ବରଗଡ଼ ଏସପି ଏତେ ରାଗୁଚନ୍ତି କାହିଁକି ? ଧକ୍କା ମାରି ବାହାର କରିଦେଲେ ସାମ୍ବାଦିକଙ୍କୁ
31/08/2018 at 7:08 AM

ବରଗଡ଼ ୩୧/୮ : ବରଗଡ ଏସ୍ପି ମୁକେଶ ଭାମୁ, ସାମ୍ବାଦିକଙ୍କୁ ଦୁର୍ବ୍ୟବହାର କରିବା ସହ, ଧକ୍କାମାରି ରୁମ୍ ବାହାର କରିଦେବା ଧମକ ଦେଇ ଅଡୁଆରେ ପଡିଛନ୍ତି। ନିଜେ ଏସ୍ପି, ସାମ୍ବାଦିକ ସମ୍ମିଳନୀ ଡାଡିବା ପରେ, ନିଜ ଇଛାନୁସାରେ ନ୍ୟୁଜ୍ କରିବାକୁ ସାମ୍ବାଦିକ ମାନଙ୍କ ବାଧ୍ୟ କରିଥିଲେ। ଏପରିକି ଡକାୟତି ମାମଲାରେ ଗିରଫ ହୋଇଥିବା, ୪ଜଣ ପୋଲିସ୍ କର୍ମଚାରୀଙ୍କ ଫଟୋ ଉଠାଇବାକୁ ବାରଣ କରିବା ସହ, ଅଭିଯୁକ୍ତ ମାନଙ୍କ ନାଁ ମଧ୍ୟ ନଲେଖିବାକୁ ସବୁ ସାମ୍ବାଦିକଙ୍କ ତାଗିଦ୍ କରିଥିଲେ। ହେଲେ ସାମ୍ବାଦିକ ମାନେ ଏହାର ପ୍ରତିବାଦ କରିବାକୁ, ମିଛ କେସ୍ କରି, ସମସ୍ତଙ୍କୁ ଜେଲ୍ରେ ପୁରାଇଦେବେ ବୋଲି ନିଜେ ଏସ୍ପି ଧମକ ଦେଇଥିଲେ। ସାମ୍ବାଦିକ ମାନେ ଏହାର ପ୍ରତିବାଦ କରିବାରୁ, ଅଶ୍ଲୀଳଭାଷାରେ ଗାଳିଗୁଲଜ କରିବା ସହ, ସବୁ ସାମ୍ଦାଦିକଙ୍କୁ ଧକ୍କା ମାରି, ବାହାର କରିଦେବାକୁ, ପାଖରେ ଥିବା ସଦରଥାନା ଆଇଆଇସିଙ୍କ ନିର୍ଦ୍ଦେଶ ଦେଇଥିଲେ ଏସ୍ପି। ଏହାର ପ୍ରତିବାଦ କରି, ଆଜି ସାମ୍ବାଦିକ ମାନେ, ଉତ୍ତରାଞ୍ଚଳ ଡିଆଇଜି ସତ୍ୟବ୍ରତ ଭୋଇଙ୍କ ସାକ୍ଷାତ କରି, ଏସ୍ପି ମୁକେଶ ଭାମୁଙ୍କ ବିରୋଧରେ ଲିଖିତ ଅଭିଯୋଗ କରିବା ସହ, କାର୍ଯ୍ୟାନୁଷ୍ଠାନ ଦାବି କରି, ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବି ପତ୍ର ପ୍ରଦାନ କରିଛନ୍ତି। ଦୁଇଦିନ ତଳେ ପଦ୍ମପୁରର ଜଣେ ବ୍ୟବସାୟୀଙ୍କ ଆକ୍ରମଣ କରି, ୪ଜଣ ପୋଲିସ୍ କର୍ମଚାରୀ ୪ଲକ୍ଷ ୫୦ହଜାର ଟଙ୍କା ଲୁଟ୍ କରିବା ସହ, ବରଗଡରୁ ଫେରାର୍ ହୋଇଯାଇଥିଲେ। ହେଲେ ଗଣମାଧ୍ୟମରେ ଏ ସଂପର୍କରେ ବାରମ୍ବାର ଖବର ପରିବେଷଣ ପରେ, ପୋଲିସ୍ ବାଧ୍ୟ ହୋଇ ୪ଜଣ ପୋଲିସ୍ କର୍ମଚାରୀଙ୍କୁ ଗିରଫ କରିଥିଲେ ମଧ୍ୟ, କୋହଳଦଫା ଲଗାଇବା ସହ, ଅଭିୟୁକ୍ତମାନଙ୍କୁ ଖସାଇ ଦେବାର ସମସ୍ତ ଉପାୟ କରିସାରିଛି। ପୁର୍ବରୁ ମଧ୍ୟ ଥାନା ହାଜତରେ ଅଭିଯୁକ୍ତକୁ ପିଟିପିଟି ମାରିଦେବା, ବ୍ୟବସାୟୀଙ୍କ ଠାରୁ ଟଙ୍କା ଲୁଟ୍ କରିବା, ମଦବ୍ୟବସାୟୀଙ୍କ ଠାରୁ ମାଗଣା ମଦ ମାଗିବା ନଦେଲେ, ଆକ୍ରମଣ କରିବା ଭଳି ସଙ୍ଗୀନ୍ ଅଭିଯୋଗ ବରଗଡ ପୋଲିସ୍ ବିରୋଧରେ ରହିଛି ।