ଫ୍ରି ନଥିଲା ଓସ୍କାରର ଏଣ୍ଟ୍ରି, ଟିକେଟ ପାଇଁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ ପରେ RRR ଟିମ୍କୁ ମିଳିଲା ଶେଷ ଧାଡିରେ ସିଟ୍, ଜାଣନ୍ତୁ କାହିଁକି ?
19/03/2023 at 4:58 PM

ମୁମ୍ବାଇ ୧୯।୩: ଓସ୍କାର ଆୱାର୍ଡ ଜିତିବା ଓ ଏଭିଳି ଏକ ଇଭେଣ୍ଟର ଅଂଶବିଶେଷ ହେବା ବାସ୍ତବିକ ଏକ ବଡ଼ କଥା। ମାର୍ଚ୍ଚ ୧୨ ତାରିଖ ଦିନ ଭାରତୀୟ ଫିଲ୍ମ ‘ଆରଆରଆର’ର ଗୀତ ନାଟୁ-ନାଟୁ ବେଷ୍ଟ ଓରିଜିନାଲ ସଙ୍ଗ ଶ୍ରେଣୀରେ ଓସ୍କାର ପୁରସ୍କାରରେ ସମ୍ବର୍ଦ୍ଧିତ ହୋଇ ପୁରା ଦେଶକୁ ଗୌରବାନ୍ୱିତ କରିଥିଲା। ଏହି କ୍ଷଣ ସାରା ଦେଶ ଲାଗି ଗର୍ବର କ୍ଷଣ ଥିଲା। ପ୍ରତ୍ୟେକ ଭାରତୀୟଙ୍କ ମୁହଁରେ ଖୁସି ଥିଲା। ବିଦେଶରେ ନାଟୁ-ନାଟୁର ଚର୍ଚ୍ଚା ମଧ୍ୟ ହେଉଥିଲା। ସମସ୍ତଙ୍କ ମୁହଁରେ ଗୋଟିଏ କଥା ଥିଲା ‘ଆରଆରଆର’।
ତେବେ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଓସ୍କାର ଇଭେଣ୍ଟ ଦେଖିବା ଓ ଏଥିରେ ପ୍ରତ୍ୟକ୍ଷ ସାମିଲ ହେବା ନିଶୁଳ୍କ ନୁହେଁ। ଏଥି ପାଇଁ ମୋଟା ରକମର ମୂଲ୍ୟ ଦେବାକୁ ପଡିଥାଏ। ଏଥିରେ ଯଦି ଆପଣ ଭାବୁଥାନ୍ତି ନାଟୁ-ନାଟୁ ଗୀତ ଓସ୍କାର ନୋମିନେଟ୍ ହେବା ଯୋଗୁ ‘ଆରଆରଆର’ ଟିମ୍କୁ ଇଭେଣ୍ଟରେ ଫ୍ରି ଏଣ୍ଟ୍ରି ଦିଆଯାଇଥିଲା, ତେବେ ଆପଣଙ୍କ ଧାରଣା ଭୁଲ। ଓସ୍କାର ୨୦୨୩ରେ ରାଜା ମୌଲୀ, ରାମଚରଣ ଓ ଜୁନିୟର ଏନଟିଆରଙ୍କ ସମେତ ଟିମ୍ର ଅନେକ ଲୋକଙ୍କ ଏଣ୍ଟ୍ରି ଫ୍ରି ନଥିଲା। ତେବେ ଆସନ୍ତୁ ଜାଣିବା ଓସ୍କାର ସେରିମନିରେ ଗୋଟିଏ ସିଟ୍ ରିଜର୍ଭ କରିବା ପାଇଁ ଫିଲ୍ମର ଟିମ୍ କେତେ ଟଙ୍କା ଖର୍ଚ୍ଚ କରିଥିଲେ।

ତେବେ ଓସ୍କାର ସେରିମନିରେ ଫିଲ୍ମ ଟିମ୍ ସାମିଲ ହେବା ଲାଗି ସବୁ ଖର୍ଚ୍ଚ ନିର୍ଦ୍ଦେଶକ ଏସ୍.ଏସ୍. ରାଜାମୌଲୀ ବହନ କରିଥିଲେ। ସୂଚନା ଅନୁସାରେ ଓସ୍କାର ଉତ୍ସବରେ କେବଳ ନାଟୁ-ନାଟୁର ମ୍ୟୁଜିକ କମ୍ପୋଜର ଏମ.ଏମ.କେରାୱନୀ ଓ ଗୀତିକାର ଚନ୍ଦ୍ର ବୋସ୍ଙ୍କୁ ହିଁ ଫ୍ରି ପାସ୍ ଦିଆଯାଇଥିଲା। ତେବେ ଏହି ଇଭେଣ୍ଟରେ ଏସ୍.ଏସ୍.ରାଜାମୌଲୀଙ୍କ ସହିତ ରାମ ଚରଣ, ଜୁନିୟର ଏନ.ଟି.ଆର ଓ ସେମାନଙ୍କ ପରିବାର ସଦସ୍ୟ ମଧ୍ୟ ଉତ୍ସବରେ ଯୋଗ ଦେଇଥିଲେ। ଏମାନଙ୍କ ଲାଗି ଅଲଗା ଅଲଗା ଟିକେଟ୍ କ୍ରୟ କରାଯାଇଥିଲା।
ଦି ଇକୋନମିକ୍ସ ଟାଇମ୍ସ ଖବର ଅନୁସାରେ ଓସ୍କାର ୨୦୨୩ର ଏକ ଟିକେଟର ମୂଲ୍ୟ ଥିଲା ୨୫ ହଜାର ଡଲାର ଅର୍ଥାତ ଭାରତୀୟ ମୁଦ୍ରାରେ ପାଖାପାଖି ୨୦.୬ ଲକ୍ଷ ଟଙ୍କା। ଖବର ଅନୁସାରେ ଓସ୍କାରରେ କେବଳ ୱିନର ଓ ତାଙ୍କ ପରିବାର ସଦସ୍ୟଙ୍କୁ ଫ୍ରି ପାସ୍ ମିଳିଥାଏ। ବାକି ସମସ୍ତଙ୍କୁ ଇଭେଣ୍ଟ ଲାଇଭ ଦେଖିବା ଲାଗି ଟିକେଟ୍ କିଣିବାକୁ ପଡିଥାଏ। ଏତେ ଟଙ୍କା ଦେଇ ଟିକେଟ୍ କିଣିବା ପରେ ବି ଆରଆରଆର ଟିମ୍କୁ ପଛଧାଡିରେ ବସିବାକୁ ପଡିଥିଲା।