Retail icon award
Retail icon award
728*90
728*90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

୨୭ ବର୍ଷ ଧରି ଅଟକିଛି ‘ମହିଳା ସଂରକ୍ଷଣ ବିଲ୍‌’: ଦିନେ ଯୋଗୀ ଆଦିତ୍ୟନାଥ ବି କରିଥିଲେ ବିରୋଧ

19/09/2023 at 7:04 PM

ନୂଆଦିଲ୍ଲୀ,୧୯/୯: କେନ୍ଦ୍ର କ୍ୟାବିନେଟ୍‌ରେ ମୋହର ବାଜିଛି ବହୁ ପ୍ରତୀକ୍ଷିତ ମହିଳା ସଂରକ୍ଷଣ ବିଲ୍ । ସୋମବାର ସଂଧ୍ୟାରେ କ୍ୟାବିନେଟ ବୈଠକ ଡକାଇଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଏଥିରେ ଅନେକ ଗୁରୁତ୍ୱପୂର୍ଣ୍ଣ ବିଲ୍ ସମ୍ପର୍କରେ ଆଲୋଚନା ହୋଇଥିଲା। ପୂର୍ବରୁ ଏକାଧିକ ରାଜନୈତିକ ଦଳ ମହିଳା ସଂରକ୍ଷଣ ବିଲ୍ ଉପସ୍ଥାପନା କରିବାକୁ ନେଇ ଦାବି କରୁଥିବା ବେଳେ ଶେଷରେ କ୍ୟାବିନେଟ୍ ମୋହର ବାଜିଛି। ଏହି ବିଲ୍‌କୁ ନେଇ ରୋଚକ ତଥ୍ୟ ସାମନାକୁ ଆସିଛି।

ଏହି ବିଲ୍‌କୁ ସର୍ବପ୍ରଥମେ ୧୯୯୬ ସେପ୍ଟେମ୍ବର ମାସରେ ଏଚଡି ଦେବେଗୌଡାଙ୍କ ସରକାର ଉପସ୍ଥାନପନା କରିଥିଲେ। ଏହି ବର୍ଷକୁ ଛାଡ଼ିଦେଲେ ପ୍ରତି ସରକାର ମହିଳା ଆରକ୍ଷଣ ବିଲ୍‌କୁ ବିରୋଧ କରିଥିଲେ। ୨୦୧୦ରେ ଉପା ସରକାର ଏହି ବିଲ୍‌କୁ ରାଜ୍ୟସଭାରେ ପାରିତ କରିବାରେ ସଫଳ ହୋଇଗଲା କିନ୍ତୁ ଲୋକସଭାରେ ଅଟକି ରହିଲା। ଏହି ବିଲ୍‌କୁ ଆଜି କ୍ୟାବିନେଟ୍‌ରେ ମଞ୍ଜୁରୀ ମିଳିଲା ସତ କିନ୍ତୁ ଯଦି ଏହାର ଇତିହାସ ଉପରେ ନଜର ପକାଇବେ, ତେବେ ୨୭ ବର୍ଷର ଯାତ୍ରା ସହଜ ନଥିଲା। ତେବେ କିଏ ଏହି ବିଲ୍‌କୁ ସଂସଦରେ ଉପସ୍ଥାପନ କରିଥିଲେ ଓ କିଏ ଏହାକୁ ବିରୋଧ କରିଥିଲେ ଆସନ୍ତୁ ଜାଣିବା।

୧୯୯୬ ସେପ୍ଟେମ୍ବର ମାସରେ ଏଚଡି ଦେବେଗୌଡାଙ୍କ ସରକାର ଉପସ୍ଥାନପନା କରିଥିଲେ। ସେତେବେଳେ ୧୩ ପାର୍ଟିକୁ ମିଶାଇ ୟୁନାଇଟେଡ୍‌ ମେଣ୍ଟ ଥିଲା। କିନ୍ତୁ ଜନତା ଦଳ ଓ ଅନ୍ୟ କିଛି ଦଳ ଏହାକୁ ସମର୍ଥନ କରିନଥିଲେ। ବିରୋଧ ସମୟରେ ମହିଳା ସଂରକ୍ଷଣ ବିଲ୍‌କୁ ସିପିଆଇର ଗୀତା ମୁଖାର୍ଜୀ ନେତୃତ୍ୱରେ ୩୧ ସଂସଦୀୟ ସଂୟୁକ୍ତ ସମିତି ନିକଟକୁ ପଠାଯାଇଥିଲା। ଏହି ସମିତିରେ ନୀତୀଶ କୁମାର, ଶରଦ ପାଓ୍ୱାର, ବିଜୟ ଭାସ୍କର ରେଡ୍ଡୀ, ମମତା ବାନାର୍ଜୀ, ମୀରା କୁମାର, ସୁମିତ୍ରା ମହାଜନ, ସୁଷମା ସ୍ୱରାଜ, ସୁଶୀଲ କୁମାର ସିନ୍ଧେ, ଉମା ଭାରତୀ, ଗୀରିଜା ବ୍ୟାସ, ରାମଗୋପାଲ ଯାଦବ ଓ ଇନ୍ନାଇ ମୌଲ୍ଲାହ ସାମିଲ ଥିଲେ।

୩୧ ସଦସ୍ୟ ଏହି କମିଟି ବିଲ୍‌ରେ ବଡ଼ ପ୍ରସ୍ତାବ ରଖିଥିଲେ। l ସେମାନେ କହିଥିଲେ ଯେ- ଏହି ବିଲରେ ମହିଳାଙ୍କ ସଂରକ୍ଷଣ ସମ୍ପର୍କରେ ‘ଏକ ତୃତୀୟାଂଶରୁ କମ୍ ନୁହେଁ’ ଯାହା ସ୍ପଷ୍ଟ ଭାବେ କୁହାଯାଇନି। କମିଟିର ପରାମର୍ଶ ଥିଲା ଯେ ଏହାକୁ ‘ପ୍ରାୟ ଏକ ତୃତୀୟାଂଶ’ ଲେଖାଯିବା ଉଚିତ ଯାହା ଦ୍ୱାରା ଏହା ସ୍ପଷ୍ଟ ହୋଇପାରିବ। ତେବେ ୩୧ ସଦସ୍ୟ କମିଟିର ଅଂଶ ବିହାରର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ବି ଥିଲେ। ସେ ଏଥିରେ ଅସହମତି ପ୍ରକାଶ କରି କହିଥିଲେ ଯେ ମହିଳା ମହିଳା ସଂରକ୍ଷଣରେ ଅନୁସୂଚିତ ଜାତି ଓ ଜନଜାତି ମହିଳାଙ୍କ ପାଇଁ ବି ସଂରକ୍ଷଣ ରହିବା ଦରକାର ବୋଲି କହିଥିଲେ।

୧୯୯୭ ମେ ୧୬ରେ ଲୋକସଭାରେ ପୁଣି ଥରେ ମହିଳା ସଂରକ୍ଷଣ ବିଲ୍‌ ଉପସ୍ଥାପନ କରାଯାଇଥିଲା। କିନ୍ତୁ ଏହି ଏଥର ଶାସକ ମେଣ୍ଟ ହିଁ ବିରୋଧ କହିଥିଲା ‘ମହିଳା ସଂରକ୍ଷଣ ବିଲ୍ କେବଳ ସହରୀ ମହିଳା ଉପକୃତ ହେବେ। ସହରୀ ମହିଳାମାନେ ଆମର ଗ୍ରାମୀଣ ମହିଳାମାନଙ୍କୁ କିପରି ପ୍ରତିନିଧିତ୍ୱ କରିବେ? ଶରତ ଯାଦବଙ୍କ ଏହି ବୟାନ ବିବାଦ ଛିଡ଼ା କରାଇଥିଲା। ଶରଦଙ୍କ ଛାଡ଼ା ଅନ୍ୟ ହିନ୍ଦୀ ଭାଷା କ୍ଷେତ୍ରର ନେତାମାନେ ଏହି ବିଲ୍କୁ ଜୋରଦାର ବିରୋଧ କରିଥିଲେ।

୧୯୯୮ରେ ଏହି ବିଲ୍‌କୁ ଆରଜେଡି ଓ ସମାଜବାଦୀ ସାଂସଦ ବିରୋଧ କରିଥିଲେ। ଏପରିକି ଲୋକସଭାରେ ବାଚସ୍ପତିଙ୍କ ଠାରୁ ବିଲ୍‌ କପିକୁ ଭିଡ଼ିଆଣି ଚିରିଦେଇଥିଲେ ଆରଜେଡି ସାଂସଦ ସୁରେନ୍ଦ୍ର ପ୍ରସାଦ ଯାଦବ। ତାଙ୍କ ସ୍ୱପ୍ନରେ ବିଆର୍‌ ଆମ୍ବେଦକର ଆସିଥିଲେ ବୋଲି ସେ କହିଥିଲେ। ୧୯୯୮ ଡିସେମ୍ବର ୧୧ରେ ମହିଳା ସଂରକ୍ଷଣ ବିଲ୍‌ ଆଗତ ବେଳେ ବିଭିନ୍ନ ଦଳ ଭିତରେ ତର୍କ ହୋଇଥିଲା। ଏପରିକି ତତ୍କାଳୀନ ସମାଜବାଦ ପାର୍ଟିର ସାଂସଦ ଦରେଗା ପ୍ରସାଦଙ୍କ କଲ୍‌ର୍ ଧରି ମମତା ବାନାର୍ଜୀ ସଦନ ବାହାରକୁ ବାହାର କରିଦେଇଥିଲେ।

ଭରତୀୟ ଜନତା ପାର୍ଟିଙ୍କ ନେତୃତ୍ୱରେ ଏନ୍‌ଡିଏ ସରକାର ୧୯୯୮, ୧୯୯୯, ୨୦୦୨ ଏବଂ ୨୦୦୩-୨୦୦୪ ବିଲ୍‌ ପାରିତ କରିବାକୁ ଚେଷ୍ଟା କରିଥିଲେ ବି ଜନତା ଦଳ ଓ ସମାଜବାଦୀ ପାର୍ଟିର ସାସଂଦ ବିରୋଧ କରିଥିଲେ। ୨୦୦୪ରୁ ଭାରତୀୟ ଜନତା ପାର୍ଟି ଯିବା ପରେ କଂଗ୍ରେସ ତଥା ତତ୍କାଳୀନ ପ୍ରଧାନମନ୍ତ୍ରୀ ଡକ୍ଟର ମନମୋହନ ସିଂଙ୍କ ନେତୃତ୍ୱରେ ୟୁପିଏ ସରକାର ମଧ୍ୟ ଏହି ବିଲ୍ ପାରିତ କରିବାକୁ ଚେଷ୍ଟା କରିଥିଲେ କିନ୍ତୁ ବିଫଳ ହୋଇଥିଲେ।

୨୦୦୮ରେ, ୟୁପିଏ ସରକାର ରାଜ୍ୟସଭାରେ 108 ତମ ସାମ୍ବିଧାନିକ ସଂଶୋଧନ ଭାବେ ମହିଳା ସଂରକ୍ଷଣ ବିଲକୁ ଉପସ୍ଥାପନ କରିଥିଲେ। ୨୦୧୦ ମାର୍ଚ୍ଚ ୯ରେ ବହୁମତରେ ଏହି ବିଲ୍ ପାରିତ ହୋଇଥିଲା। ବିଜେପି, ବାମପନ୍ଥୀ ଦଳ ଏବଂ ଜେଡିୟୁ ଏହି ବିଲକୁ ସମର୍ଥନ କରିଥିଲେ। ହେଲେ ସମାଜବାଦୀ ପାର୍ଟି ଓ ରାଷ୍ଟ୍ରିୟ ଜନତା ଦଳ ଏହାକୁ ବିରୋଧ କରିଥିଲେ। ଏହି ଦୁଇ ଦଳ ସେତେବେଳେ ଉପା ସରକାର ଅଂଶ ଥିଲା। ତେବେ ସରକାର ମେଣ୍ଟ ଭାଙ୍ଗିଯିବା ଭୟରେ ଲୋକସଭାରେ ଆଗତ କରିନଥିଲେ।

୨୦୧୦ରେ ମହିଳା ସଂରକ୍ଷଣ ବିଲ୍‌କୁ ନେଇ ଚର୍ଚ୍ଚା ହୋଇଥିଲା। ସେତେବେଳେ ଭାରତୀୟ ଜନତା ପାର୍ଟି ବିଲ୍‌କୁ ସମର୍ଥନ ଦେଇଥିଲେ। କିନ୍ତୁ ବର୍ତ୍ତମାନର ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ବିରୋଧ କରିଥିଲେ। ଟାଇମ୍ସ ଅଫ୍‌ ଇଣ୍ଡିଆ ପ୍ରକାଶିତ ଖବର ଅନୁସାରେ ହିନ୍ଦୁ ଯୁବ ବାହିନୀର ମୁଖପତ୍ର ହିନ୍ଦ୍ୱୀରେ ତାଙ୍କର ଏକ ଲେଖା ଛପାଯାଇଥିଲା। ଏଥିରେ ସେ ମହିଳାମାନଙ୍କୁ ସମ୍ମାନ କରି ଲେଖିଥିଲେ ସତ କିନ୍ତୁ କିନ୍ତୁ ସଂସଦରେ 33 ପ୍ରତିଶତ ସଂରକ୍ଷଣକୁ ବିରୋଧ କରି ସେ ଲେଖିଥିଲେ।- ସାମ୍ବିଧାନିକ ସ୍ଥିତି ଏବଂ ଆଇନଗତ ହେତୁ ସଂରକ୍ଷଣକୁ ପ୍ରତ୍ୟକ୍ଷ ବିରୋଧରୁ ରହିଯିବା। କିନ୍ତୁ ସବୁ ଶ୍ରେଣୀର ଏବଂ ସୁଯୋଗରୁ ବଞ୍ଚିତ ହୋଇଥିବା ଲୋକଙ୍କ ମନରେ ବ୍ୟାପକ ଅସନ୍ତୋଷ ଦେଖାଦେଇଛି। ଏପରି ପରିସ୍ଥିତିରେ ଏପରି ଫାଟକୁ ବିସ୍ତାର ନକରିବା କିମ୍ବା ଅନ୍ୟ ଏକ ଫାଟ ସୃଷ୍ଟି ନକରିବା ଆମର ପ୍ରୟାସ ହେବା ଉଚିତ୍।

ତେବେ ୨୦୧୭ରେ ଯେବେ ଏନେଇ ଚର୍ଚ୍ଚା ହେଲା, ସେହି ସମୟରେ କଂଗ୍ରେସ ନେତା ରଣଦୀପ ସୁରଜେବାଲା ଏହି ଆଲେଖ୍ୟକୁ ନେଇ ଯୋଗୀ ଆଦିତ୍ୟନାଥ କ୍ଷମା ମାଗିବା ପାଇଁ ଦାବି କରିଥିଲେ। ତେବେ ଏହି ପ୍ରସଙ୍ଗକୁ ନେଇ ରାଜନୀତି ହେବା ପରେ ହିନ୍ଦବୀର ପୂର୍ବ ସମ୍ପାଦକ ପ୍ରଦୀପ ରାବ କହିଥିଲେ ଯେ ଏହି ଖବର ଛପାଯିବା ସମୟରେ ଯୋଗୀ ଆଦିତ୍ୟନାଥ ମୁଖ୍ୟ ସମ୍ପାଦକ ଥିଲେ।

ମହିଳା ସଂରକ୍ଷଣ ବିଲ୍ କଣ, ଆସନ୍ତୁ ଜାଣିବା- ଲୋକସଭା ଏବଂ ବିଧାନସଭା ନିର୍ବାଚନରେ ମହିଳାମାନଙ୍କ ପାଇଁ ଏକ ତୃତୀୟାଂଶ ସିଟ୍ ସଂରକ୍ଷଣ କରିବାକୁ ଏହି ବିଲରେ ଏକ ବ୍ୟବସ୍ଥା ରହିଛି। ବର୍ତ୍ତମାନ ଲୋକସଭାରେ ୭୮ ଜଣ ମହିଳା ସାଂସଦ ଅଛନ୍ତି ଯାହା ସମୁଦାୟ ସାଂସଦଙ୍କ ୧୪ ପ୍ରତିଶତ ଅଟେ। ସେହିପରି ରାଜ୍ୟସଭାରେ ମହିଳା ସାଂସଦଙ୍କ ସଂଖ୍ୟା ମାତ୍ର ୧୭ ପ୍ରତିଶତ ଥିବାବେଳେ ଅନେକ ରାଜ୍ୟ ସଭାରେ ମହିଳାଙ୍କ ପ୍ରତିନିଧିତ୍ୱ ୧୦ ପ୍ରତିଶତରୁ କମ୍ ରହିଛି।

   Related Posts