ପୁଣି କାଶ୍ମୀର କଥା କହିଲେ ପାକିସ୍ତାନର ପ୍ରଧାନମନ୍ତ୍ରୀ ଶହବାଜ ସରିଫ, ଭାରତ ସହ ଚାହୁଁଛନ୍ତି ସ୍ଥାୟୀ ଶାନ୍ତି
20/08/2022 at 9:00 PM

ନୂଆଦିଲ୍ଲୀ: ପାକିସ୍ତାନ ପ୍ରଧାନମନ୍ତ୍ରୀ ଶହବାଜ ସରିଫ ପୁଣି ଥରେ ଭାରତ ସହ ଶାନ୍ତି ନେଇ ବୟାନ ଦେଇଛନ୍ତି। ସେ କହିଛନ୍ତି ଦୁଇ ଦେଶ ପାଇଁ ଯୁଦ୍ଧ କୌଣସି ବିକଳ୍ପ ନୁହେଁ। ସେ କହିଛନ୍ତି ଭାରତ ସହ ସ୍ଥାୟୀ ଶାନ୍ତି ଚାହୁଁଛୁ ଏବଂ ଏଥିପାଇଁ କଥାବାର୍ତ୍ତା ହିଁ ଏକ ମାତ୍ର ମାଧ୍ୟମ। କୌଣସି ଦେଶ ପାଇଁ ଯୁଦ୍ଧ ସମାଧାନର ରାସ୍ତା ନୁହେଁ। ତେବେ ସେ ଏହା ମଧ୍ୟ କହିଛନ୍ତି, କିନ୍ତୁ ଶାନ୍ତି ଜାମ୍ମୁ କାଶ୍ମୀର ମାମଲା ସହ ଜଡ଼ିତ। ହାର୍ବର୍ଡ ୟୁନିଭର୍ସିଟିର ଏକ ଛାତ୍ର ପ୍ରତିନିଧିମଣ୍ଡଳ ସହ କଥାବେଳେ ଏହି କଥା କହିଛନ୍ତି।
ପାକ୍ ପିଏମ କହିଛନ୍ତି, ପାକିସ୍ତାନ କ୍ଷେତ୍ରରେ ଶାନ୍ତିର ପକ୍ଷରେ ଅଛି ଏବଂ କ୍ଷେତ୍ରୀୟ ଶାନ୍ତି ୟୁନାଇଟେଡ୍ ନେସନ ରିଡଲ୍ୟୁସନ ଅନୁସାରେ ଜାମ୍ମୁ କାଶ୍ମୀର ପ୍ରସଙ୍ଗ ସମାଧାନ ଉପରେ ନିର୍ଭର କରୁଛି । ସେ କହିଛନ୍ତି, ଆମେ ଭାରତ ସହ ସ୍ଥାୟୀ ଶାନ୍ତି ଚାହୁଁଛୁ ଏବଂ କଥାବାର୍ତ୍ତା ହିଁ ଏକ ମାତ୍ର ମାଧ୍ୟମ। ଯୁଦ୍ଧ ଦୁଇ ଦେଶ ମଧ୍ୟରୁ କାହାରି ବି ବିକଳ୍ପ ନୁହେଁ।
ଶାହବାଜ ସରିଫ କହିଛନ୍ତି, ଇସଲାମାବାଦ ଏବଂ ନୂଆଦିଲ୍ଲୀ ବ୍ୟବସାୟ, ଅର୍ଥବ୍ୟବସ୍ଥା ଏବଂ ନିଜ ନାଗରିକଙ୍କ ଜୀବନ ସ୍ତରରେ ସୁଧାର ଆଣିବା ପାଇଁ ପ୍ରତିଯୋଗିତା କରିବା ଦରକାର। ଉଲ୍ଲେଖଯୋଗ୍ୟ ଯେ, ସୀମା ଆରପଟୁ ହେଉଥିବା ଆତଙ୍କବାଦୀ ଗତିବିଧି କାରଣରୁ ଭାରତ-ପାକିସ୍ତାନ ମଧ୍ୟରେ ତିକ୍ତତା ଲାଗି ରହିଥାଏ।