ଫିଫା ବିଶ୍ଵ  କପ୍‌ରେ କାହିଁକି ଖେଳି ପାରୁନାହିଁ ଭାରତ, କେବେ ମିଳିବ ସୁଯୋଗ ?

Published By : Prameya-News7 Bureau | November 08, 2022 IST

ନୂଆଦିଲ୍ଲୀ: ବିଶ୍ଵର ସବୁଠୁ ଲୋକପ୍ରିୟ ଏବଂ ବଡ ଟୁର୍ଣ୍ଣାମେଣ୍ଟ ଫିଫା ବିଶ୍ଵ କପ୍‌ ୨୦୨୨ ନଭେମ୍ବର ୨୦ରୁ ଆରମ୍ଭ ହେଉଛି। କାତାରରେ ଖେଳାଯିବାକୁ ଥିବା ଫୁଟବଲ୍ ମହାକୁମ୍ଭର ଫାଇନାଲ୍ ମୁକାବିଲା ଡିସେମ୍ବର ୧୮ରେ ଖେଳାଯିବ। ଏହି ବିଶ୍ଵ କପ୍‌ ଲିଓନେଲ୍ ମେସୀ, କ୍ରିଷ୍ଟିୟାନୋ ରୋନାଲ୍ଡଙ୍କ ପରି ମହାନ ଖେଳାଳିଙ୍କ ପାଇଁ ଶେଷ ବିଶ୍ଵ କପ୍ ହୋଇପାରେ।

ଫିଫା ବିଶ୍ଵ କପ୍ ୨୦୨୨ରେ ମୋଟ୍ ୩୨ ଦଳ ଅଂଶଗ୍ରହଣ  କରୁଛନ୍ତି। ତେବେ ଫୁଟବଲ୍‌ ବିଶ୍ଵ କପ୍‌ରେ ଅଂଶଗ୍ରହଣ କରୁଥିବା ଦଳଙ୍କ ମଧ୍ୟରେ ନାହିଁ ଭାରତର ନାମ। କାରଣ ଭାରତୀୟ ଦଳ ଫିଫା ବିଶ୍ଵ କପ୍‌ ପାଇଁ ପୁଣି ଥରେ ଯୋଗ୍ୟତା ଅର୍ଜନ କରିବାରେ ବିଫଳ ହୋଇଛି। ସୁନୀଲ ଛେତ୍ରୀଙ୍କ ନେତୃତ୍ଵାଧୀନ ଭାରତୀୟ ଦଳ ଯୋଗ୍ୟତା ପର୍ଯ୍ୟାୟର ଦ୍ଵିତୀୟ ରାଉଣ୍ଡରୁ ବାଦ୍ ପଡିଛି। ଏସିଆ ମହାଦେଶରୁ ଛଅ ଦଳ କାତାରା, ଦକ୍ଷିଣ ଆଫ୍ରିକା, ସାଉଦି ଆରବ, ଇରାନ, ଜାପାନ, ଦକ୍ଷିଣ କୋରିଆ ସହିତ ଅଷ୍ଟ୍ରେଲିଆ  ଫିଫା ବିଶ୍ଵ କପ୍‌ରେ ଅଂଶଗ୍ରହଣ କରିବେ। ଉଲ୍ଲେଖନୀୟ ଭାରତ କେବେ ବି ଫୁଟବଲ୍ ବିଶ୍ଵ କପ୍‌ ପାଇଁ ଯୋଗ୍ୟତା ଅର୍ଜନ କରି ପାରିନାହିଁ।

ଖାଲି ପାଦରେ ଖେଳିବାକୁ ମିଳିଲାନି ଅନୁମତି

୧୯୫୦ରେ ବ୍ରାଜିଲରେ ଆୟୋଜିତ ବିଶ୍ଵ କପ୍ ପାଇଁ ଭାରତୀୟ ଦଳ ଯୋଗ୍ୟତା ଅର୍ଜନ କରିଥିଲା। ହେଲେ ଦଳ ମ୍ୟାଚ୍ ଖେଳିପାରିନଥିଲା। ସବୁଠୁ ବଡ କାରଣ ସେହି ସମୟରେ ଭାରତୀୟ ଖେଳାଳିଙ୍କୁ ଖାଲି ପାଦରେ ଖେଳିବାର ଅଭ୍ୟାସ୍ ଥିଲା। ଏହା ହିଁ ଦଳ ପାଇଁ ମୁଖ୍ୟ ସମସ୍ୟା ପାଲଟିଥିଲା। ମହମ୍ମଦ ଅବଦୁଲ ସଲୀମ ନାମକ ଜଣେ ଭାରତୀୟ ଫୁଟବଲ୍‌ ଖେଳାଳି ନିଜ ସମୟରେ ସ୍କଟିଶ ଫୁଟବଲ୍‌ କ୍ଲବ ସେଲ୍‌ଟିକ ପକ୍ଷରୁ ଖାଲି ପାଦରେ ଖେଳିଥିଲେ। ଫିଫା ନିୟମ ଅନୁଯାୟୀ, ଖେଳାଳିଙ୍କୁ ଜୋତା ପିନ୍ଧି ବିଶ୍ଵ କପ୍ ଖେଳି ପାରିବେ। ମାତ୍ର ଭାରତୀୟ ଖେଳାଳି ଜୋତା ପିନ୍ଧି ଫୁଟବଲ୍‌ ଖେଳିବାରେ ଅଭ୍ୟସ୍ତ ନଥିଲେ। ତେଣୁ ଭାରତୀୟ ଦଳ ୧୯୫୦ ଫିଫା ବିଶ୍ଵ କପ୍ ଖେଳିବାକୁ ମନା କରି ଦେଇଥିଲା।

ଆଉ ଯୋଗ୍ୟତା ଅର୍ଜନ କରିପାରିନି ଭାରତ

ଦ୍ଵିତୀୟ କାରଣ ମ୍ୟାଚ୍ ବିଦେଶରେ ଆୟୋଜନ ହେବାର ଥିଲା।ଭାରତୀୟ ଫୁଟବଲ୍ ସଂଘ ସହିତ ସରକାର ଖର୍ଚ୍ଚ ଉଠାଇବାକୁ ମନା କରି ଦେଇଥିଲେ। କିନ୍ତୁ ଫିଫା ଭାରତର ଏହି ଯାତ୍ରାର ଖର୍ଚ୍ଚ ଉଠାଇବାକୁ ପ୍ରସ୍ତୁତ ଥିଲା। ତଥାପି ଭାରତ ଟୁର୍ଣ୍ଣାମେଣ୍ଟରେ ଅଂଶଗ୍ରହଣ କରି ପାରିନଥିଲା। ଦଳ ଭିତରେ ଚୟନକୁ ନେଇ ବିବାଦ, ଅଭ୍ୟାସର ଅଭାବ କାରଣରୁ ଭାରତ ଫିଫା ବିଶ୍ଵ କପ୍ ଖେଳି ପାରିନଥିଲା।

ଦଳର ରାଙ୍କିଂ ବହୁତ ଖରାପ

ପ୍ରଶଂସକଙ୍କ ପାଇଁ ଦୁଃଖର ବିଷୟ ୧୯୫୦ ବିଶ୍ଵ କପ୍ ପରଠୁ ଭାରତ ଫୁଟବଲ୍‌ର ଏହି ମହାକୁମ୍ଭ ପାଇଁ ଯୋଗ୍ୟତା ଅର୍ଜନ କରି ପାରିନାହିଁ। ଫିଫା ମାନ୍ୟତାରେ ଭାରତ ତଳେ ରହିଛି। ଦଳ ୧୦୬ ନମ୍ବର ମାନ୍ୟତାରେ ରହିଛି। ଅର୍ଥାତ ଟପ୍-୧୦୦ ଦେଶରେ ସାମିଲ୍ ନାହିଁ।

କେଉଁ ଚ୍ୟାନେଲ୍‌ରେ ଦେଖି ପାରିବେ ସିଧା ପ୍ରସାରଣ

ଭାରତ ଏହି ଟୁର୍ଣ୍ଣାମେଣ୍ଟରେ ଅଂଶଗ୍ରହଣ କରୁନଥିଲେ  ହେଁ ଭାରତୀୟ ଦର୍ଶକ ସହଜରେ ଫୁଟବଲ୍‌ ବିଶ୍ଵ କପ୍‌ର ଆନନ୍ଦ ଉଠାଇ ପାରିବେ। ଭାରତୀୟ ପ୍ରଶଂସକ ଫିଫା ବିଶ୍ଵ କପ୍‌ ୨୦୨୨ର ସମସ୍ତ ମୁକାବିଲା ଟିଭି ଚ୍ୟାନେଲ ଷ୍ଟାର ସ୍ପୋର୍ଟ୍ସରେ ଲାଇଭ୍ ଦେଖି ପାରିବେ। ଜିଓ ସିନେମାରେ ବି ଲାଇଭ ଷ୍ଟ୍ରିମିଂ ଦେଖିପାରିବେ। ଫୁଟବଲ୍ ବିଶ୍ଵ କପ୍‌ର ମ୍ୟାଚ୍‌ ଭାରତୀୟ ସମୟନୁସାରେ ଅପରାହ୍ନ ୩ଟା ୩୦, ସନ୍ଧ୍ୟା ୬ଟା ୩୦, ରାତି ୮ଟା ୩୦, ରାତି ୯ଟା ୩୦ ଏବଂ ରାତି ୧୨ଟା ୩୦ରେ ମ୍ୟାଚ୍ ଦେଖି ପାରିବେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.