ଫେଲ୍ ମାରିବ ଟିକା, ପୂର୍ବଠାରୁ ଅଧିକ ମାରାତ୍ମକ; କରୋନାର ନୂଆ ଭାରିଆଣ୍ଟକୁ ନେଇ ଚିନ୍ତାରେ ବୈଜ୍ଞାନିକ
7/11/2023 at 7:49 PM

ନୂଆଦିଲ୍ଲୀ: କରୋନା ଭୂତାଣୁର ପ୍ରକୋପରୁ ସାରା ବିଶ୍ୱ ଏବେ ବି ବାହାରି ପାରି ନାହିଁ । ଏହାରି ଭିତରେ କରୋନାର ନୂଆ ଏକ ଭାରିଆଣ୍ଟ ଚିନ୍ତା ବଢାଇଛି । କୋଭିଡ-୧୯ ଭାଇରସର ନିଜକୁ ବଦଳାଇ ପାରୁଥିବା କ୍ଷମତା ଉପରେ ନଜର ରଖୁଥିବା ବୈଜ୍ଞାନିକ ଏହି ନୂଆ ଭାରିଆଣ୍ଟକୁ ନେଇ ଚିନ୍ତିତ ଅଛନ୍ତି । କୋଭିଡ-୧୯ର ଏହି ଭାରିଆଣ୍ଟ ଅଧିକ ସଂକ୍ରାମକ ହୋଇପାରେ ଓ ଭ୍ୟାକ୍ସିନ ମଧ୍ୟ କାମ କରି ନପରେ । କରୋନାର ଏହି ନୂଆ ଭାରିଆଣ୍ଟ ନାଁ JN.୧ ରଖାଯାଇଛି । ଅଗଷ୍ଟ ୨୫ରେ ଲକ୍ଜମବର୍ଗରେ ଏହାକୁ ଚିହ୍ନଟ କରାଯାଇଥିଲା ।
ପଢନ୍ତୁ: ‘କରୋନା ପୀଡ଼ିତ ଅଧିକ ପରିଶ୍ରମ କର ନାହିଁ’, ବଢୁଥିବା ହୃଦ୍ଘାତ ମାମଲା ନେଇ କହିଲେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ
ଏହାପରେ ଇଂଲଣ୍ଡ, ଆଇସଲ୍ୟାଣ୍ଡ, ଫ୍ରାନ୍ସ ଓ ଆମେରିକା ମଧ୍ୟରେ ଏହାକୁ ଚିହ୍ନଟ କରାଯାଇଛି । ବର୍ତ୍ତମାନର ପ୍ରମୁଖ କୋଭିଡ୍ ଷ୍ଟ୍ରେନ୍ XBB ୧.୫ ଓ HV.୧ ତୁଳନାରେ ଏହି ଭାରିଆଣ୍ଟରେ ବଡ଼ ବ୍ୟବଧାନ ବୈଜ୍ଞାନିକଙ୍କୁ ଆଶ୍ଚର୍ଯ୍ୟଚକିତ କରାଇଛି । ଆମେରିକାରେ ଟିକାର ଯେଉଁ ସଦ୍ୟତମ ବୁଷ୍ଟର ଡୋଜ୍ ଦିଆଯାଇଥିଲା, ତାର ଲକ୍ଷ୍ୟ XBB ୧.୫ ଭାରିଆଣ୍ଟ ଥିଲା । ଅଧିକାଂଶ ଭାରିଆଣ୍ଟ ଏହି ଭାଇରସ୍ ଅର୍ଥାତ୍ XBB ୧.୫ର ବଂଶଜ ଅଟେ । ଏହାର ଅର୍ଥ ଯେ ଟିକା ସେହି ସବୁ ଭାରିଆଣ୍ଟ ଉପରେ ପ୍ରଭାବୀ । HV.୧ ଏକ ଅପେକ୍ଷାକୃତ ନୂଆ ଭାରିଆଣ୍ଟ ଓ ଏଥିରେ XBB ୧.୫ଠାରୁ କିଛି ଅନ୍ତର ରହିଛି । କିନ୍ତୁ ଏହା ମୁଖ୍ୟ ରୂପେ ନିଜ ମୂଳ ଷ୍ଟ୍ରେନ୍ ସହ ସମାନ ଅଟେ । କିନ୍ତୁ JN.୧ ସମ୍ପୂର୍ଣ୍ଣ ଭିନ୍ନ ଅଟେ ।
ଟାଇମ୍ସ ଅଫ୍ ଇଣ୍ଡିଆ ରିପୋର୍ଟ ଅନୁସାରେ, XBB ୧.୫ ତୁଳନାରେ HV.୧ରେ ୧୦ ଅତିରିକ୍ତ ୟୁନିକ୍ ମ୍ୟୁଟେସନ୍ ରହିଛି । କିନ୍ତୁ JN.୧ରେ XBB ୧.୫ ତୁଳନାରେ ୪୧ ଅତିରିକ୍ତ ୟୁନିକ୍ ମ୍ୟୁଟେସନ ରହିଛି । JN.୧ରେ ଅଧିକାଂଶ ପରିବର୍ତ୍ତନ ସ୍ପାଇକ୍ ପ୍ରୋଟିନରେ ଦେଖିବାକୁ ମିଳୁଛି । ଯାହା ସମ୍ଭବତଃ ଅଧିକ ସଂକ୍ରାମକ ଓ ପ୍ରତିରକ୍ଷା ଶକ୍ତିକୁ କମ କରିପାରେ । ଏହାର ଅର୍ଥ ବର୍ତ୍ତମାନର ଟିକା ଭାଇରସଠାରୁ ସୁରକ୍ଷା ଦେବାରେ ବିଫଳ ହୋଇପାରେ । ଉଲ୍ଲେଖଯୋଗ୍ୟ ଯେ ଯେତେବେଳେ କୌଣସି ଜିନ୍ର ଡିଏନଏରେ କୌଣସି ସ୍ଥାୟୀ ପରିବର୍ତ୍ତନ ହୁଏ ତାକୁ ମ୍ୟୁଟେସନ୍ କୁହାଯାଏ ।
Also Read: ହେଲଥ୍ କାନାଡାଙ୍କ ରିପୋର୍ଟରେ ଚାଞ୍ଚଲ୍ୟକର ତଥ୍ୟ, ଫାଇଜରଙ୍କ କରୋନା ଟିକାରେ ରହିଛି କ୍ୟାନସର କରାଉଥିବା ଭାଇରସ୍ ର ଡିଏନଏ