ଦି କାଶ୍ମୀର ଫାଇଲ୍‌କୁ ଟ୍ୟାକ୍ସ ଫ୍ରି କଲ ହେଲେ ଆମ ଫିଲ୍ମକୁ କାହିଁକି ନା ? ପ୍ରଶ୍ନ ଉଠାଇଲେ'ଝୁଣ୍ଡ'ର ପ୍ରଯୋଜକ

Published By : Prameya-News7 Bureau | March 19, 2022 IST

ମୁମ୍ବାଇ: ବିବେକ ଅଗ୍ନିହୋତ୍ରୀଙ୍କ ଫିଲ୍ମ ‘ଦି କାଶ୍ମୀର ଫାଇଲ୍ସ’ର ଲୋକପ୍ରିୟତା ବଢ଼ିବାରେ ଲାଗିଛି। ଦେଶର ବିଭିନ୍ନ ସ୍ଥାନରେ ସିନେମା ଘର ହାଉସ୍ ଫୁଲ୍। ଲୋକଙ୍କ ମନରେ ଫିଲ୍ମର ନିଶା ଏମିତି ଚଢ଼ିଛି ଯେ ଫିଲ୍ମ ନଦେଖାଇଲେ ଲୋକେ ସିନେମାହଲ୍‌ରେ ମାରପିଟ୍ କରିବାକୁ ମଧ୍ୟ ପଛାଉ ନାହାନ୍ତି। କେତେ ରାଜ୍ୟ ଫିଲ୍ମକୁ ଟ୍ୟାକ୍ସ ଛାଡ଼ କରିଥିବା ବେଳେ କେନ୍ଦ୍ରୀୟ ଜିଏସ୍‌ଟି ଛାଡ଼ କରିବା ପାଇଁ ଦାବି କରିଛନ୍ତି ଛତିଶଗଡ଼ କଂଗ୍ରେସ ସରକାର।

ଗୋଟିଏ ଫିଲ୍ମକୁ ଟ୍ୟାକ୍ସ ଛାଡ଼ କରିବା ପରେ ଏବେ ଆଉ ଏକ ଫିଲ୍ମକୁ ଟ୍ୟାକ୍ସ ଛାଡ଼ କରିବା ନେଇ ଦାବି ଉଠିଛି। ଏହି ଦାବି ଉଠାଇଛନ୍ତି ‘ଝୁଣ୍ଡ’ ଫିଲ୍ମର ପ୍ରଯୋଜକ ସବିତା ରାଜ ହିରେମାଥ। ଏନେଇ ସେ ସୋସିଆଲ୍ ମିଡିଆରେ ପୋଷ୍ଟ କରି ତାଙ୍କ କଥା ଲୋକମାନଙ୍କ ଆଗରେ ରଖିଛନ୍ତି।

ତାଙ୍କ ଫିଲ୍ମ ‘ଝୁଣ୍ଡ’ ଦର୍ଶକୀୟ ଆଦ୍ରୁତା ପାଉଛି ଓ ଏଥିରେ ଅନେକ ଶିକ୍ଷଣୀୟ ଜିନିଷ ରହିଛି ଯାହା ଦେଶ ବିକାଶରେ କ୍ଷେତ୍ରରେ କାମରେ ଆସିବ। ତଥାପି ତାଙ୍କ ଫିଲ୍ମକୁ କାହିଁକି ଟ୍ୟାକ୍ସ ଫ୍ରି କରାଗଲା ନାହିଁ ବୋଲି ସେ ଫେସ୍‌ବୁକ୍‌ରେ ଏକ ପୋଷ୍ଟ କରି ପ୍ରଶ୍ନ କରିଛନ୍ତି। ଏହା ବାଦ୍  ଫିଲ୍ମ ଟ୍ୟାକ୍ସ ଫ୍ରି କରିବା ପାଇଁ ଯଦି କିଛି ସରକାରୀ ମାନ ଦଣ୍ଡ ଅଛି ତେବେ ତାହା ସେ ଜାଣିବାକୁ ଚାହିଁବେ ବୋଲି ପୋଷ୍ଟ କରିଛନ୍ତି ସବିତା।

ଏନେଇ ସେ ଲେଖିଛନ୍ତି “ଫିଲ୍ମକୁ ସମର୍ଥନ ଦେବା, ସୋସିଆଲ୍ ମିଡିଆରେ ପ୍ରମୋଟ କରିବା, ଟ୍ୟାକ୍ସ ଛାଡ଼, ତଥା ଅଫିସ କର୍ମଚାରୀ ଫିଲ୍ମ ଦେଖିଯିବା ପାଇଁ ଅଧାଦିନ ଛୁଟି ଦେବା ଆଦି ସୁବିଧା ପାଇଁ କ’ଣ ସବୁ ସରକାରୀ କ୍ରାଇଟ୍‌ ଏରିଆ ରହିଛି ?”

ସୂଚନା ଥାଉକି ଦି କାଶ୍ମୀର ଫାଇଲ୍ ଫିଲ୍ମଟି ୧୯୯୦ ମସିହାରେ ଜାମ୍ମୁ-କାଶ୍ମୀରରୁ ବିତାଡ଼ିତ ହୋଇଥିବା କାଶ୍ମୀର ପଣ୍ଡିତମାନଙ୍କ କାହାଣୀକୁ ନେଇ ହୋଇଛି। ସବୁ ସୂତ୍ରରୁ ଫିଲ୍ମର ବିଜ୍ଞାପନ ଓ ସରକାରୀ ସମର୍ଥନ ମିଳିଥିବାରୁ ଏହା ବର୍ତ୍ତମାନ ୧୧୬ କୋଟି ଟଙ୍କା ଆୟ କରିଛି।

ଅନ୍ୟପଟେ ଝୁଣ୍ଡ ମାର୍ଚ୍ଚ ୪ ତାରିଖରେ ରିଲିଜ୍ ହୋଇଥିବା ବେଳେ ଏହା ମାତ୍ର ୧୫ କୋଟି ଟଙ୍କା କମାଇ ପାରିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.