ନୂଆଦିଲ୍ଲୀ: ବାଂଲାଦେଶ ବିପକ୍ଷ ଦ୍ଵିତୀୟ ଦିନିକିଆରେ ଆହତ ହୋଇଥିବା ଅଧିନାୟକ ରୋହିତ ଶର୍ମା ଟେଷ୍ଟ ସିରିଜ୍ ଖେଳିବେ କି ନାହିଁ ଆଶଙ୍କା ପ୍ରକାଶ ପାଇଛି। ଏହା ମଧ୍ୟରେ ବିସିସିଆ ସଂପାଦକ ଜୟ ଶାହ କହିଛନ୍ତି ଯେ, ରୋହିତ ଶର୍ମାଙ୍କ ବାଂଲାଦେଶ ବିପକ୍ଷ ଦୁଇ ମ୍ୟାଚ୍ର ଟେଷ୍ଟ ସିରିଜ୍ ଖେଳିବେ କି ନାହିଁ ସେ ନେଇ ନିଷ୍ପତ୍ତି ପରେ ନିଆଯିବ। ଦ୍ଵିତୀୟ ଦିନିକିଆରେ ଫିଲ୍ଡିଂ ସମୟରେ ରୋହିତଙ୍କ ଆଙ୍ଗୁଠିରେ ଆଘାତ ଲାଗିଥିଲା। ହାତରେ ଷ୍ଟିଜ୍ ବି ପଡିଥିଲା। ଆହତ ପରେ ମଧ୍ୟ ରୋହିତ ଶର୍ମା ବ୍ୟାଟିଂ କରିବାକୁ ଆସିଥିଲେ ଏବଂ ୨୮ ବଲ୍ରୁ ବିସ୍ଫୋରକ ବ୍ୟାଟିଂ କରି ୫୧ ରନର ଅପରାଜିତ ଇନିଂସ ଖେଳିଥିଲେ। ହେଲେ ଦଳକୁ ପରାଜୟରୁ ବଞ୍ଚାଇ ପାରିନଥିଲେ ରୋହିତ।
ବିସିସିଆଇ ପକ୍ଷରୁ ଜାରି ପ୍ରେସ୍ ବିଜ୍ଞପ୍ତି ଅନୁଯାୟୀ, ବିସିସିଆଇର ଡାକ୍ତରୀ ଦଳ ରୋହିତ ଶର୍ମାଙ୍କ ଯାଞ୍ଚ କରିଛନ୍ତି। ସ୍ଥାନୀୟ ହସ୍ପିଟାଲ୍ରେ ସ୍କାନିଂ କରାଯାଇଛି। ତେବେ ବିଶେଷଜ୍ଞ ଡାକ୍ତରଙ୍କୁ ଦେଖାଇବା ପାଇଁ ରୋହିତ ଶର୍ମା ମୁମ୍ବାଇ ଅଭିମୁଖେ ଯାତ୍ରା କରିଛନ୍ତି। ସେ ଶେଷ ଦିନିକିଆ ଖେଳିବେ ନାହିଁ। ଟେଷ୍ଟ ସିରିଜ୍ରେ ତାଙ୍କର ଖେଳିବା ନେଇ ନିଷ୍ପତ୍ତି ପରେ ନିଆଯିବ।
ବିସିସିଆଇ ଆହତ ଦ୍ରୁତ ବୋଲର ଦୀପକ ଚହର ଏବଂ କୁଲଦୀପ ସେନଙ୍କୁ ବେଙ୍ଗାଲୁରୁ ସ୍ଥିତି ଜାତୀୟ କ୍ରିକେଟ୍ ଏକାଡେମୀ(ଏନସିଏ) ଯିବାକୁ କୁହାଯାଇଛି। ଶାହ କହିଛନ୍ତି, ଦ୍ରୁତ ବୋଲର କୁଲଦୀପ ସେନ ପ୍ରଥମ ଦିନିକିଆ ପରେ ଅଣ୍ଟାରେ ଆଘାତ ଲାଗିଥିବା ଅଭିଯୋଗ କରିଥିଲେ। ବିସିସିଆଇ ଡାକ୍ତରୀ ଦଳ ତାଙ୍କୁ ବିଶ୍ରାମ ନେବାକୁ ପରାମର୍ଶ ଦେଇଛନ୍ତି। ସେହି ପରି ଦ୍ଵିତୀୟ ଦିନିକିଆରେ ଜଂଘରେ ଆଘାତ ଲାଗିବାରୁ ଦୀପକ ଚହର ମଧ୍ୟ ଦିନିକିଆ ଶୃଙ୍ଖଳାରୁ ବାଦ୍ ପଡିଛନ୍ତି। ଉଭୟ ଦ୍ରୁତ ବୋଲର ଏବେ ଏନସିଏ ଯିବେ।