ମାଲକାନଗିରି: ଇଣ୍ଟରନେଟ ଯୁଗରେ ଆଣ୍ଡ୍ରୋଏଡ ମୋବାଇଲ ଫୋନର ଆବଶ୍ୟକତା ବଢିବାରେ ଲାଗିଛି। ଏହି ମୋବାଇଲ ଫୋନ ପାଇଁ କିଏ ସର୍ବହରା ହେଉଛି ତ ଆଉ କାହାର ଜୀବନ ଯାଉଛି। ଏହି ମୋବାଇଲ ଫୋନ ପାଇଁ ସ୍ତ୍ରୀ ହାରିଲେ ଜୀବନ ଓ ସ୍ୱାମୀ ଅସୁସ୍ଥ ହୋଇ ହସ୍ପିଟାଲରେ ଜୀବନ ମରଣ ସହିତ ସଙ୍ଘର୍ଷ କରୁଛନ୍ତି । ଏପରି ଅଭାବନୀୟ ଘଟଣା ଘଟିଛି ମାଲକାନଗିରି ଜିଲ୍ଲାରେ।
ମାଲକାନଗିରି ଜିଲ୍ଲା ଅନ୍ତର୍ଗତ ଏମପି ଭି ୧୪ ଗ୍ରାମରେ ଏହି ଘଟଣା ଘଟିଛି। ସେହି ଗ୍ରାମର କହ୍ନାଇ ନାମକ ଯୁବକ ଗତ ଦେଢ଼ ବର୍ଷ ତଳେ ଜ୍ୟୋତି ନାମୀ ଜଣେ ଯୁବତୀଙ୍କୁ ବିବାହ କରିଥିଲେ । ସ୍ତ୍ରୀ ଜ୍ୟୋତି ଏକ ଦାମୀ ମୋବାଇଲ ଫୋନ କିଣିଦେବା ପାଇଁ ସ୍ୱାମୀ ଙ୍କୁ ବାରମ୍ବାର କହି ଆସୁଥିଲେ। କହ୍ନାଇ ପାଖରେ ଅଧିକ ଟଙ୍କା ନଥିବାରୁ ସେ ସ୍ତ୍ରୀ ଜ୍ୟୋତି ପାଇଁ ଫାଇନାନ୍ସରେ ଏକ ମୋବାଇଲ କିଣିଦେଇଥିଲା । ତେବେ କହ୍ନାଇ ଫାଇନାନ୍ସରେ ଫୋନ କିଣିବା କଥା ଜ୍ୟୋତି ଜାଣି ନଥିଲା। ତେବେ ଏହାର ଶେଷ କିସ୍ତି ସରିବା ପରେ ଫାଇନାନ୍ସ ଅଫିସର ଜଣେ କର୍ମଚାରୀ ଦସ୍ତଖତ ପାଇଁ କହ୍ନାଇଙ୍କୁ ଘରକୁ ଯାଇଥିଲେ। ଏହି ସମୟରେ କହ୍ନାଇ ଘରେ ନଥିଲେ।
ତେବେ ଏହି ଫାଇନାନ୍ସ କଥା ଜ୍ୟୋତି ଜାଣିବାକୁ ପାଇଲେ। ଏହି ମୋବାଇଲ ଫୋନ କିଣା କୁ ନେଇ ଉଭୟ ସ୍ୱାମୀ ସ୍ତ୍ରୀ ଙ୍କ ମଧ୍ୟରେ ଝଗଡା ଲାଗିଯାଇ ଥିଲା । ଘରେ ସ୍ୱାମୀ ନଥିବା ବେଳେ ରାଗିକି ସ୍ତ୍ରୀ ଜ୍ୟୋତି ବିଷ ପିଇଦେଇଥିଲେ । ଏହି ଘଟଣା ଦେଖି କହ୍ନାଇ ନିଜର ମାନସିକ ଭାରସାମ୍ୟ ହରାଇ ଅଚେତ ହୋଇ ପଡି ଗୁରୁତର ହୋଇ ଯାଇଥିଲେ । ସେ ଦୁହିଁଙ୍କୁ ଗ୍ରାମବାସୀ ମାଲକାନଗିରି ମୁଖ୍ୟ ଚିକିତ୍ସାଳୟକୁ ନେଇଯାଇଥିଲେ। ଚିକିତ୍ସାଳୟରେ ପହଁଚିବା ପରେ ଡାକ୍ତର ଜ୍ୟୋତିକୁ ମୃତ ଘୋଷଣା କରିଥିବା ବେଳେ କହ୍ନାଇ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଚିକିତ୍ସା ହେଉଥିବାର ଜଣା ପଡ଼ିଛି । ପୁଲିସ ଘଟଣାସ୍ଥଳରେ ପହଁଛି ତଦନ୍ତ ଆରମ୍ଭ କରିଛି। ଏହି ଘଟଣା ସମଗ୍ର ଏମ ପିଭି ୧୪ ଗ୍ରାମରେ ଶୋକର ଛାୟା ଖେଳିଯାଇଛି।