ଗଗନଯାନ ମିଶନ ପାଇଁ ଚୟନ ହୋଇଥିବା ୪ ଜଣଙ୍କ ମଧ୍ୟରେ କାହିଁକି ନାହାନ୍ତି ମହିଳା ? ଇସ୍ରୋ କହିଲା ଏହା ପଛର କାରଣ

Published By : Prameya-News7 Bureau | February 27, 2024 IST

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାର ଗଗନଯାନ ମିଶନରେ ମହାକାଶକୁ ଯିବାକୁ ଥିବା ଚାରି ଭାରତୀୟ ଆଷ୍ଟ୍ରୋନଟଙ୍କ ନାଁ ଘୋଷଣା କରିଛନ୍ତି । ଥିରୁଅନନ୍ତପୁରମ ସ୍ଥିତ ଥୁମ୍ୱାରେ ବିକ୍ରମ ସାରାଭାଇ ମହାକାଶ କେନ୍ଦ୍ରରେ ଗସ୍ତ କରି ମହାକାଶ କେନ୍ଦ୍ର ପରିଦର୍ଶନ କରିଥିଲେ । ଏଠାରେ ସେ ଗ୍ରୁପ କ୍ୟାପ୍ଟେନ ପ୍ରଶାନ୍ତ ବାଳକ୍ରିଷ୍ଣନ ନାୟର, ଅଙ୍ଗଦ ପ୍ରତାପ, ଅଜିତ୍ କୃଷ୍ଣନ ଏବଂ ୱିଙ୍ଗ କମାଣ୍ଡର ଶୁଭ୍ରାଂଶୁ ଶୁକ୍ଲାଙ୍କ ନାଁ ଗଗନଯାନ ମିଶନ ପାଇଁ ନାମିତ କରିଥିଲେ । ପ୍ରଧାନମନ୍ତ୍ରୀ ମୋଦୀ ଦେଶର ମହାକାଶ କାର୍ଯ୍ୟକ୍ରମରେ ମହିଳାଙ୍କ ଦ୍ୱାରା ନିର୍ବାହ କରାଯାଇଥିବା ଗୁରୁତ୍ୱପୂର୍ଣ୍ଣ ଭୂମିକା ଉପରେ ଜୋର ଦେଇଥିଲେ । ସେ କହିଥିଲେ ଯେ ଚନ୍ଦ୍ରଯାନ ଏବଂ ଗଗନଯାନ ପରି ମହାକାଶ ଅଭିଯାନରେ ମହିଳାଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ । ସେମାନଙ୍କ ବିନା ଏହା ସମ୍ଭବ ହୋଇପରିନଥାନ୍ତା । ତେବେ ଏହି ପ୍ରଶ୍ନ ମଧ୍ୟ ଉଠୁଛି ଯେ ଗଗନଯାନ ମିଶନ ପାଇଁ ମନୋନୀତ ମହାକାଶ ଯାତ୍ରୀଙ୍କ ମଧ୍ୟରେ କାହିଁକି ଜଣେ ବି ମହିଳା ନାହାନ୍ତି ।

ଏନଡିଟିଭିର ରିପୋର୍ଟ ଅନୁସାରେ, ମହାକାଶ ଯାତ୍ରା ପାଇଁ ଯାତ୍ରୀଙ୍କ ଚୟନ ପ୍ରକ୍ରିୟାରେ ଏହି ପ୍ରଶ୍ନର ଉତ୍ତର ମିଳୁଛି । ସାରା ଦୁନିଆରେ ଏହିପରି ମିଶନ ପାଇଁ ମନୋନୀତି ଆଷ୍ଟ୍ରୋନଟଙ୍କୁ ଟେଷ୍ଟ ପାଇଲଟ୍ ଗ୍ରୁପରୁ ଚୟନ କରାଯାଇଥାଏ । ଗଗନଯାନ ପାଇଁ ଚୟନ ସମୟରେ ଭାରତ ପାଖରେ କୌଣସି ମହିଳା ଟେଷ୍ଟ ପାଇଲଟ୍ ନଥିଲେ । ଉଲ୍ଲେଖଯୋଗ୍ୟ ଯେ ଟେଷ୍ଟ ପାଇଲଟ୍ ହାଇ୍ ସ୍କିଲ୍ଡ ଏଭିଏଟର୍ ହୋଇଥାନ୍ତି, ଯେଉମାନଙ୍କୁ ସେମାନଙ୍କ ସ୍ୱତନ୍ତ୍ର ଦକ୍ଷତା ପାଇଁ ଚୟନ କରାଯାଇଥାଏ । ଜରୁରୀ ସ୍ଥିତିରେ ଏମାନଙ୍କ ନିକଟରେ ଶାନ୍ତ ରହିବାର ଦକ୍ଷତା ରହିଥାଏ ଏବଂ ବାୟୁ ଯୋଦ୍ଧାଙ୍କ ମଧ୍ୟରେ ସବୁଠୁ ଦକ୍ଷ ହୋଇଥାନ୍ତି ।

ପଢନ୍ତୁ: ମହାକାଶକୁ ଯିବେ ୪ ଆଷ୍ଟ୍ରୋନଟ, ନାଁ ଘୋଷଣା କଲେ ପ୍ରଧାନମନ୍ତ୍ରୀ

ଇସ୍ରୋ ମୁଖ୍ୟ ଏସ୍.ସୋମନାଥ ଏହା ଉପରେ ବୟାନ ଦେଇଛନ୍ତି । ଏନଡିଟିଭିକୁ ସେ କହିଛନ୍ତି ଯେ ଭବିଷ୍ୟତରେ ମହିଳା ମହାକାଶଚାରୀଙ୍କୁ ସ୍ପେସ୍ ଫ୍ଲାଇଟରେ ପଠାଇବାରେ ଖୁସି ମିଳିବ । ସୋମନାଥ କହିଛନ୍ତି, 'ଭାରତକୁ ଖୁବ ଶୀଘ୍ର ମିଶନ ଏକ୍ସପର୍ଟଙ୍କ ଆବଶ୍ୟକତା ପଡ଼ିବ । ମହିଳାଙ୍କୁ ମହାକାଶ ଯାତ୍ରୀ ରୂପେ ଏହି ଭୂମିକାରେ ଭଲ ଭାବେ ଫିଟ୍ କରାଯାଇ ପାରିବ । ବର୍ତ୍ତମାନ ଗଗନଯାନର ପ୍ରଥମ କିଛି ମିଶନରେ ସେହି ଚାଳକ ଦଳ ଯାତ୍ରା କରିବେ ଯାହାଙ୍କୁ ଚୟନ କରାଯାଇଛି ଏବଂ ଯେଉଁମାନେ ପ୍ରଶିକ୍ଷିତ ।' ବିକ୍ରମ ସାରାଭାଇ ମହାକାଶ କେନ୍ଦ୍ରର ନିର୍ଦ୍ଦେଶକ ଡ.ଉନ୍ନିକୃଷ୍ଣନ ନାୟର ମଧ୍ୟ ଭବିଷ୍ୟତର ଯୋଜନା କହିଛନ୍ତି । ସେ କହିଛନ୍ତି ଯେ ଭବିଷ୍ୟତରେ ନିଶ୍ଚିତ ରୂପେ ମହିଳାଙ୍କୁ ଏଥିରେ ସାମିଲ କରାଯିବ, କାରଣ ଇସ୍ରୋ ପାଇଁ ଲିଙ୍ଗଗତ ନୁହେଁ କେବଳ ପ୍ରତିଭା ହିଁ ଗୁରୁତ୍ୱ ବହନ କରୁଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.