ଭୁବନେଶ୍ଵର: ଏଥର ନିର୍ବାଚନରେ ବିଜୁ ଜନତା ଦଳ(ବିଜେଡି)ର ପରାଜୟ ପରେ ପ୍ରଥମ ଥର ପ୍ରତିକ୍ରିୟା ଦେଇଛନ୍ତି ଦଳର ସଂଗଠନ ସଂପାଦକ ପ୍ରଣବ ପ୍ରକାଶ ଦାସ। ସେ ବିଜେଡି ଓ ନବୀନଙ୍କ ସଂପର୍କରେ ବଡ଼ ବୟାନ ଦେଇଛନ୍ତି। ଏହା ସହିତ ମିଟିଂରେ କାହିଁକି ପାଣ୍ଡିଆନ ରହିଲେ ନାହିଁ ତାକୁ ନେଇ ବବି ଉତ୍ତର ଦେଇଛନ୍ତି। ନବୀନ ବାବୁଙ୍କ ନିର୍ଦ୍ଦେଶରେ ପାର୍ଟି କାମ କରେ ବୋଲି ବବି କହିଛନ୍ତି।
ସାମ୍ବାଦିକଙ୍କ ସହ ଗୁରୁବାର ଆଲୋଚନା ବେଳେ ସେ କହିଛନ୍ତି ଗତକାଲି ଦଳର ସଭାପତି ନବୀନ ପଟ୍ଟନାୟକ ବୈଠକ କରିଥିଲେ। ପରାଜୟର ସମୀକ୍ଷା ପାଇଁ କମିଟି ଗଠନ କରାଯାଇଛି। କମିଟି ଏହାର ତଦନ୍ତ କରିବ। ନବୀନ ୨୫ ବର୍ଷର ସରକାରରେ କଣ କରାଯାଇଛି ନବ ନିର୍ବାଚିତ ବିଧାୟକଙ୍କୁ ଜଣାଇଛନ୍ତି। କଣ ଦଳର ପରାଜୟ ପାଇଁ ପାଣ୍ଡିଆନଙ୍କୁ ଦାୟୀ କରାଯିବ କି ନାହିଁ ବୋଲି ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତରରେ ବବି କହିଛନ୍ତି, କେବେ ବି ନବୀନ ବାବୁଙ୍କ ଛଡ଼ା ପାର୍ଟିରେ ଆଉ କେହି ଲିଡ୍ କରି ନାହାନ୍ତି। ଦଳରେ ନବୀନ ବାବୁ ସର୍ବୋଚ୍ଚ ନେତା ଥିଲେ ଏବଂ ସବୁ ବେଳେ ରହିବେ। ଲୋକଙ୍କ ମତକୁ ଆମେ ସମ୍ମାନ ଜଣାଉଛୁ।
ଦଳର ମିଟିଂ ଚାଲିଥିବା ବେଳେ ପାଣ୍ଡିଆନ କାହିଁକି ରହିଲେନି ପ୍ରଶ୍ନରେ ପ୍ରଣବ ପ୍ରକାଶ ଦାସ ବଡ଼ ବୟାନ ଦେଇଛନ୍ତି। ସେ କହିଛନ୍ତି, ନବୀନଙ୍କ ଇଚ୍ଛା କାହାକୁ କେତେବେଳେ ରଖିବେ, କାହାକୁ ନ ରଖିବେ। ପାର୍ଟି ତାଙ୍କ ନିର୍ଦ୍ଦେଶରେ କାମ କରୁଥିଲା ଏବଂ ଆଜି ବି କାମ କରୁଛି।
ସୂଚନାଯୋଗ୍ୟ, ୨୦୨୪ ବିଧାନସଭା ନିର୍ବାଚନରେ ବିଜେଡିର ସଂଗଠନ ସଂପାଦକ ପ୍ରଣବ ପ୍ରକାଶ ଦାସ ସମ୍ବଲପୁର ସଂସଦୀୟ କ୍ଷେତ୍ରରେ ନିର୍ବାଚନ ଲଢି ବିଜେପି ନେତା ଧର୍ମେନ୍ଦ୍ର ପ୍ରଧାନଙ୍କ ଠାରୁ ଲକ୍ଷରୁ ଅଧିକ ଭୋଟରେ ହାରିଛନ୍ତି। ଏହା ସହିତ କୋରେଇ ଆସନରୁ ତାଙ୍କ ମାଆ ବିଜେପି ପ୍ରାର୍ଥୀ ଆକାଶ ଦାସ ନାୟକଙ୍କଠୁ ହାରିଛନ୍ତି। ଏହିପରି ମାଆ-ପୁଅଙ୍କୁ ଜନତା ପ୍ରତ୍ୟାଖ୍ୟାନ କରିଛନ୍ତି।