ଯୁଦ୍ଧରେ କ୍ଷତିଗ୍ରସ୍ତ ପରେ ବି ଭାରତ ଠାରୁ ଖୁସି ୟୁକ୍ରେନ; କାହିଁକି ?
22/03/2023 at 10:11 PM

ନୂଆଦିଲ୍ଲୀ: ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ଗୋଟିଏ ଲୋକପ୍ରିୟ ପ୍ରଶ୍ନ ଅନେକ ସମୟରେ ଭାଇରାଲ୍ ହୁଏ। ତାହା ହେଲା- ଆପଣମାନେ ଖୁସି ତ ? ମୁଖ୍ୟମନ୍ତ୍ରୀଙ୍କର ଏହି ପ୍ରଶ୍ନରେ ଆପଣ କି ଉତ୍ତର ଦେବେ ଜାଣୁନା। ତେବେ ୱାର୍ଲ୍ଡ ହାପିନେସ୍ ରିପୋର୍ଟ ୨୦୨୩ ତଥ୍ୟ କହୁଛି ଭାରତୀୟମାନେ ଖୁସି ନାହାନ୍ତି। ଏମିତିକି ଯୁଦ୍ଧ କ୍ଷତିଗ୍ରସ୍ତ ଦେଶର ଲୋକମାନଙ୍କ ଠାରୁ ବି ଦୁଃଖୀ ଭାରତୀୟ।
ଯୁଦ୍ଧକୁ ସାମ୍ନା କରୁଥିବା ୟୁକ୍ରେନ୍, ଋଷ, ପାକିସ୍ତାନ, ଇରାକ ଏବଂ ଶ୍ରୀଲଙ୍କାର ଲୋକମାନେ ଯେତିକି ଖୁସି ଅଛନ୍ତି ଭାରତୀୟମାନେ ସେତିକି ଖୁସି ନାହାନ୍ତି ବୋଲି ରିପୋର୍ଟରେ କୁହାଯାଇଛି। ହାପିନେସ୍ ଇଣ୍ଡେକ୍ସରେ ଥିବା ୧୩୭ ଦେଶମାନଙ୍କ ତାଲିକାରେ ଭାରତର ସ୍ଥାନ ୧୨୬ ରହିଛି।
୨୦୨୨ ପୂରା ବିଶ୍ୱ ପାଇଁ ଭଲରେ ଯାଇନଥିଲା। କରୋନା ତାଣ୍ଡବ ସାଙ୍ଗକୁ ଯୁଦ୍ଧ, ଭୂମିକମ୍ପ, ବନ୍ୟା ବାତ୍ୟା ଭଳି ପ୍ରାକୃତିକ ବିପର୍ଯ୍ୟୟ, ଆତଙ୍କବାଦ, ମହଙ୍ଗାମାଡ଼ ସାଙ୍ଗକୁ ଦୁର୍ବଳ ଅର୍ଥନୀତିର ନିଅଁଣ୍ଟିଆ ସ୍ଥିତି ଦେଇ ପୂରା ବିଶ୍ୱ ଜୁଝିଥିଲା। କିନ୍ତୁ ଏତେସବୁ ବିପର୍ଯ୍ୟୟ ପରେ କେଉଁ ଦେଶ କେତେ ଖୁସୀରେ ରହିଛି ସେ ନେଇ ଏକ ଗବେଷଣା କରାଯାଇଥିଲା। ଯେଉଁଥିରେ ଭାରତ ସ୍ଥିତି ଅତି ଦୟନୀୟ।
ଏହି ରିପୋର୍ଟ ଅନୁସାରେ ବିଶ୍ୱର ସବୁଠାରୁ ଖୁସୀରେ ରହୁଥିବା ଦେଶ ହେଲା ଫିନ୍ଲାଣ୍ଡ। ତା ପଛକୁ ରହିଛି ଡେନ୍ମାର୍କ ଓ ଆଇ୍ସଲାଣ୍ଡ। ଲଗାତର ୬ ବର୍ଷ ହେଲା ଫିନ୍ଲାଣ୍ଡ ଏହି ତାଲିକାରେ ଶୀର୍ଷ ରହି ଆସୁଛି। ଖୁସୀ ଦେଶ ତାଲିକାରେ ଅଧିକାଂଶ ୟୁରୋପୀୟ ଦେଶଗୁଡ଼ିକ ଆଗରେ ରହିଛନ୍ତି। ସେହିପରି ଆଫଗାନିସ୍ତାନ ଓ ଲେବାନନକୁ ରିପୋର୍ଟରେ ସବୁଠାରୁ ଦୁଃଖୀ ରାଷ୍ଟ୍ର ବୋଲି କୁହାଯାଉଛି। ଅନ୍ୟପଟେ ଶ୍ରୀଲଙ୍କା ହାପିନେସ୍ ତାଲିକାରେ ୧୧୨ରେ ରହିଥିବା ବେଳେ ପାକିସ୍ତାନ ୧୦୮ ଓ ଇରାକ ୯୮, ୟୁକ୍ରେନ୍ ୯୨ ସ୍ଥାନରେ ରହିଛି।
ମୂଳତଃ ୫ଟି ପ୍ରଶ୍ନର ଉତ୍ତରକୁ ଆଧାର କରି ହାପିନେସ୍ ରିପୋର୍ଟ ପ୍ରସ୍ତୁତ କରାଯାଇଛି। ବିଶ୍ୱାସ ଓ ପରୋପକାର, ରାଜ୍ୟର ପ୍ରଭାବଶୀଳତା, ପରପୋକାର ବ୍ୟବହାର ଯାହା ନିଜ ଖୁସି ସହିତ ସମାଜର ଖୁସି ଉପରେ ପ୍ରଭାବ ପକାଇଥାଏ। ଏବଂ କେମିତି ସୋସିଆଲ୍ ମିଡିଆ ଆମକୁ ଖୁସି ଓ ଦୁଃଖୀରେ ଥିବାର ମାପକ ହୋଇଥାଏ ଏହିସବୁ କାରଣ ଆଦିରୁ ଖୁସୀର ରିପୋର୍ଟ ପ୍ରସ୍ତୁତ କରାଯାଇଛି।
ରିପୋର୍ଟ ଅନୁସାରେ, ୨୦୨୦-୨୧ ୟୁକ୍ରେନ୍ ଓ ଋଷ ଯୁଦ୍ଧ ଯୋଗୁ ବିଶ୍ୱରେ ପରୋପକାର ବୃଦ୍ଧି ହୋଇଛି। ୟୁକ୍ରେନ୍ରେ ପରୋପକାର ବୃଦ୍ଧି ହୋଇଥିବା ବେଳେ ଋଷରେ କିନ୍ତୁ ଏହା ହ୍ରାସ ହୋଇଛି। ଯୁଦ୍ଧରେ ୟୁକ୍ରେନ୍ ଧ୍ୱସ୍ଥବିଧ୍ୱସ୍ତ ହୋଇଯାଇଥିଲେ ବି ଜୀବନର ମୂଲ୍ୟାୟନ ଉଚ୍ଚାରେ ରହିଛି। ୨୦୨୨ ପରଠାରୁ ଉଭୟ ଦେଶର ସରକାର ମଧ୍ୟରେ ଆତ୍ମବିଶ୍ୱାସ ବୃଦ୍ଧି ହୋଇଥିବା ବେଳେ ୟୁକ୍ରେନ୍ରେ ଅଧିକ ରହିଛି। ୨୦୨୨ ଋଷ ଦଖଲ କରିଥିବା ୟୁକ୍ରେନ୍ ସ୍ଥାନରେ ଋଷକୁ କମ୍ ସମର୍ଥନ ମିଳିଛି। ସରକାର ପ୍ରଭାବ ଲୋକମାନଙ୍କର ଖୁସିକୁ ଅଧିକ ପ୍ରଭାବିତ କରିଛି।
ଦୟା ଦେଖାଇବାର ସାଧାରଣ ସ୍ୱଭାବ ଯଥା ଅଜଣା ବ୍ୟକ୍ତିଙ୍କୁ ସହଯୋଗର ହାତ ବଢ଼ାଇବା, ନିଜସ୍ୱ ସହଯୋଗ ଓ ସମସ୍ତ ସମାଜମଙ୍ଗଳକାମ ଏସବୁ ଯୋଗୁ ମହାମାରୀ ପୂର୍ବର ଖୁସୀର ସ୍ତର ଠାରୁ ବି ଉପରେ ରହିଛି। ତେବେ ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଲା ଭାରତରେ କୌଣସି ବଡ଼ ପ୍ରାକୃତିକ ବିପର୍ଯ୍ୟୟ ହୋଇ ନାହିଁ, କି ଅନ୍ୟ ଦେଶ ଭଳି ଅର୍ଥନୀତି ଭୁଶୁଡ଼ି ପଡ଼ି ନାହିଁ। ବରଂ ଏଇ କରୋନା କାଳ ମଧ୍ୟରେ ଭାରତରେ ଶତାଧିକ ୟୁନିକର୍ଣ୍ଣ ତିଆରି ହୋଇଛନ୍ତି। ବ୍ୟବସାୟୀଙ୍କ ସଂଖ୍ୟା ବଢ଼ିଛି। କେନ୍ଦ୍ର ସରକାରଙ୍କ ଭାଷାରେ ଭାରତ ଆତ୍ମନିର୍ଭର ଦିଗକୁ ମାଡ଼ିଛି। ତଥାପି ଆମ ଦେଶ ଖୁସୀ ନାହିଁ କାହିଁକି ? ଆପଣ କଣ ଭାବୁଛନ୍ତି ଭାରତରେ ପରୋପକାର ହ୍ରାସ ପାଉଛି ?