ନୂଆଦିଲ୍ଲୀ: ଆଇସିସି ଟି-୨୦ ବିଶ୍ଵ କପ୍ରେ ଦିନେଶ କାର୍ତ୍ତିକଙ୍କୁ ତୃତୀୟ ଥର ବ୍ୟାଟିଂର ସୁଯୋଗ ମିଳିଥିଲା। ହେଲେ ତୃତୀୟ ଥର ସେ ନିରାଶ କରିଛନ୍ତି। ବାଂଲାଦେଶ ବିପକ୍ଷରେ କାର୍ତ୍ତିକ ପାଞ୍ଚଟି ବଲ୍ରେ ସାତ ରନ କରି ରନ ଆଉଟ୍ ହୋଇଛନ୍ତି। ଦିନେଶ କାର୍ତ୍ତିକଙ୍କୁ ଯେବେ ଶୋରିଫୁଲ ଇସଲାମ ଆଉଟ୍ କଲେ, ସେହି ସମୟରେ ତାଙ୍କ ହାତରେ ବଲ୍ ନଥିଲା। ବଲ୍ ଷ୍ଟମ୍ପ ନଉଖାଡିବା ପରେ ବି ଦିନେଶ କାର୍ତ୍ତିକଙ୍କୁ ଆଉଟ୍ ଦିଆଯିବା କଥାକୁ କ୍ରିକେଟ୍ ପ୍ରଶଂସକ ବୁଝି ପାରି ନାହାନ୍ତି। ତେବେ ଚାଲନ୍ତୁ ଜାଣିବା କଣ କହୁଛି ଆଇସିସି ନିୟମ।
ବିରାଟ କୋହଲି ଷ୍ଟ୍ରାଇକ୍ରେ ଥିଲେ ଏବଂ ଶୋରିଫୁଲ ବୋଲିଂ କରୁଥିଲେ। ବିରାଟ କୋହଲି ସିଧା ଏକ୍ସଟ୍ରା କଭରକୁ ସଟ୍ ମାରିଥିଲେ, ଆଉ ସାକିବ ଅଲ ହସନ ବଲ୍ ଧରିବାରେ କୌଣସି ତ୍ରୁଟି କରିନଥିଲେ। ସେତେବେଳକୁ ଦିନେଶ କାର୍ତ୍ତିକ ତରବରିଆ ଭାବେ ରନ ଦେବା ପାଇଁ ଦୌଡି ସାରିଥିଲେ। ଦିନେଶ କ୍ରିଜ ବାହାରେ ଥିଲେ ଏବଂ ବୋଲରଙ୍କ ହାତ ଷ୍ଟମ୍ପରେ ବାଜି ବେଲ୍ ଖସି ସାରିଥିଲା। ଏହା ପରେ କାର୍ତ୍ତିକଙ୍କୁ ଆଉଟ୍ ଏଥିପାଇଁ ଦିଆଗଲା କାରଣ ବଲ୍ ପ୍ରଥମେ ଷ୍ଟମ୍ପକୁ ଛୁଇଁ ସାରିଥିଲା। ଏହା ପରେ ହିଁ ଶୋରିଫୁଲ୍ ଷ୍ଟମ୍ପ ଉଖାଡିଥିଲେ। ଆଇସିସି ନିୟମ ଅନୁଯାୟୀ, ଯଦି ବଲ୍ ଷ୍ଟମ୍ପକୁ ଛୁଇଁଛି ଏବଂ ଏହା ପରେ ଶରୀରର କୌଣସି ଅଂଶ ବାଜି ବେଲ୍ ଖସେ କିମ୍ବା ଲାଇଟ୍ ଜଳେ ତେବେ ବ୍ୟାଟରଙ୍କୁ ଆଉଟ୍ ଦିଆଯାଏ।
ତେବେ ଚଳିତ ବିଶ୍ଵ କପ୍ରେ ଦିନେଶ କାର୍ତ୍ତିକ ଦଳକୁ ନିରାଶ କରିଛନ୍ତି। ତିନୋଟି ସୁଯୋଗ ପାଇବି ଏହାର ଫାଇଦ ଉଠାଇବାରେ ବିଫଳ ହୋଇଛନ୍ତି। ସେଥିପାଇଁ ତାଙ୍କ ଚୟନକୁ ନେଇ ଅନେକ ପୂର୍ବତନ ଖେଳାଳି ପ୍ରଶ୍ନ ଉଠାଇ ସାରିଛନ୍ତି। ହେଲେ ମୁଖ୍ୟ ପ୍ରଶିକ୍ଷକ କହିଛନ୍ତି ଯେ, ଦିନେଶ କାର୍ତ୍ତିକ ଯେଉଁ କ୍ରମରେ ବ୍ୟାଟିଂ କରିବାକୁ ଆସୁଛନ୍ତି, ସେହି ସମୟରେ ଅଧିକ ବଲ୍ ଖେଳିବାକୁ ସମୟ ମିଳିନଥାଏ। ମ୍ୟାଚ୍ କଥା କହିଲେ, ଆଜି ଭାରତ ପ୍ରଥମେ ବ୍ୟାଟିଂ କରି ୬ ଓ୍ଵିକେଟ୍ ହରାଇ ୧୮୪ ରନ କରିଥିଲା। ବିରାଟ କୋହଲି ୬୪ ରନର ଅପରାଜିତ ଇନିଂସ ଖେଳିଥିବା ବେଳେ କେଏଲ ରାହୁଲ ୩୨ ବଲ୍ରୁ ୫୦ ରନ କରିଥିଲେ। ସୂର୍ଯ୍ୟକୁମାର ଯାଦବ ୧୬ ବଲ୍ରୁ ୩୦ ରନର ଇନିଂସ ଖେଳିଥିଲେ। ଜବାବରେ ବାଂଲାଦେଶ ଡକଓ୍ଵର୍ଥ ଲୁଇସ ନିୟମ ହିସାବରେ ୫ ରନରେ ପରାସ୍ତ ହୋଇଛି।