ମ୍ୟାଚ୍‌ ପରେ କାହାକୁ ଦୋଷ ଦେଲେ ରୋହିତ ଶର୍ମା, ଭାରତ ହାରିବା ପଛରେ କିଏ ଦାୟୀ ?

Published By : Prameya-News7 Bureau | October 30, 2022 IST

ପର୍ଥ: ଆଇସିସି ଟି-୨୦ ବିଶ୍ଵ କପ୍‌ ମୁକାବିଲାରେ ରବିବାର ଭାରତ ଦକ୍ଷିଣ ଆଫ୍ରିକା ନିକଟରୁ ୫ ଓ୍ଵିକେଟ୍‌ରେ ପରାଜିତ ହୋଇଛି। ବ୍ୟାଟସମ୍ୟାନଙ୍କ ନୈରାଶ୍ୟଜନକ ପ୍ରଦର୍ଶନ କାରଣରୁ ଭାରତ ନିର୍ଦ୍ଧାରିତ ଓଭରରେ ୯ ଓ୍ଵିକେଟ୍ ହରାଇ ୧୩୩ ରନ କରିବାକୁ ସକ୍ଷମ ହୋଇଥିଲା। ଜବାବରେ ଦକ୍ଷିଣ ଆଫ୍ରିକା ୫ ଓ୍ଵିକେଟ୍ ହରାଇ ୧୯.୪ ଓଭରରେ ବିଜୟ ଲକ୍ଷ୍ୟ ହାସଲ କରି ନେଇଥିଲା। ଭାରତ ପକ୍ଷରୁ ସୂର୍ଯ୍ୟକୁମାର ଯାଦବ ୬୮ ରନର ଚିତ୍ତାକର୍ଷକ ଇନିଂସ ଖେଳିଥିଲେ।

ମ୍ୟାଚ୍ ପରେ ରୋହିତ ଶର୍ମା କହିଛନ୍ତି, ଆମେ ଆଶା କରିଥିଲୁ ଯେ, ପିଚ୍‌ରେ କିଛିଟା ରହିଛି। ଆମେ ଜାଣିଥିଲୁ ଯେ, ପିଚ୍‌ରେ ଦ୍ରୁତ ବୋଲରଙ୍କୁ ବେଶ ଫାଇଦା ମିଳିବ। ଏହି କାରଣରୁ ଜାଣିଥିଲୁ ଯେ, ଲକ୍ଷ୍ୟର ପିଛା କରିବା ସେତେଟା ସହଜ ହେବ ନାହିଁ। କିନ୍ତୁ ପ୍ରଥମେ ବ୍ୟାଟିଂ କରି ଆମେ କମ ରନ କଲୁ। ତଥାପି ଆମେ ଭଲ ସଂଘର୍ଷ କଲୁ। ମାତ୍ର ଦକ୍ଷିଣ ଆଫ୍ରିକା ଆମଠୁ ଉନ୍ନତ କ୍ରିକେଟ୍ ଖେଳିଛି। ୧୦ ଓଭରରେ ୪୦ ରନରେ ୩ ଓ୍ଵିକେଟ୍ ନେବା ପରେ ଆମେ ସର୍ବଦା ମାନିଥାଉ ଯେ, ମ୍ୟାଚ୍‌ରେ ଜୀବିତ ଅଛୁ। କିନ୍ତୁ ମାରକ୍ରମ ଏବଂ ମିଲରଙ୍କ ମଧ୍ୟରେ ମ୍ୟାଚ୍ ବିଜୟୀ ଭାଗିଦାରୀ ଦେଖିବାକୁ ମିଳିଛି।

ରୋହିତ କହିଛନ୍ତି, ମ୍ୟାଚ୍‌ରେ ଆମେ ବହୁତ ଖରାପ ଫିଲ୍ଡିଂ କରିଛୁ। ଅନେକ ସୁଯୋଗ ହାତଛଡା କଲୁ। ଜରୁରୀ ସମୟରେ ଫିଲ୍ଡିଂରେ ଭଲ ପ୍ରଦର୍ଶନ କରିନଥିଲୁ। ଗତ ଦୁଇଟି ମ୍ୟାଚ୍‌ରେ ଆମର ଫିଲ୍ଡିଂ ବହୁତ ଭଲ ଥିଲା। ଆମେ ଏଠାରେ ମିଳିଥିବା ସୁଯୋଗର ଫାଇଦା ଉଠାଇ ପାରିଲୁ ନାହିଁ। କିଛି ରନ ଆଉଟ୍‌ ହାତଛଡା କଲୁ।

ଟୁର୍ଣ୍ଣାମେଣ୍ଟରେ ମୁଁ ଦେଖି ଆସିଛି ଯେ, ଶେଷର କିଛି ଓଭରରେ ସ୍ପିନର କେମିତି ବୋଲିଂ କରୁଛନ୍ତି। ଏହି କାରଣରୁ କିଛି ଅଲଗା କରିବାକୁ ଚାହୁଁଥିଲି। ଅଶ୍ଵିନଙ୍କ ଓଭର ସାରି ଦ୍ରୁତ ବୋଲରଙ୍କୁ ସଠିକ୍ ଟାଇମ୍‌ରେ ବୋଲିଂ କରାଇବାକୁ ଯୋଜନା ଥିଲା। ଆପଣଙ୍କୁ ବୋଲରଙ୍କ ଉପଯୋଗ ଠିକ୍ ସମୟରେ କରିବା ଅତି ଜରୁରୀ ହୋଇଥାଏ ବୋଲି ରୋହିତ ଶର୍ମା କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.