଛନ୍ତି।    

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.