ପତ୍ନୀ ବାରମ୍ବାର ପୋଲିସକୁ ଯାଉଥିଲେ ଓ ଆତ୍ମହତ୍ୟା ଧମକ ଦେଉଥିଲେ ବୁଝାଯିବ ସ୍ୱାମୀ ଉତ୍ପୀଡ଼ନ:  ହାଇକୋର୍ଟ

Published By : Prameya-News7 Bureau | July 12, 2022 IST

ଚଣ୍ଡିଗଡ଼ ୧୨।୭: ଯଦି କୌଣସି ମହିଳା ବାରମ୍ବାର ସ୍ୱାମୀ ଓ ତାଙ୍କ  ପରିବାର ଲୋକଙ୍କ ବିରୋଧରେ ପୋଲିସ ଅଭିଯୋଗ କରୁଥାନ୍ତି ଓ ଆତ୍ମହତ୍ୟା ଲାଗି ଧମକ ଦେଉଥାନ୍ତି  ଏହାକୁ ସ୍ୱାମୀ ଉପରେ ଅତ୍ୟାଚାର ବୁଝାଯିବ ବୋଲି ପଞ୍ଜାବ ହରିୟାଣା ହାଇକୋର୍ଟ କହିଛନ୍ତି। ହାଇକୋର୍ଟଙ୍କ ଜଜ୍ ଜଷ୍ଟିସ୍ ଋତୁ ବହାରୀ ଓ ଜଷ୍ଟିସ୍ ମିନାକ୍ଷୀ ମେହେଟ୍ଟାଙ୍କ ପୀଠ ମାମଲାରେ ପଞ୍ଚକୁଲା ଫ୍ୟାମିଲି କୋର୍ଟଙ୍କ ରାୟକୁ ଖାରଜ କରି ଏକ ଦମ୍ପତ୍ତିଙ୍କ ଛାଡପତ୍ର ଦାବିକୁ ମଞ୍ଜୁର କରିଛନ୍ତି।

ଏହି ଅବସରରେ ପୀଠ ସ୍ପଷ୍ଟ ରୂପେ ଯଦି କୌଣସି ମହିଳା ବାରମ୍ବାର ପୋଲିସରେ ତାଙ୍କ ସ୍ୱାମୀ ଓ ସ୍ୱାମୀଙ୍କ ପରିବାର ଲୋକଙ୍କ ବିରୋଧରେ ଅଭିଯୋଗ କରୁଥାନ୍ତି ଏବଂ ଆତ୍ମହତ୍ୟା ଧମକ ଦେଉଥାନ୍ତି ତେବେ ଏହାକୁ ସ୍ୱାମୀଙ୍କ ପ୍ରତି ନିର୍ଯାତନା ବୁଝାଯିବ ବୋଲି କହିଛନ୍ତି। ଶୁଣାଣି ବେଳେ କୋର୍ଟ କହିଛନ୍ତି ଯେ ଯଦିଓ ପୋଲିସରେ ଦିଆଯାଇଥିବା ଅଭିଯୋଗ ପ୍ରତ୍ୟାହାର ହୋଇଥାଏ ତଥାପି ଏହା ସ୍ୱାମୀଙ୍କ ଲାଗି ସମସ୍ୟାର କାରଣ ହୋଇଥାଏ। ହାଇକୋର୍ଟ ମାମଲାର ଶୁଣାଣିରେ ପତି ପତ୍ନୀ ୭ ବର୍ଷ ହେଲା ପୃଥକ ରହୁଛନ୍ତି। ଏଣୁ ଏହାକୁ ନିଷ୍କ୍ରିୟ ବିବାହ ବୋଲି କହିଥିବା ବେଳେ ସ୍ୱାମୀଙ୍କ ଛାଡପତ୍ର ଦାବିକୁ ମଞ୍ଜୁର କରିଛନ୍ତି।

ଏହି ମାମଲାକୁ ପଞ୍ଚକୁଲା ଫ୍ୟାମିଲି କୋର୍ଟ ୨୦୧୯ ମସିହାରେ ଅଗ୍ରାହ୍ୟ କରିଦେଇଥିଲେ। ସ୍ୱାମୀ ଆବେଦନରେ ତାଙ୍କ ବିବାହ ୨୬ ସେପ୍ଟେମ୍ବାର ୨୦୧୯ରେ ହୋଇଥିବା କହିଥିଲେ। ଦମ୍ପତ୍ତିଙ୍କର କୌଣସି ସନ୍ତାନସନ୍ତତି ନାହାନ୍ତି। ତାଙ୍କ ପତ୍ନୀ ତାଙ୍କଠୁ ପୃଥକ ରହୁଥିବା ଉଲ୍ଲେଖ କରିଥିଲେ। ତାଙ୍କ ପତ୍ନୀ ପିତ୍ରାଳୟକୁ ଯିବା ପରଠାରୁ ତାଙ୍କୁ ମିଥ୍ୟା ମାମଲାରେ ଫଶେଇବାକୁ ଧମକ ଦେଉଥିବା ଓ ବାରମ୍ବାର ଆତ୍ମହତ୍ୟା କରିବାକୁ ଧମକାଉଥିବାର ଅଭିଯୋଗ କରିଥିଲେ।

କେବଳ ଏତିକି ନୁହେଁ ୨ ମାର୍ଚ୍ଚ ୨୦୧୫ରେ କ୍ରାଇମ ଏଗେଁଷ୍ଟ ୱିମେନରେ ତାଙ୍କ ମା, ଭଉଣୀ ସମେତ ପରିବାରର ଅନ୍ୟ ଲୋକଙ୍କ ବିରୋଧରେ ଅଭିଯୋଗ କରିବା ଓ ପରେ ପ୍ରତ୍ୟାହାର କରିନେବା ଯୋଗୁ ପରିବାର ଲୋକଙ୍କୁ ୫ ଥର ପୋଲିସରେ ହାଜର ହେବାକୁ ପଡିଥିଲା ବୋଲି ସ୍ୱାମୀ ଦର୍ଶାଇଛନ୍ତି। ଏହା ଛଡା ଅମ୍ବାଲା ଏସିପିଙ୍କ ନିକଟରେ ସ୍ୱାମୀଙ୍କ ବିରୋଧରେ ଅଭିଯୋଗ ଯୋଗୁ ଗିରଫ ହେବାକୁ ପଡିଥିବା ଓ ପରେ କୋର୍ଟରେ ବୟାନ ନ ଦେବା ଯୋଗୁ ସେ ନିର୍ଦ୍ଦୋଷରେ ମୁକ୍ତ ହୋଇଥିବା ଉଲ୍ଳେଖ କରିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.