ନୂଆଦିଲ୍ଲୀ: ନିର୍ବାଚନ ଆୟୋଗ ମଙ୍ଗଳବାର ମହାରାଷ୍ଟ୍ର ଓ ଝାଡ଼ଖଣ୍ଡ ନିର୍ବାଚନ ପାଇଁ ତାରିଖ ଘୋଷଣା କରିଛନ୍ତି। ଏହା ସହିତ ଦୁଇ ରାଜ୍ୟରେ ନିର୍ବାଚନୀ ବିଗୁଲ ବାଜିବା ସହିତ ନିର୍ବାଚନ ଆଚରଣବିଧି ଲାଗୁ ହୋଇ ଯାଇଛି। ମୁଖ୍ୟ ନିର୍ବାଚନ ଆୟୋଗ ରାଜୀବ କୁମାର ଉଭୟ ରାଜ୍ୟର ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା କରିବା ସହିତ ଇଭିଏମ ଉପରେ ଉଠିଥିବା ପ୍ରଶ୍ନକୁ ଖାରଜ କରିବା ସହିତ ଉଚିତ୍ ଜବାବ ଦେଇଛନ୍ତି। ପେଜର ଯଦି ଫାଟିପାରେ ତେବେ ଇଭିଏମ କାହିଁକି ହ୍ୟାକ୍ ହୋଇ ପାରିବ ନାହିଁ ? ଏହି ପ୍ରଶ୍ନର ଉତ୍ତର ଦେଇଛନ୍ତି ମୁଖ୍ୟ ନିର୍ବାଚନ ଆୟୋଗ।
ସେ କହିଛନ୍ତି, ଉଭୟ ମଧ୍ୟରେ ପାର୍ଥକ୍ୟ ଏହା ଯେ ପେଜର କନେକ୍ଟେଡ ହୋଇଥିବା ବେଳେ ଇଭିଏମ ସେମିତି ନୁହେଁ।ସେ ସ୍ପଷ୍ଟ କରିଛନ୍ତି ଯେ, ଇଭିଏମ ସହିତ ଟ୍ୟାମ୍ପରିଂ କରାଯାଇ ପାରିବ ନାହିଁ। ଅନେକ ଥର ସ୍ପଷ୍ଟ କରିବା ପରେ ବି ଲୋକେ ପ୍ରଶ୍ନ କରୁଛନ୍ତି ଯେ, ଯେବେ କୌଣସି ଦେଶର ପେଜରରେ ବିସ୍ଫୋରଣ କରାଯାଇ ପାରୁଛି ତେବେ ଇଭିଏମ ହ୍ୟାକ୍ କାହିଁକି ହୋଇ ପାରିବ ନାହିଁ। ସେମାନଙ୍କୁ ମୁଁ କହିବାକୁ ଚାହୁଁଛି ଯେ, ପେଜର କନେକ୍ଟେଡ ହୋଇଥିବା ବେଳେ ଇଭିଏମ କନେକ୍ଟେଡ ହୋଇ ନ ଥାଏ।
ସୂଚନାଯୋଗ୍ୟ, ମହାରାଷ୍ଟ୍ର ବିଧାନସଭା ପାଇଁ ନଭେମ୍ୱର ୨୦ରେ ଗୋଟିଏ ପର୍ଯ୍ୟାୟରେ ମତଦାନ ହେବ । ନଭେମ୍ୱର୨୩ରେ ରେଜଲ୍ଟ ଘୋଷଣା କରାଯିବ । ମହାରାଷ୍ଟ୍ର ବିଧାନସଭାରେ ମୋଟ ୨୮୮ ଆସନ ଥିବା ବେଳେ ଏଠାରେ ବହୁମତ ସଂଖ୍ୟା ୧୪୫ । ମହାରାଷ୍ଟ୍ରରେ ମୋଟ ୧ ଲକ୍ଷ ୧୮୬ ପୋଲିଂ ବୁଥ୍ କରାଯିବ । ମୋଟ ୯.୬୩ କୋଟି ଭୋଟର ନିଜ ମତାଧିକାର ସାବ୍ୟସ୍ତ କରିବେ । ସେହିପରି ଝାଡ଼ଖଣ୍ଡରେ ଦୁଇଟି ପର୍ଯ୍ୟାୟରେ ଭୋଟ ଗ୍ରହଣ ହେବ ବୋଲି ନିର୍ବାଚନ ଆୟୋଗ ଘୋଷଣା କରିଛନ୍ତି । ପ୍ରଥମ ପର୍ଯ୍ୟାୟ ଭୋଟ ନଭେମ୍ୱର ୧୩ ହେବ । ସେହିପରି ନଭେମ୍ୱର ୨୦ରେ ଦ୍ୱିତୀୟ ପର୍ଯ୍ୟାୟ ମତଦାନ ହେବ । ନଭେମ୍ୱର ୨୩ରେ ମହାରାଷ୍ଟ୍ର ସହ ଝାଡ଼ଖଣ୍ଡ ରେଜଲ୍ଟ ଘୋଷଣା କରାଯିବ ।