ବିଧବା ମହିଳାଙ୍କୁ ବିବାହ ପ୍ରଲୋଭନ, ଦୁଷ୍କର୍ମ ପରେ ଗର୍ଭପାତ କରାଇଥିଲା ବ୍ୟାଙ୍କ କର୍ମଚାରୀ
22/08/2020 at 9:49 AM

ବାଲିଅନ୍ତା ୨୨।୮: ବିଧବା ମହିଳାଙ୍କୁ ବିବାହ ପ୍ରଲୋଭନ ଦେଖାଇ ଜଣେ ବ୍ୟାଙ୍କ କର୍ମଚାରୀ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ସଂପୃକ୍ତ ବ୍ୟାଙ୍କ କର୍ମଚାରୀଙ୍କ ନାମରେ ବାଲିଅନ୍ତା ଥାନାରେ ମହିଳା ଜଣଙ୍କ ଅଭିଯୋଗ କରିଛନ୍ତି। ଘଟଣାର ତଦନ୍ତ ଆରମ୍ଭ କରିଛି ପୋଲିସ ।
ସୂଚନାଯୋଗ୍ୟ ଯେ, ନୟାଗଡ ଜିଲ୍ଲା ଫତେଗଡ ଅଞ୍ଚଳର ଜଣେ ମହିଳା ଭୂଷଣ କମ୍ପାନିରେ ଚାକିରି କରିଥିବା ଜଣେ ଯୁବକଙ୍କୁ ବିବାହ କରିଥିଲେ। ବିବାହର କିଛିଦିନ ପରେ ମହିଳାଙ୍କ ସ୍ବାମୀଙ୍କ ପରଲୋକ ହୋଇଥିଲା। ସ୍ବାମୀଙ୍କ ମୃତ୍ୟୁ ପରେ ବିଧବା ପତ୍ନୀଙ୍କୁ କମ୍ପାନି ତରଫରୁ ୭ ଲକ୍ଷ ଟଙ୍କାର ସହାୟତା ମିଳିଥିଲା । ଏହି ଟଙ୍କା ପାଇବା ପରେ ମହିଳା ଚକେଇଶିଆଣୀ ଅଞ୍ଚଳରେ ରହି ବିଡିଏ କାର୍ଯ୍ୟାଳୟରେ ଠିକା କର୍ମଚାରୀ ଭାବେ କାର୍ଯ୍ୟ କରୁଥିଲେ।
ଏହି ସମୟରେ ଅଟଳା-ପୁରୀ ମେନ୍ କେନାଲ ଅଞ୍ଚଳର ଏକ ଆପାର୍ଟମେଣ୍ଟର ବାସିନ୍ଦାଙ୍କ ସହ ତାଙ୍କର ଭେଟ ହୋଇଥିଲା । ପରେ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା । ଏସମସ୍ତ ଘଟଣା ସଂପୃକ୍ତ ବ୍ୟକ୍ତିଙ୍କ ପରିବାର ଲୋକ ମଧ୍ୟ ଅବଗତ ଥିଲେ। ପ୍ରେମ ସମ୍ପର୍କ ପରେ ସଂପୃକ୍ତ ବ୍ୟକ୍ତିଙ୍କ ଲୋଲୁପ ଦୃଷ୍ଟି ପଡିଥିଲା ମହିଳାଙ୍କ ଟଙ୍କା ଉପରେ। ସଂପୃକ୍ତ ବ୍ୟକ୍ତି ମହିଳାଙ୍କୁ ବିବାହର ପ୍ରଲୋଭନ ଦେଖାଇ ବାରମ୍ବାର ଦୁଷ୍କର୍ମ କରିବା ସହ ତାଙ୍କ ନିକଟରେ ଥିବା ଲକ୍ଷାଧିକ ଟଙ୍କା ହଡପ କରିଥିଲେ।
ବାରମ୍ବାର ଦୁଷ୍କର୍ମ ପରେ ମହିଳା ଜଣଙ୍କ ଗର୍ଭବତୀ ହୋଇଥିଲେ । ବିବାହ କଥା କହିବାରୁ ସଂପୃକ୍ତ ବ୍ୟକ୍ତି ସମୟ ଗଡାଇ ଚାଲିଥିଲେ। ମହିଳାଙ୍କୁ ନେଇ ଜୋର ଜବରଦସ୍ତି ଗର୍ଭପାତ କରାଇଥିଲେ। ବିରୋଧ କରିବାରୁ ତାଙ୍କୁ ସଂପୃକ୍ତ ବ୍ୟକ୍ତି ଓ ତାଙ୍କ ପରିବାର ଲୋକେ ବିଭିନ୍ନ ସମୟରେ ମାଡ଼ ମାରିବା ସହ ଶାରୀରିକ ଓ ମାନସିକ ନିର୍ଯାତନା ଦେଇ ଜୀବନରୁ ମାରିଦେବାକୁ ମଧ୍ୟ ଧମକ ଦେଇ ଆସୁଥିଲେ।
ଏନେଇ ମହିଳା ଜଣଙ୍କ ଥାନାରେ ଜଣାଇବାକୁ ଯାଉଥିବା ସମୟରେ ବାଲିଅନ୍ତା ସାଇଫନ୍ ନିକଟରେ ମଧ୍ୟ ସଂପୃକ୍ତ ବ୍ୟକ୍ତିଙ୍କ ପରିବାର ଲୋକେ ପହଞ୍ଚି ତାଙ୍କୁ ମାଡ଼ ମାରିଥିଲେ। ଏହି ସମୟରେ ବାଲିଅନ୍ତା ଥାନା ପିସିଆର ତାଙ୍କୁ ଉଦ୍ଧାର କରିଥିଲା।
ମହିଳା ଜଣଙ୍କ ଭୁବନେଶ୍ୱର ମହିଳା ଥାନାରେ ଗତ ଅଗଷ୍ଟ ୧୭ ତାରିଖରେ ଲିଖିତ ଅଭିଯୋଗ କରିବା ପରେ ମହିଳା ଥାନା ପୋଲିସ ମାମଲା ରୁଜୁ କରି ତଦନ୍ତ କରୁଛି । ସଂପୃକ୍ତ ବ୍ୟକ୍ତି ଓ ତାଙ୍କ ପରିବାର ଲୋକଙ୍କୁ ଗିରଫ କରିବାକୁ ମହିଳା ଜଣଙ୍କ ଦାବି କରିଛନ୍ତି।