କ୍ୟାପ୍ସୁଲରେ ସବୁବେଳେ ଦୁଇଟି ରଙ୍ଗ କାହିଁକି ଥାଏ ? ଜାଣନ୍ତୁ ଏହା ପଛର କାରଣ

Published By : Prameya-News7 Bureau | December 14, 2021 IST

ଭୁବନେଶ୍ୱର ୧୪/୧୨ : ଆପଣଙ୍କ ଦେହ ଖରାପ ହେଲେ ଆପଣ ଔଷଧ ଖାଆନ୍ତି। ବେଳେ ବେଳେ ଆପଣଙ୍କୁ ଡାକ୍ତର ଔଷଧ ତାଲିକାରେ କ୍ୟାପସୁଲ ଖାଇବା ପାଇଁ ମଧ୍ୟ ପରାମର୍ଶ ଦେଇଥାଆନ୍ତି। ଆପଣ ଲକ୍ଷ କରିଥିବେ ଏହି କ୍ୟାପସୁଲରେ ସବୁବେଳେ ଦୁଇଟି ରଙ୍ଗ ଥାଏ। ହେଲେ ଏପରି କାହିଁକି? ଆସନ୍ତୁ ଜାଣିବା ଏହାର କାରଣ…

କ୍ୟାପସୁଲରେ ଦୁଇଟି ଅଂଶ ଥାଏ। ଗୋଟିଏ ଅଂଶରେ ଔଷଧ ରଖାଯାଉଥିବା ବେଳେ ଅନ୍ୟ ଅଂଶଟି ତାକୁ ସୁରକ୍ଷିତ ଭାବେ ଘୋଡ଼ାଇ ରଖିବା ପାଇଁ ବ୍ୟବହାର କରାଯାଏ ଓ ଏହା ସବୁବେଳେ ଖାଲି ରହିଥାଏ । କ୍ୟାପସୁଲରେ ଔଷଧ ରଖାଯାଉଥିବା ଅଂଶକୁ କଣ୍ଟେନର କୁହାଯାଉଥିବା ବେଳେ ଏହାକୁ ସୁରକ୍ଷିତ ଭାବେ ଘୋଡ଼ାଇ ରଖିବା ପାଇଁ ବ୍ୟବହାର କରାଯାଉଥିବା ଖାଲି ଅଂଶକୁ କ୍ୟାପ ବୋଲି କୁହାଯାଏ। ଯଦି ଆପଣ କ୍ୟାପସୁଲକୁ ଭାଙ୍ଗି ଅଲଗା କରି ଦେଖିବେ ଏହି ପାର୍ଥକ୍ୟକୁ ଭଲ ଭାବେ ଜାଣିପାରିବେ।

କ୍ୟାପସୁଲ ତିଆରି କରିବା ସମୟରେ କେଉଁ ଭାଗଟି କଣ୍ଟେନର ଓ କେଉଁ ଭାଗଟି କ୍ୟାପ ତାହା ଜାଣିବା ପାଇଁ ଯେପରି ଔଷଧ ତିଆରି କରୁଥିବା କମ୍ପାନୀର କର୍ମଚାରୀମାନେ ଦ୍ୱନ୍ଦରେ ନପଡ଼ନ୍ତି ସେଥିପାଇଁ ଏହାର ଦୁଇଟି ଅଂଶରେ ଅଲଗା ରଙ୍ଗ ଦିଆଯାଇଥାଏ। କ୍ୟାପସୁଲର କ୍ୟାପ ଓ କଣ୍ଟେନରକୁ ଅଲଗା ରଖିବା ପାଇଁ ଔଷଧୀୟ କମ୍ପାନୀମାନଙ୍କୁ ଅଧିକ ଖର୍ଚ୍ଚାନ୍ତ ହେବାକୁ ପଡ଼ିଥାଏ।

ଏହି କ୍ୟାପସୁଲ ଜିଲୋଟିନ ଓ ସେଲ୍ୟୁଲୋଜ ନାମକ ପଦାର୍ଥରୁ ତିଆରି ହୋଇଥାଏ। ସମୟକ୍ରମେ କିଛି ଦେଶରେ ଜିଲୋଟିନରେ କ୍ୟାପସୁଲ ତିଆରି କରିବା ପାଇଁ ରହିତାଦେଶ ଜାରି କରାଯାଇଛି। ଭାରତରେ ମଧ୍ୟ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କ୍ୟାପସୁଲ ତିଆରି ପାଇଁ ଜିଲୋଟିନ ଉପରେ ପ୍ରତିବନ୍ଧକ ଲଗାଇଛି। ଜିଲୋଟିନର ବିକଳ୍ପ ଭାବେ ସେଲ୍ୟୁଲୋଜକୁ ବ୍ୟବହାର କରିବା ପାଇଁ ମନ୍ତ୍ରଣାଳୟ ଅନୁମତି ପ୍ରଦାନ କରିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.