ଦଳ ବଦଳରେ ଭାଙ୍ଗିଲା ହୃଦୟ ! ଟିଏମସିରେ ସାମିଲ ହେଲେ ପତ୍ନୀ, ଅସନ୍ତୁଷ୍ଟ ବିଜେପି ସାଂସଦ ପଠାଇବେ ତଲାକ ନୋଟିସ୍

Published By : Prameya-News7 Bureau | December 21, 2020 IST

କୋଲକାତା ୨୧।୧୨: ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ପାଇଁ ଜାରି ରାଜନୈତିକ ଲଢେଇ ଏବେ ପାରିବାରିକ ଲଢେଇର ରୂପ ନେଇଛି।  ବିଜେପି ସାଂସଦ ସୌମିତ୍ର ଖାନଙ୍କ ପତ୍ନୀ ସୁଜାତା ମଣ୍ଡଳ ତୃଣମୂଳ କଂଗ୍ରେସରେ ସାମିଲ ହେବା ମାତ୍ରେ ଘରୋଇ କଳହ ଏବେ ପଦାରେ ପଡିଛି। ପତ୍ନୀ ଟିଏମସିରେ ସାମିଲ ହେବା ପରେ ବିଜେପି ସାଂସଦ ସୌମିତ୍ର ଖାନ ଏବେ ନିଜ ପତ୍ନୀଙ୍କୁ ଛାଡପତ୍ର ଦେବାକୁ ଚିନ୍ତା କରୁଛନ୍ତି। ସେ ସୁଜାତାଙ୍କୁ ଛାଡପତ୍ର ନୋଟିସ୍ ପଠାଇବାକୁ ନିଷ୍ପତ୍ତି ନେଇଛନ୍ତି। ଉଲ୍ଲେଖଯୋଗ୍ୟ, ସୌମିତ୍ର ଖାନ ବିଷ୍ଣୁପୁରରୁ ସାଂସଦ ଏବଂ ଭାରତୀୟ ଜନତା ଯୁବା ମୋର୍ଚ୍ଚାର ସଭାପତି ମଧ୍ୟ ଅଛନ୍ତି।

ସୁଜାତା ମଣ୍ଡଳ ପାରିବାରିକ କଳହର ଖୁଲାସା  କରି କୋଲକାତାରେ ଆୟୋଜିତ ଟିଏମସିର ସାମ୍ବାଦିକ ସମ୍ମିଳନୀରେ ପାର୍ଟିରେ ଯୋଗ ଦେଇଛନ୍ତି। ଏବେ ସୌମିତ୍ର ଖାନ ତଲାକ ନୋଟିସ୍ ପଟାଇବାକୁ ନିର୍ଣ୍ଣୟ ନେଇଛନ୍ତି। ଏଥି ସହ ସୁଜାତା ଖାନଙ୍କ କାର ଏବଂ ବରଜୋରା ସ୍ଥିତ ଘରର ସୁରକ୍ଷା ପ୍ରତ୍ୟାହାର କରି ନିଆଯାଇଛି।

ଟିଏମସିରେ ସାମିଲ ହେବା ପରେ ସୁଜାତା ଖାନା କହିଛନ୍ତି, ବିଜେପି ବହୁତ ସୁବିଧାବାଦୀ ପାର୍ଟି। ବିଜେପି ଏବେ ଭ୍ରଷ୍ଟ ଏବଂ ସୁବିଧାବାଦୀ ଲୋକଙ୍କ ଆଡ୍ଡା ସ୍ଥଳୀରେ ପରିଣତ ହୋଇଛି। ବିଜେପିରେ ମୋର କୌଣସି ସମ୍ମାନ ନଥିଲା। ମୁଁ ପାର୍ଟି ପାଇଁ କଠୋର ପରିଶ୍ରମ କରିଥିଲି ମାତ୍ର ଏବେ ବିଜେପିରେ ମୋର କୌଣସି ସମ୍ମାନ ନାହିଁ। ଜଣେ ମହିଳା ହୋଇଥିବା ଯୋଗୁଁ ମୋର ପାର୍ଟିରେ  ରହିବା ମୁସ୍କିଲ ହୋଇ ପଡିଥିଲା।

ସୁଜାତା ଖାନ ସୁଭେନ୍ଦୁ ଅଧିକାରୀଙ୍କୁ ଧୋକାବାଜ୍‌ର ଆଖ୍ୟା ଦେଇ କହିଛନ୍ତି। ଅନେକ ବର୍ଷ ପାର୍ଟିରୁ ଫାଇଦା ନେବା ପରେ ସେ ଅବସରବାଦୀଙ୍କ ପରି ଦଳ ଅଦଳ ବଦଳ କରିଛନ୍ତି। ଏହା ତୃଣମୂଣ ପାଇଁ ବାସ୍ତବରେ ବହୁତ ଭଲ ହୋଇଛି।

ସୁଜାତା ଖାନ ଅଭିଯୋଗ କରିଛନ୍ତି ଯେ, ବିଜେପିରେ ନୂତନ ଲୋକ, ଅନୁପଯୁକ୍ତ ଓ ଦୁର୍ନୀତିଖୋର ନେତାଙ୍କୁ ବିଶ୍ଵସ୍ତ ଲୋକଙ୍କଠୁ  ଅଧିକ ପ୍ରାଧ୍ୟାନ୍ୟ ଦିଆଯାଉଛି। ଟିଏମସି ସାଂସଦ ସୌଗାତ ରାୟ ଓ ମୁଖପାତ୍ର କୃଣାଲ ଘୋଷଙ୍କ ଉପସ୍ଥିତିରେ ସୁଜାତା ଟିଏମସିରେ ସାମିଲ ହୋଇଛନ୍ତି।

ଉଲ୍ଲେଖଯୋଗ୍ୟ, ୨୦୧୯ ଲୋକସଭା ନିର୍ବାଚନ ସମୟରେ ଏକ କୋର୍ଟ କେସ୍‌ କାରଣରୁ ସୌମିତ୍ରଙ୍କୁ ତାଙ୍କ ନିର୍ବାଚନ କ୍ଷେତ୍ର ଯିବା ଉପରେ ରୋକ୍ ଲାଗିଥିଲା। ସେହି ସମୟରେ ସୁଜାତା ସ୍ଵାମୀଙ୍କ ପାଇଁ ନିର୍ବାଚନ ପ୍ରଚାର କରିଥିଲେ। ସୁଜାତାଙ୍କ ନିଷ୍ପତ୍ତି ଉପରେ ସୌମିତ୍ର କହିଛନ୍ତି ଯେ, ଆଗକୁ କଣ କରାଯିବ ତାହା ସେ ନିଜେ କରିବେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.