ନୂଆଦିଲ୍ଲୀ: ସାରା ଦେଶରେ ଦୀପାବଳି ପାଇଁ ପ୍ରସ୍ତୁତି ଆରମ୍ଭ ହୋଇସାରିଛି । ବିଭିନ୍ନ କମ୍ପାନି ଅଲଗା ଅଲଗା ଉତ୍ପାଦନ ଉପରେ ବିଭିନ୍ନ ପ୍ରକାର ରିହାତି ଘୋଷଣା କରିସାରିଛନ୍ତି । ଧନତେରସରେ ବି ସାରା ଦେଶରେ କୋଟି କୋଟି ଟଙ୍କାର ସାମଗ୍ରୀ ବିକ୍ରି ହେବ । ଏହି କିଣାକିଣି ପଛରେ ଗୋଟିଏ କାରଣ ଏହା ବି ଯେ ବେତନଭୋଗୀ କର୍ମଚାରୀଙ୍କ ହାତରେ ଏହି ସମୟରେ କିଛି ଅତିରିକ୍ତ ଟଙ୍କା ରହିଥାଏ । ଘରୋଇ କମ୍ପାନିରୁ ଆରମ୍ଭ କରି ସରକାରୀ କମ୍ପାନି ଏପରିକି କେନ୍ଦ୍ର ଏବଂ ରାଜ୍ୟ ସରକାର ମଧ୍ୟ ଦୀପାବଳିରେ ନିଜ ନିଜ କର୍ମଚାରୀଙ୍କୁ ବୋନସ୍ ଦେଇଥାନ୍ତି । କିନ୍ତୁ ଆପଣ ଜାଣିଛନ୍ତି ଯେ ଦୀପାବଳିରେ କାହିଁକି ବୋନସ୍ ଦିଆଯାଏ ?
ପ୍ରତିବର୍ଷ ଇଂରାଜୀ କ୍ୟାଲେଣ୍ଡରରେ ଦଶହରା ଏବଂ ଦୀପାବଳି ମାସ ବେତନଭୋଗୀ କର୍ମଚାରୀଙ୍କ ପାଇଁ ଖାସ୍ ହୋଇଥାଏ । ବଡ଼ ଉତ୍ପାହ ସହ ସବୁ କର୍ମଚାରୀ ବୋନସକୁ ଅପେକ୍ଷା କରି ରହିଥାନ୍ତି । ସ୍ୱାଧୀନତା ପରେ ଭାରତ ସରକାର ବୋନସକୁ ନେଇ ଆଇନ ଆଣିଥିଲେ । ୧୯୬୫ ମସିହାରେ ପେମେଣ୍ଟ ଅଫ୍ ବୋନସ୍ ଆକ୍ଟ ପାରିତ କରାଗଲା । ଏହି ଆଇନ ସହ କମ୍ପାନିଗୁଡ଼ିକ ପାଇଁ କର୍ମଚାରୀଙ୍କୁ ଦୀପାବଳି ବୋନସ ଦେବା ବାଧ୍ୟତାମୂଳକ ହୋଇଗଲା । ତେବେ ଏହାର ଆରମ୍ଭ ଆହୁରି ପୁରୁଣା ।
ଭାରତରେ ଇଂରେଜ ଶାସନ ଆରମ୍ଭ ପୂର୍ବରୁ ନିଜ କର୍ମଚାରୀଙ୍କୁ ସବୁ ସଂସ୍ଥା ଏବଂ ସଂଗଠନ ପକ୍ଷରୁ ସାପ୍ତାହିକ ବେତନ ଦିଆଯାଉଥିଲା । ଅର୍ଥାତ୍ ଗୋଟିଏ ବର୍ଷରେ କର୍ମଚାରୀଙ୍କୁ ୫୨ ବେତନ ବା ପ୍ରାୟ ୧୩ ମାସର ବେତନ ମିଳୁଥିଲା । ବ୍ରିଟିଶ ଇଷ୍ଟଇଣ୍ଡିଆ କମ୍ପାନିର ଶାସନ ଆରମ୍ଭରେ ଇଂରେଜ ମାସିକ ବେତନ ଦେବା ଆରମ୍ଭ କଲେ । ଅର୍ଥାତ୍ ପ୍ରତି ମାସରେ ଚାରି ସପ୍ତାହର ବେତନ । ଏହିପରି କେବଳ ୪୮ ସପ୍ତାହର ବେତନ ମିଳିବା ଆରମ୍ଭ ହେଲା ଏବଂ ଚାରି ସପ୍ତାହର ବେତନ କମ ହୋଇଗଲା ।
ଇଂରେଜଙ୍କ ନୂଆ ବ୍ୟବସ୍ଥା ଲାଗୁ ହେବା ପରେ ଏଥିରେ କ୍ଷତି ହେଉଥିବା କର୍ମଚାରୀ ଅନୁଭବ କରିବା ଆରମ୍ଭ କଲେ । ପ୍ରଥମେ ୫୨ ସପ୍ତାହର ବେତନ ମିଳୁଥିଲା, ଅନ୍ୟପଟେ ନୂଆ ବ୍ୟବସ୍ଥାରେ ମାତ୍ର ୪୮ ସପ୍ତାହର ମିଳିଲା । ପରେ କର୍ମଚାରୀମାନେ ଏହି ନୂଆ ବ୍ୟବସ୍ଥାର ବିରୋଧ ଆରମ୍ଭ କଲେ । ଏହି ବିରୋଧକୁ ଦେଖି ୧୯୪୦ରେ ଇଂରେଜ ୧୩ତମ ମାସର ବେତନ ଦୀପାବଳି ସମୟରେ ଦେବା ପାଇଁ ବ୍ୟବସ୍ଥା କଲେ, କାରଣ ଏହା ଭାରତର ସବୁଠାରୁ ବଡ଼ ପର୍ବ ।
ଦେଶ ସ୍ୱାଧୀନ ହେବା ପରେ ଏହି ୧୩ତମ ବେତନକୁ ଦୀପାବଳି ବୋନସ ବୋଲି କୁହାଗଲା । ତେବେ ସ୍ୱାଧୀନତା ପରେ ଅନେକ କମ୍ପାନି ନିଜ କର୍ମଚାରୀଙ୍କୁ ବୋନସ ରୂପେ ୧୩ତମ ମାସର ବେତନ ଦେଉନାହାନ୍ତି ବୋଲି ଭାରତ ସରକାର ଜାଣିବାକୁ ପାଇଲେ । ଏଥିପାଇଁ ୧୯୬୫ ମସିହାରେ ନୂଆ ଆଇନ ଲାଗୁ କରାଗଲା । ପେମେଣ୍ଟ ଅଫ୍ ବୋନସ୍ ଆକ୍ଟ ଅନୁସାରେ କର୍ମଚାରୀଙ୍କୁ ସେମାନଙ୍କ ଦରମାର ଅତି କମରେ ୮.୩୩ ପ୍ରତିଶତ ବୋନସ୍ ଦେବା ବାଧ୍ୟତାମୂଳକ କରାଗଲା । ସେବେଠାରୁ ଏହି ବ୍ୟବସ୍ଥା ଚାଲି ଆସିଛି ।
ତେବେ ଆଜିର ସମୟରେ ଅନେକ କମ୍ପାନି ଚାଲାକି କରନ୍ତି । ବୋନସକୁ କଷ୍ଟ୍ ଟୁ କମ୍ପାନି (ସିଟିସି)ର ଅଂଶ କରିଦିଅନ୍ତି । ଏହାସହ କର୍ମଚାରୀଙ୍କ ବାର୍ଷିକ ପ୍ରଦର୍ଶନ ସହ ଯୋଡ଼ିଦିଅନ୍ତି । ବୋନସ ଦେବା ସମୟରେ କର୍ମଚାରୀଙ୍କ ଖରାପ ପ୍ରଦର୍ଶନ କହି କମ ବୋନସ ଦିଅନ୍ତି, ଯାହା ୮.୩୩ ପ୍ରତିଶତରୁ ବି କମ ହୋଇଥାଏ । ଅନେକ ତ ଦିଅନ୍ତି ବି ନାହିଁ । ନିୟମ ଅନୁସାରେ ଅତି କମରେ ୮.୩୩ ପ୍ରତିଶତ ବୋନସ୍ ମିଳିବା ମିଳିବା ଦରକାର, ଏହାପରେ କମ୍ପାନି ପ୍ରଦର୍ଶନ ଆଧାରିତ ବ୍ୟବସ୍ଥା କରିପାରିବେ ।