ମୋରଡ଼ାରେ ଡବଲ ମର୍ଡର : ଶାଶୁ ଓ ସ୍ତ୍ରୀକୁ କୁରାଢ଼ୀରେ ଛେଚି ହତ୍ୟା
17/06/2019 at 7:59 AM

ମୋରଡ଼ା ୧୭/୬ : ମୋରଡ଼ା ଥାନା ଘୋଡାବନ୍ଧା ଖୁଣ୍ଟାପାଳରେ ଡବଲ ମର୍ଡର ଘଟଣା ଘଟିଛି । ଶାଶୁ ଓ ସ୍ତ୍ରୀକୁ କୁରାଢ଼ୀରେ ଛେଚି ହତ୍ୟା କରିଛି ଜ୍ୱାଇଁ । ମୃତକ ହେଲେ ସ୍ତ୍ରୀ ମମତା ମହାନ୍ତ ଓ ଶାଶୁ ସୁନିତା ମହାନ୍ତ । ପାରିବାରିକ କଳହକୁ କେନ୍ଦ୍ର କରି ହତ୍ୟାକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି । ହତ୍ୟାକାରୀ ସ୍ବାମୀ ପୂର୍ଣ୍ଣଚନ୍ଦ୍ର ମହାନ୍ତକୁ ପୋଲିସ ଅଟକ ରଖି ପଚରାଉଚୁରା କରୁଛି ।

ସୂଚନାଯୋଗ୍ୟ ଯେ, ଗତକାଲି ପୂର୍ଣ୍ଣଚନ୍ଦ୍ର ମଦ ପିଇ ଆସିବା ପରେ ଘରେ ପାଟିତୁଣ୍ଡ କରିବା ସହ ମାରପିଟ୍ ମଧ୍ୟ କରିଥିଲା । ଏନେଇ ଥାନାରେ ଅଭିଯୋଗ କରିବାକୁ ଯାଇଥିଲେ ସ୍ତ୍ରୀ ଓ ଶାଶୁ । ତେବେ ପୋଲିସ କିଛି ନଶୁଣିବାରୁ ଦୁହେଁ ଫେରିଆସିଥିଲେ । ଘରକୁ ଫେରିବା ପରେ ପୁଣି ପାଟିତୁଣ୍ଡ ହେବା ସହ କୁରାଢୀରେ ଦୁଇ ଜଣଙ୍କୁ ଛେଚି ହତ୍ୟା କରିଥିଲା ପୂର୍ଣ୍ଣଚନ୍ଦ୍ର । ଖବରପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚିବା ପରେ ଅଭିଯୋଗ ନଶୁଣିଥିବାରୁ ପୋଲିସକୁ ଅଟକ ରଖିଛନ୍ତି ଗାଁ ଲୋକେ ।