ଜାଣନ୍ତୁ କାହିଁକି ନାହିଁ ଗାନ୍ଧି ପରିବାରର ନିଜର ଘରଟିଏ? କ୍ୱାର୍ଟର ଛାଡିଲେ ରାହୁଲ ରହିବେ କେଉଁଠି?
30/03/2023 at 8:54 PM

ନୂଆଦିଲ୍ଲୀ ୩୦।୩: କଂଗ୍ରେସ ନେତା ରାହୁଲ ଗାନ୍ଧି ଏବେ ଆଉ ସାଂସଦ ନାହାନ୍ତି। ଲୋକସଭା ସାଂସଦ ଥିବା ବେଳେ ତାଙ୍କୁ ମିଳିଥିବା ସରକାରୀ କ୍ୱାର୍ଟରଟିକୁ ଏବେ ତାଙ୍କୁ ଛାଡିବାକୁ ପଡିବ। ଏବେ ସେ କେଉଁଠି ରହିବେ ତାହାହିଁ ତାଙ୍କ ଲାଗି ଲକ୍ଷେ ଟଙ୍କାର ପ୍ରଶ୍ନ। ଦେଶକୁ ଦୀର୍ଘ ଦଶନ୍ଧୀ ଶାସନ କରିଥିବା କଂଗ୍ରେସର ହର୍ତ୍ତାକର୍ତ୍ତା ଦଇବ ବିଧାତା ଗାନ୍ଧି ପରିବାରଙ୍କର ଦେଶରେ ଘରଟିଏ ନାହିଁ ହୁଏତ କେହି ସହଜରେ ବିଶ୍ୱାସ କରିବେନି। ତେବେ ବାସ୍ତବିକ କଥା ହେଉଛି ରାହୁଲ ଓ ସୋନିଆ ଗାନ୍ଧିଙ୍କର ଭାରତରେ ନିଜର ଘର ନାହିଁ।
ଗତ ଦିନରେ ରାହୁଲ ଗାନ୍ଧି ଛତିଶଗଡ ଗସ୍ତରେ ଥିବା ବେଳେ କଂଗ୍ରେସ ଅଧିବେଶନ ଚାଲିଥିଲା। ଏହି ଅଧିବେଶନରେ ରାହୁଲ ତାଙ୍କର ନିଜର ଘରଟିଏ ନଥିବା ଘୋଷଣା କରିଥିଲେ। ତେବେ ତାଙ୍କର ଘର କାହିଁକି ନାହିଁ ଏ କାହାଣୀ ସେତିକି ପୂରୁଣା ଯେତିକି ପୁରୁଣା ନେହରୁ ଗାନ୍ଧି ପରିବାରଙ୍କ ଇତିହାସ। ଜାବାହାରଲାଲ ନେହରୁଙ୍କ ପିତା ମୋତିଲାଲ ନେହେରୁଙ୍କର ଏଲହାବାଦରେ ଗୋଟି ଏ ନୁହେଁ ୨ଟି ଘର ଥିଲା। ତେବେ ଦେଶର ସ୍ୱାଧୀନତା ଆନ୍ଦୋଳନକାଳରେ ତାଙ୍କ ଘର କଂଗ୍ରେସ କାର୍ଯ୍ୟାଳୟ ପାଲଟିଯାଥିଲା। ଯାହା କ୍ରମାନୁସାରେ ଏବେ ଜାତୀୟ ସ୍ମାରକୀ ହୋଇ ଯାଇଛି।

ଭାରତ ସ୍ୱାଧୀନ ହେବା ସହ କଂଗ୍ରେସର ମୁଖ୍ୟାଳୟ ଏଲହାବାଦରୁ ଦିଲ୍ଲୀ ଯନ୍ତରମନ୍ତରକୁ ସ୍ଥାନାନ୍ତରିତ ହୋଇଯାଇଥିଲା। ପ୍ରଥମ ପ୍ରଧାନମନ୍ତ୍ରୀ ଭାବେ ନେହେରୁଙ୍କୁ ରହିବା ପାଇଁ ତିନମୂର୍ତ୍ତି ଭବନ ମିଳିଯାଇଥିଲା। ତେବେ ନେହେରୁ ପରେ ତାଙ୍କ ପରିବାର ନିମନ୍ତେ କୌଣସି ଠାରେ ଘରଟିଏ କିଣି ନଥିଲେ। ନେହେରୁଙ୍କ ପରେ ଇନ୍ଦିରା ଗାନ୍ଧି ସକ୍ରିୟ ରାଜନୀତିକୁ ପ୍ରବେଶ ସହ ଦେଶର ପ୍ରଧାନମନ୍ତ୍ରୀ ହୋଇଥିଲେ। ତେବେ ସେ ମଧ୍ୟ ପରିବାର ନିମନ୍ତେ ନିଜର ଘରଟିଏ କଥା କେବେ ଚିନ୍ତା କରି ନଥିଲେ। ଓଲଟି ୧୯୬୯ ମସିହାରେ ଏଲହାବାଦରେ ଥିବା ତାଙ୍କ ଜେଜେଙ୍କ ଆନନ୍ଦ ଭବନକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ସମର୍ପଣ କରିଦେଇଥିଲେ।
ତେବେ ଇନ୍ଦିରା ଗାନ୍ଧି ୧୯୭୭ ମସିହା ସାଧାରଣ ନିର୍ବାଚନରେ ହାରି ଯାଇଥିଲେ। ଏଣୁ ତାଙ୍କୁ ୧ ସଫଦରଜଙ୍ଗ ଛାଡି ୧୨ ୱିଲିଂଟନ କ୍ରିସେଣ୍ଟରେ କିଛି ଦିନ ରହିବାକୁ ପଡିଥିଲା। ସେତେବେଳେ ମଧ୍ୟ ଇନ୍ଦିରା ପରିବାର ନିମନ୍ତେ ଘରଟିଏ ଦରକାର ଚିନ୍ତା କରିପାରିନଥିଲେ। ୧୯୮୦ ମସିହାରେ ଇନ୍ଦିରା ପୁଣି ନିର୍ବାଚନରେ ଜିତି ପ୍ରଧାନମନ୍ତ୍ରୀ ହେବା ସହ ୧ ସଫଦରଜଙ୍ଗ ରେ ରହିବାକୁ ଚାଲିଯାଇଥିଲେ। ୧୯୮୪ ମସିହାରେ ତାଙ୍କର ହତ୍ୟା ପରେ ସେ ରହୁଥିବା ସରକାରୀ ଘରଟି ସ୍ମାରକୀରେ ରୂପାନ୍ତରିତ ହୋଇଥିଲା।

ତେବେ ଏହା ପରେ ପ୍ରଧାନମନ୍ତ୍ରୀ ହୋଇଥିବା ରାଜୀବ ଗାନ୍ଧି, କଂଗ୍ରେସର ଦୀର୍ଘ ଦିନ ଅଧ୍ୟକ୍ଷା ଥିବା ସୋନିଆ ଗାନ୍ଧି ଓ ତାଙ୍କ ପୁଅ ରାହୁଲ ଗାନ୍ଧି ନିଜ ଲାଗି ଘର କିଣିବା ଦୂରର କଥା ସେ ବିଷୟରେ ଚିନ୍ତା ମଧ୍ୟ କରିନଥିଲେ। ଏଣୁ ଏବେ ସଂସଦ ସଦସ୍ୟତା ସମାପ୍ତ ହୋଇ ଯିବା ପରେ ରାହୁଲ କେଉଁଠି ରହିବେ ତାହା ତାଙ୍କ ଲାଗି ସବୁଠୁ ବଡ଼ ଚିନ୍ତାର ବିଷୟ ପାଲଟିଛି। କିଛି ଦିନ ପୂର୍ବେ ସୋନିଆ ଗାନ୍ଧି ତାଙ୍କ ସ୍ୱାସ୍ଥ୍ୟଗତ କାରଣ ଲାଗି ସେ ଆଉ ଅଧିକ ଦିନ ରାଜନୀତି କରିପାରିବେନି ବୋଲି ସୂଚିତ କରିଥିଲେ।
ଏଥିରୁ ଆଗାମୀ ଦିନରେ ସୋନିଆ ସକ୍ରିୟ ରାଜନୀତିରୁ ଦୂରେଇ ଯାଇ ପାରନ୍ତି ବୋଲି ଏବେ ଆକଳନ କରାଯାଉଛି। ଏହା ପରେ ହୁଏତ ତାଙ୍କ ପାଖରେ ମଧ୍ୟ ସରକାରୀ ବଙ୍ଗଳା ରହି ନପାରେ। ଯଦି ସେମାନଙ୍କର ସରକାରୀ କ୍ୱାର୍ଟର ନ ରହେ ତେବେ ଆଜିର ଦିନରେ ରହିବା ପାଇଁ ଗାନ୍ଧି ପରିବାରର ନିଜର ବ୍ୟକ୍ତିଗତ ଘରଟିଏ ବି ନାହିଁ।
