ସମ୍ବଲପୁର ମାଛ ବଜାରରେ କାହିଁକି ଚଢ଼ାଉ ହେଉନି ? ପୁଣି ବଜାରରେ ଫର୍ମାଲିନ ଯୁକ୍ତ ମାଛ ବିକ୍ରି ଆଶଙ୍କା
23/09/2018 at 7:32 PM

ସମ୍ବଲପୁର ୨୩/୯ : ଗତ ଜୁଲାଇ ମାସରେ, ସମ୍ବଲପୁର ମାଛବଜାରରେ ଫର୍ମାଲିନ୍ ଯୁକ୍ତମାଛ ମିଳିବା ପରେ, ଏହାର ଅଧିକ ଯାଞ୍ଚ ପାଇଁ ଭୁବନେଶ୍ବରସ୍ଥିତ ରାଜ୍ୟ ଫୋରେନ୍ସିକ ଲାବୋରେଟୋରୀକୁ ପଠାଯାଇଥିଲା। ହେଲେ ଦୁଇମାସ ପରେ, ମଧ୍ୟ ଏହାର ରିପୋର୍ଟ ସାର୍ବଜନୀନ କରା ଯାଇନି। ସେହିପରି ମାତ୍ର ଦୁଇଥର ଆନ୍ଧ୍ରମାଛ ବଜାରରେ ଚଢାଉ କରାଯିବା ପରେ, ଦୁଇମାସ ହେଲା ଆଉ ଚଢାଉ କରାଯାଇନି। ସମ୍ବଲପୁର ମହାନଗର ନିଗମ କର୍ତ୍ତୃପକ୍ଷ ଓ ଜିଲ୍ଲା ମତ୍ସ୍ୟ ବିଭାଗ ପକ୍ଷରୁ ମିଳିତ ଚଢାଉ କରାଯାଉଥିବା ବେଳେ, ବିଷାକ୍ତ ଫର୍ମାଲିନ୍ ମାଛ ବଜାରରେ ବିକ୍ରି ବନ୍ଦ ହୋଇଯାଇଥିଲା। ହେଲେ କାହା ନିର୍ଦ୍ଦେଶରେ ଆଉ ଚଢାଉ କରାଯାଉନି, ତାକୁ ନେଇ ସାଧାରଣରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇବା ସହ, ରାଜ୍ୟ ମତ୍ସ୍ୟ ବିଭାଗର ନିର୍ଦ୍ଦେଶରେ ନା, ଜିଲ୍ଲାପ୍ରଶାସନ ଓ ମହାନଗର ନିଗମ କର୍ତ୍ତୃପକ୍ଷ, ଆନ୍ଧ୍ରମାଛ ବେପାରୀଙ୍କ ସହ ସଲାସୁତରା ପରେ, ଏହି ଚଢାଉ ବନ୍ଦ କରାଯାଇଛି, ତାକୁ ନେଇ ସାଧାରଣରେ ସନ୍ଦେହ ବଢିବାରେ ଲାଗିଛି ।
ଜିଲ୍ଲା ମତ୍ସ୍ୟ ବିଭାଗର ସହକାରୀ ମତ୍ସ୍ୟ ଅଧିକାରୀଙ୍କ କହିବା ହେଲା, ପୁର୍ବରୁ ରାଜ୍ୟ ସରକାରଙ୍କ କୃଷି ଓ ମତ୍ସ୍ୟ ବିଭାଗର ନିର୍ଦ୍ଦେଶକ୍ରମେ ଚଢାଉ କରାଯାଉଥିଲା। ହେଲେ ବର୍ତ୍ତମାନ ଆଉ ନିର୍ଦ୍ଦେଶ ଆସୁନି। ପୁଣି ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ଆସିଲେ ଚଢାଉ କରାଯିବ। ସେହିପରି ସମ୍ବଲପୁର ମହାନଗର ନିଗମ ଏନ୍ଫୋର୍ସମେଣ୍ଟ ଅଧିକାରୀଙ୍କ କହିବା ହେଲା, ପୁର୍ବରୁ ମାଛ ବଜାରରୁ ଜବତ ହୋଇଥିବା ମାଛରେ ଫର୍ମାଲିନ୍ ଥିବା ସ୍ପଷ୍ଟ ହୋଇଥିଲା। ସର୍ବସମ୍ମୁଖରେ ସ୍ବତନ୍ତ୍ର କିଟ୍ ଯୋଗେ ମାଛରେ ମାତ୍ରଧିକ ଫର୍ମାଲିନ୍ ଥିବା ସ୍ପଷ୍ଟ ହୋଇଥିଲେ ମଧ୍ୟ, ସେହି ମାଛକୁ ପୁଣି କାହିଁକି ଭୁବନେଶ୍ବର ରାଜ୍ୟ ଫୋରେନ୍ସିକ ଲାବୋରେଟୋରୀକୁ ପଠାଯାଇଥିଲା ତାହା ସେ କହିପାରିବେ ନାହିଁ। ସେହିପରି ଏବେ ଆଉ ସରକାରଙ୍କ ନିର୍ଦ୍ଦେଶ ନଥିବାରୁ ଚଢାଉ କରାଯାଇପାରୁନାହିଁ। ସେହିପରି ଜିଲ୍ଲାପାଳ କହିଛନ୍ତି ଯେ, ଆସନ୍ତାଦିନରେ ଯଦି ସାଧାରଣ ଲୋକ ଅଭିଯୋଗ କରିବେ ତେବେ, ପୁଣି ଫର୍ମାଲିନ୍ ଯୁକ୍ତ ମାଛ ଥିବା ପ୍ରମାଣ ମିଳେ ତେବେ ଚଢାଉ କରାଯିବ ନିଶ୍ଚୟ। ଆସନ୍ତାଦିନରେ ମାଛ ଗୋଦାମ ଉପରେ ମଧ୍ୟ ଚଢାଉ କରାଯିବ ଓ ଆନ୍ଧ୍ରମାଛକୁ ସମ୍ବଲପୁରରେ ବ୍ୟାନ୍ କରିବା, ନକରିବା ରାଜ୍ୟ ସରକାର ମତ୍ସ୍ୟ ବିଭାଗ ଉପରେ ନିର୍ଭର କରେ ବୋଲି ଜିଲ୍ଲାପାଳ କହିଛନ୍ତି ।