୨୦୧୨ ଦିଲ୍ଲୀ ଗଣ ଦୁଷ୍କର୍ମ ଓ ହତ୍ୟା ମାମଲାରେ ୪ ଦୋଷୀଙ୍କ ଦଣ୍ଡ ୩୧ଜାନୁଆରୀ ୨୦୨୦ରେ ପୁଣି ଟଳିଛି। ୧ ଫେବୃଆରୀରେ ସାରା ଦେଶ ଦୋଷୀଙ୍କ ଦଣ୍ଡବିଧାନକୁ ଅପେକ୍ଷା କରି ରହିଥିଲା। ହେଲେ ଠିକ୍ ଦିନକ ଆଗରୁ ଡିଫେନ୍ସ ଓକିଲ ଏ.ପି. ସିଂହ ଦଣ୍ଡାଦେଶ ଉପରେ ଅନିଶ୍ଚିତକାଳୀନ ରହିତାଦେଶ ଲାଗି କୋର୍ଟଙ୍କୁ ନିବେଦନ କରିଥିବା ବେଳେ ତାହା ମଞ୍ଜୁର ହେବା କେବଳ ନିର୍ଭୟାଙ୍କ ମା ଆଶା ଦେବୀ ନୁହଁନ୍ତି ସାରା ଦେଶକୁ ତଟସ୍ଥ କରିଦେଇଛି।
ନିର୍ଭୟା ଗଣ ଦୁଷ୍କର୍ମ ଓ ହତ୍ୟା ଘଟଣା ସାରା ଦେଶକୁ ଦୋହଲାଇ ଦେଇଥିଲା। ସରକାର ବାଧ୍ୟ ହୋଇଥିଲେ ଏଭଳି ଅପରାଧ ନିମନ୍ତେ ଥିବା ଆଇନର ସଂଶୋଧନ ଲାଗି। ସର୍ବାଧିକ ମୃତ୍ୟୁଦଣ୍ଡର ବ୍ୟବସ୍ଥା ବି ହୋଇଥିଲା ନ୍ୟାୟ ବ୍ୟବସ୍ଥାରେ। ହେଲେ ଏବେ ସେହି ଆଇନ କୁ ନେଇ ଦୋଷୀଙ୍କୁ ବାରମ୍ବାର ଫାଶୀ ମୁହଁରୁ କାହିଁକି ଭିଡିଆଣୁଛନ୍ତି ଡିଫେନ୍ସ ଓକିଲ ଏ.ପି.ସିଂହ ? ଏବେ ସମସ୍ତଙ୍କ ମୁହଁରେ ଏହି ଗୋଟିଏ ପ୍ରଶ୍ନ କ'ଣ ଡିଫେନ୍ସ ଓକିଲ ନିର୍ଭୟାଙ୍କ ବ୍ୟକ୍ତିଗତ ଶତ୍ରୁ? ଓକିଲ କିନ୍ତୁ ଏହା ସ୍ୱୀକାର କରିବାକୁ ନାରାଜ ଜାଣନ୍ତୁ କହୁଛନ୍ତି କ'ଣ ?
ନିର୍ଭୟାଙ୍କ ପ୍ରତି ମୋର କୌଣସି ଦୁର୍ଭାବନା ନାହିଁ, ନା ସେ ମୋର ବ୍ୟକ୍ତିଗତ ଶତ୍ରୁ । ସାଧାରଣରେ ସମସ୍ତେ ଯାହା ଚାହାଁନ୍ତି ମୁଁ ବି ସେଇଆ ଚାହେଁ। ହେଲେ ନିର୍ଭୟାଙ୍କୁ ଫାଶୀ କାଠ ମୁହଁରୁ ବାରମ୍ବାର ଯାହା ଫେରାଇ ଆଣୁଛି ତାହା ହେଉଛି ଭାରତର ମହାନ ସମ୍ବିଧାନ। ଯେଉଁ ସମ୍ବିଧାନ ଅପରାଧ ଲାଗି ସିଆରପିସିରେ ଦଣ୍ଡର ବିଧାନ କରିଛନ୍ତି ସେହି ସମ୍ବିଧାନ ହିଁ ଅପରାଧୀଙ୍କୁ ଆଇନର ଧାରା ୨୧ ଓ ୨୨ରେ ସେମାନଙ୍କ ସୁରକ୍ଷା ସୁନିଶ୍ଚିତ କରିଛନ୍ତି । ଏଣୁ ଜଣେ ଓକିଲ ହିସାବରେ ସେ କେବଳ ତାଙ୍କର ବୃତ୍ତିଗତ କର୍ତ୍ତବ୍ୟକୁ ନିଷ୍ଠାର ସହ ପାଳନ କରୁଥିବା କହିଛନ୍ତି।
କ୍ରିମିନୋଲଜିରେ ଡକ୍ଟରେଟ୍ ଓକିଲ ଏ.ପି.ସିଂହ ଏବେ ନିର୍ଭୟା ଦୋଷୀଙ୍କ ମଧ୍ୟରୁ ପବନ ଗୁପ୍ତା, ଅକ୍ଷୟ କୁମାର ସିଂ ଓ ବିନୟ ଶର୍ମାଙ୍କ ପକ୍ଷରୁ କୋର୍ଟରେ ଲଢୁଛନ୍ତି। ତେବେ ଅନ୍ୟତମ ଦୋଷୀ ମୁକେଶ ସିଂହ ଲାଗି ଏକଦା ଏହି ମାମଲାର ଆମିକସ କ୍ୟୁରୀ ଥିବା ବୃନ୍ଦା ଗ୍ରୋଭର ଲଢୁଛନ୍ତି। ମାମଲାରେ ୪ ଅପରାଧୀଙ୍କୁ ନିମ୍ନକୋର୍ଟ ଦୋଷୀ ସାବ୍ୟସ୍ତ କରିବା ସହ ମୃତ୍ୟୁଦଣ୍ଡାଦେଶ କରିଥିଲେ। ଯାହାକୁ ଉଚ୍ଚ ଓ ଦେଶର ସର୍ବୋଚ୍ଚନ୍ୟାୟାଳୟ ମଧ୍ୟ ସ୍ୱୀକୃତି ଦେଇଛନ୍ତି। ଏଣୁ ଅପରାଧୀଙ୍କ ଦଣ୍ଡ ସୁନିଶ୍ଚିତ ଥିବା ବେଳେ ଆଇନରେ କେଉଁଠି ନା କେଉଁଠି ସେମାନଙ୍କ ଲାଗି ନିଶ୍ଚିତ ଦୟାର ବ୍ୟବସ୍ଥା ଖୋଜୁଛନ୍ତି ଡିଫେନ୍ସ ଓକିଲମାନେ।
ଏ.ପି. ସିଂହ ପ୍ରଥମେ କେବଳ ବିନୟ ଓ ପବନଙ୍କ କେଶ କୋର୍ଟରେ ଲଢୁଥିଲେ। ହେଲେ ତିହାର ଜେଲକୁ ଭେଟିବାକୁ ଆସିଥିବା ଅକ୍ଷୟଙ୍କ ପତ୍ନୀ କେଉଁଠାରୁ ସିଂହଙ୍କ ନମ୍ବର ଜୋଗାଡ କରି ତାଙ୍କ ଘରେ ପହଞ୍ଚିଥିଲେ। ସେତେବେଳେ ସେ ଘରେ ନଥିଲେ। ହେଲେ ମହିଳା ଜଣକ ଓକିଲଙ୍କ ମାଙ୍କୁ ନିଜ ଦୁଃଖ ଜଣାଇ କେସ୍ ନେବାକୁ ଆକୁଳ ନିବେଦନ କରିଥିଲେ। ଘରକୁ ଫେରିବା ପରେ ସିଂହକୁ ଏହି କେଶ ନେବାକୁ ମନା ନ କରିବା ଲାଗି ତାଙ୍କ ମା କହିଥିଲେ । ଘଟଣା ନେଇ ଦେଶ ଦୁନିଆର ପରିସ୍ଥିତି ସମ୍ପର୍କରେ ସେ ମାଙ୍କୁ ବୁଝାଇପାରିନଥିଲେ। ଅଗତ୍ୟା ସେ ଅକ୍ଷୟଙ୍କ ମାମଲା ବି ଗ୍ରହଣ କରିଥିଲେ।
ତେବେ ନିର୍ଭୟା ଭଳି ମାମଲାରେ ସେ ଅପରାଧୀଙ୍କ ପକ୍ଷ ନେଇଥିବା ଯୋଗୁ କେବେ ହେଲେ ପଶ୍ଚାତାପ କରିନାହାନ୍ତି କି ଆଗକୁ ବି କରିବେ ନାହିଁ ବୋଲି କହିଛନ୍ତି ଏ.ପି.ସିଂହ। ସେ କେବଳ ଆଇନପ୍ରତି ଥିବା ତାଙ୍କ ନିଷ୍ଠାର ପାଳନ କରୁଥିବା କହିଛନ୍ତି। ନିର୍ଭୟା କୌଣସି ହାଇପ୍ରୋଫାଇଲ ମାମଲା ନୁହେଁ । ଉଭୟ ପୀଡିତା ଓ ଅପରାଧୀ ମଧ୍ୟମବର୍ଗିୟ ଓ ନିମ୍ନ ଆୟକାରୀ ବର୍ଗର। ଏଣୁ ଏଥିରୁ ଓକିଲମାନଙ୍କ ମାଲାମାଲ ହେବାର ପ୍ରଶ୍ନ ହିଁ ନାହିଁ। ଏଥିରେ ଯାହା ବି ହେଉଛି ସମସ୍ତଙ୍କ ସମ୍ମୁଖରେ ଓ ଖୋଲାଖୋଲି। ଏଥିରେ କେହି କାହାର ସମର୍ଥନ କରୁ ନାହାନ୍ତି କି କେହି କାହାର ବିରୋଧ। ଯାହା ହେଉଛି ତାହା ଆଇନରେ ହିଁ ହେଉଛି। ଏଣୁ ଦେଶରେ ପ୍ରଥମ ଥର ବରାବରିରେ ହେଉଥିବା ଏହି ଆଇନ ଲଢେଇ ଉପରେ ଏବେ ସମସ୍ତଙ୍କର ନଜର।
ଡିଫେନ୍ସ କାଉନସେଲଙ୍କ କାମ ଅଦାଲତରେ ପ୍ରତିପକ୍ଷଙ୍କ ରକ୍ଷା। ଏଥିଲାଗି ଯେକୌଣସି ସୀମା ପର୍ଯ୍ୟନ୍ତ ଯାଇପାରନ୍ତି ଓକିଲ। ହେଲେ ଏ.ପି.ସିଂହ ମାମଲା ଆରମ୍ଭରୁ ଏପର୍ଯ୍ୟନ୍ତ ସେପରି କେବେବି କରିନାହାନ୍ତି। ଅପରାଧୀଙ୍କୁ ଆଇନରୁ ମୁକୁଳାଇବା ଲାଗି କେବେ ବି ନିର୍ଭୟାଙ୍କ ବ୍ୟକ୍ତିଗତ ଜୀବନରେ ଦଖଲ ଦେଇନାହାନ୍ତି। ଘଟଣା ଦିନ ରାତିରେ ନିର୍ଭୟା ରାସ୍ତାରେ ଏକାକୀ ନଥିଲେ ସମସ୍ତେ ଜାଣନ୍ତି। ହେଲେ ସେ ଯାହାଙ୍କ ସହ ଥିଲେ ସେ ତାଙ୍କର ଭାଇ ନୁହଁନ୍ତି ବୋଲି ମଧ୍ୟ ଗଣମାଧ୍ୟମରେ ବିସ୍ତୃତ ଖବର ପ୍ରସାରିତ ହୋଇଥିଲା। ଏତେ ରାତିରେ ସେମାନେ କେବେ ହେଲେ ରାକ୍ଷା ବନ୍ଧନ ପର୍ବ ବି ପାଳନ କରୁନଥିଲେ ନିଶ୍ଚିତ। କିନ୍ତୁ ଅପରାଧୀଙ୍କ ପ୍ରାଣ ରକ୍ଷା ଲାଗି କୋର୍ଟରେ ସେମାନଙ୍କ ବ୍ୟକ୍ତିଗତ ଜୀବନର ପୋଷ୍ଟମର୍ଟମ ବି ଜରୁରି ଥିଲା। ହେଲେ ଘଟଣାର ସମ୍ବେଦନଶୀଳତା ଯୋଗୁ ସେ ସେପରି କରିନଥିବା ବେଳେ କୋର୍ଟରେ ତାଙ୍କର ୨ ମହକିଲଙ୍କୁ ଆଇନରେ ନିର୍ଦ୍ଦୋଷ ପ୍ରମାଣିତ କରିପାରିନାହାନ୍ତି।
ଏଥିଲାଗି ସେ ୨୦୧୩ରେ ଦିନ ଦିନ ଧରି ଦିଲ୍ଲୀରେ ଘଟଣାକୁ ନେଇ ଲାଗି ରହିଥିବା ପ୍ରଦର୍ଶନକୁ ଦାୟି କରିଛନ୍ତି ଏ.ପି. ସିଂହ। ଯେଉଁଥିଲାଗି ସାକେତ କୋର୍ଟରେ ସେ ସୁରକ୍ଷିତ ବିଜୟ ହାସଲ କରିପାରିନଥିଲେ ବୋଲି କହିଛନ୍ତି। ଏଥିଲାଗି ୧୩ ସେପ୍ଟେମ୍ବର ୨୦୧୩ରେ ଅତିରିକ୍ତ ସେସନ୍ସ ଜଜ୍ ୟୋଗେଶ ଖନ୍ନାଙ୍କୁ ଲୋକ ଓ ରାଜନୈତିକ ଚାପ ଏବଂ ଭୋଟ ବ୍ୟାଙ୍କ ପଲିଟିକ୍ସ ଯୋଗୁ ଏପରି ରାୟ ଦେଇଥିବାର ଅଭିଯୋଗ ବି କରିଥିଲେ। କେବଳ ଥରଟିଏ ନୁହେଁ ସେ ଏପରି ଅନେକ ମତ ମନ୍ତବ୍ୟ ଦେଇ ଶରବ୍ୟ ହେବା ସହ ବାର କାଉନସିଲ ଇଣ୍ଡିଆଙ୍କ ନୋଟିସ୍ ବି ପାଇଛନ୍ତି।
ନିମ୍ନ ଅଦାଲତରେ ମାମଲାର ବିଚାର ଚାଲିଥିବା ବେଳେ ରେଡିଓ ସିଟି ଲୋକଙ୍କ ମାନସିକତାକୁ ଦେଖି ମାମଲାରୁ ଡିଫେନ୍ସ ଓକିଲଙ୍କୁ ଦୂରେଇ ଯିବା ଲାଗି କ୍ୟାମ୍ପେନ ବି ଆରମ୍ଭ କରିଥିଲା। ଓକିଲଙ୍କ ବ୍ୟକ୍ତିଗତ ଜୀବନକୁ ଦୁର୍ବିସହ କରିଦେଇଥିଲା ଏହି ମୋକଦ୍ଦମା । ଏଥିରେ ସେ ମାମଲାରୁ ଦୂରେଇବା ଦୂରର କଥା ଅନ୍ୟ ଜଣେ ଦୋଷୀର ମୋକଦ୍ଦମାର ଦାୟିତ୍ୱବି ଗ୍ରହଣ କରିଥିଲେ । ଏଣୁ ଯେତେବେଳେ ଆଶା ଦେବୀ କୋର୍ଟ ବାରଣ୍ଡାରେ ଡିଫେନ୍ସ ଓକିଲଙ୍କୁ ଗାଳିମନ୍ଦ କରୁଛନ୍ତି ଅଭିଶାପ ଦେଉଛନ୍ତି ସେତେବେଳେ ଅକ୍ଷୟ ଓ ପବନଙ୍କ ପରିବାର ଲୋକଙ୍କ ଲାଗି ସେ ଏବେ ଭଗବାନ ପାଲଟିଯାଇଛନ୍ତି।
ତେବେ ଓକିଲ ଏ.ପି.ସିଂହ କହନ୍ତି ମୁଁ ବ୍ରହ୍ମା ନୁହେଁ ସୃଷ୍ଟି ସର୍ଜନା କରିନି କି ଯମରାଜ ନୁହେଁ କାହାକୁ ମୃତ୍ୟୁ ଦେଇ ପାରିବି। ହେଲେ ମୋ ପେଷାର ଦାୟିତ୍ୱ ଓ ନିଷ୍ଠାକୁ ମୁଁ ନିଶ୍ଚିତ ପାଳନ କରିବି। ଦେଶର ବିଚାରବିଭାଗ ଆଇନର ଦୁର୍ବଳତାରୁ ଅପରାଧୀ ଓ ତାଙ୍କ ଓକିଲ ଫାଇଦ ଉଠାଉଥିବାର ଅଭିଯୋଗ କରୁଛନ୍ତି । ହେଲେ ମୃତ୍ୟୁ ଅପେକ୍ଷାରେ ଜେଲରେ ଦିନ କାଟୁଥିବା ଅପରାଧୀଙ୍କ ଜୀବନ ରେଖା ଦୀର୍ଘ କରିବାରେ କେବେ ଓକିଲ ସିଂହଙ୍କୁ ଅଟକାଇ ପାରିନାହାନ୍ତି।
ଜଣେ ଡିଫେନ୍ସ ଓକିଲ ଭାବେ ସିଂହ ଯାହା କରୁଛନ୍ତି ତାହା ଠିକ୍ ବୋଲି ଏବେ ଦେଶର ଅନ୍ୟ ଓକିଲମାନେ ବି ସ୍ୱୀକାର କଲେଣି। ଟୁ-ଜି କେସ୍ରେ ଏ.ରାଜାଙ୍କ ପକ୍ଷ ରଖିଥିବା ଓକିଲ ମନୁ ଶର୍ମା କହିଛନ୍ତି ଯେ ଲୋକେ ଦୋଷୀ ଭାବୁଥିବା ଅପରାଧୀ ଲାଗି କୋର୍ଟରେ କେଶ ଲଢିବେନି ବୋଲି କେବେ ମନା କରିପାରିବେନି ଓକିଲ । ସମ୍ବିଧାନର ଅନୁଚ୍ଛେଦ ୨୧ରେ କାହାକୁ ତାଙ୍କ ଜୀବନ ଓ ସ୍ୱାଧୀନତାରୁ ଆଇନର କଠିନ ପ୍ରକ୍ରିୟାରେ ବଞ୍ଚିତ କରାଯାଇ ପାରିବନି ବୋଲି ସ୍ପଷ୍ଟ କୁହାଯାଇଛି । ସେହିପରି ଅନୁଚ୍ଛେଦ ୨୨ରେ ଓକିଲଙ୍କ ଲାଗି ଅପରାଧୀଙ୍କ ନିମନ୍ତେ ଅନୁଚ୍ଛେଦ ୨୧ର ପାଳନ ହୋଇଛି କି ନା ତାହା ସୁନିଶ୍ଚିତ କରିବା ବାଧ୍ୟତାମୂଳକ ବୋଲି କହିଛନ୍ତି ଶର୍ମା। ଏଣୁ ସାଧାରଣ ଜନତା ଓକିଲଙ୍କ କାମ ଉପରେ କୌଣସି ଅନାଧିକାର ମନ୍ତବ୍ୟ ନ ଦେବା ଶ୍ରେୟସ୍କର ବୋଲି ଶର୍ମା କହିଛନ୍ତି।