ନୂଆଦିଲ୍ଲୀ: ମେ ମାସରେ ପାଇକାରୀ (ହୋଲସେଲ) ମୁଦ୍ରାସ୍ଫୀତି ବୃଦ୍ଧି ପାଇଛି। ଏହା ଗତ ୧୫ ମାସରେ ସର୍ବୋଚ୍ଚ ସ୍ତରରେ ପହଞ୍ଚିଛି। ଆଜି (ଜୁନ ୧୪) ପ୍ରକାଶିତ ତଥ୍ୟ ରିପୋର୍ଟ ଅନୁଯାଯୀ ହୋଲସେଲ ମୁଦ୍ରାସ୍ଫୀତି ମେ ମାସରେ ୨.୬୧% କୁ ବୃଦ୍ଧି ପାଇଛି। ଫେବୃଆରୀ ୨୦୨୩ରେ ହୋଲସେଲ ମୁଦ୍ରାସ୍ଫୀତି ହାର ୩.୮୫% ଥିଲା।
ସେହିପରି ଏପ୍ରିଲ୍ ୨୦୨୪ରେ, ମୁଦ୍ରାସ୍ଫୀତି ୧.୨୬% ଥିଲା, ଯାହା ୧୩ ମାସ ମଧ୍ୟରେ ସର୍ବୋଚ୍ଚ ସ୍ତର ଥିଲା। ଏହାର ଏକ ମାସ ପୂର୍ବରୁ, ମାର୍ଚ୍ଚ 2024 ରେ, ଏହା ୦.୫୩% ଥିଲା। ଫେବୃଆରୀରେ ହୋଲସେଲ ମୁଦ୍ରାସ୍ଫୀତି ୦.୨୦% ଥିଲା। ଅନ୍ୟପକ୍ଷରେ ବୁଧବାର ଖୁଚୁରା ମୁଦ୍ରାସ୍ଫୀତି ହ୍ରାସ ପାଇଥିଲା।
ମେ ମାସରେ ଖାଧ୍ୟ ମୁଦ୍ରାସ୍ଫୀତି ୧.୮୮ ପ୍ରତିଶତ ବୃଦ୍ଧି
ଏପ୍ରିଲ ତୁଳନାରେ ଖାଦ୍ୟ ମୁଦ୍ରାସ୍ଫୀତି ୫.୫୨% ରୁ ୭.୪୦% କୁ ବୃଦ୍ଧି ପାଇଛି। ନିତ୍ୟ ବ୍ୟବହାର୍ଯ୍ୟ ଅତ୍ୟାବଶ୍ୟକ ସାମଗ୍ରୀର ମୁଦ୍ରାସ୍ଫୀତି ହାର ୫.୦୧% ରୁ ୭.୨୦%କୁ ବୃଦ୍ଧି ପାଇଛି। ଇନ୍ଧନ ଏବଂ ଉର୍ଜାର ହୋଲସେଲ ମୁଦ୍ରାସ୍ଫୀତି ହାର ୧.୩୮% ରୁ ୧.୩୫% କୁ ହ୍ରାସ ପାଇଛି। ମେନୁଫେକ୍ଚରିଂ ପ୍ରଡକ୍ଟର ହୋଲସେଲ ମୁଦ୍ରାସ୍ଫୀତି -୦.୪୨% ରୁ ୦.୭୮% କୁ ବୃଦ୍ଧି ପାଇଛି।
ଏହାପୂର୍ବରୁ ଜୁନ୍ ୧୨ ତାରିଖରେ ମେ ପାଇଁ ଖୁଚୁରା ମୁଦ୍ରାସ୍ଫୀତି ଆକଳନ କରାଯାଇଥିଲା। ଏହି ଅନୁଯାୟୀ, ମେ ମାସରେ ଖୁଚୁରା ମୁଦ୍ରାସ୍ଫୀତି ୪.୭୪% ରହିଥିଲା। ଗତ ୧୨ ମାସରେ ଏହା ସର୍ବନିମ୍ନ ଥିଲା। ମାସକ ପୂର୍ବରୁ ଅର୍ଥାତ ଏପ୍ରିଲରେ ଖୁଚୁରା ମୁଦ୍ରାସ୍ଫୀତି ୪.୮୩% କୁ ଖସି ଆସିଥିଲା।
ଖାଉଟିଙ୍କ ଉପରେ ଡବ୍ଲୁପିଆଇର ପ୍ରଭାବ
ହୋଲସେଲ ମୁଦ୍ରାସ୍ଫୀତିର ଦୀର୍ଘଦିନ ଧରି ଉଚ୍ଚାସ୍ତରରେ ରହିଲେ ଅଧିକାଂଶ ପ୍ରଡକ୍ଟିଭ୍ ସେକ୍ଟର ଉପରେ ନକାରାତ୍ମକ ପ୍ରଭାବ ପକାଇଥାଏ। ଯଦି ହୋଲସେଲ ମୂଲ୍ୟ ଅଧିକ ସମୟ ପର୍ଯ୍ୟନ୍ତ ଉଚ୍ଚାସ୍ତରରେ ରହିଥାଏ ତେବେ ସାମଗ୍ରୀ ଉତ୍ପାଦନକାରୀମାନେ ଏହାର ବୋଝ ଗ୍ରାହକଙ୍କ ଉପରେ ଲଦି ଦିଅନ୍ତି। ତେବେ ସରକାର କେବଳ ଟ୍ୟାକ୍ସ ହ୍ରାସ କରି ହୋଲ୍ସେଲ୍ ମୁଦ୍ରାସ୍ଫୀତିକୁ ନିୟନ୍ତ୍ରଣ କରିପାରିବେ।
ଉଦାହରଣ ସ୍ୱରୂପ, ଅଶୋଧିତ ତୈଳ ଦରରେ ତୀବ୍ର ବୃଦ୍ଧି ପରିସ୍ଥିତିରେ ସରକାର ଇନ୍ଧନ ଉପରେ ଏକ୍ସାଇଜ୍ ଟ୍ୟାକ୍ସ ହ୍ରାସ କରିଥିଲେ। ତେବେ ସୀମା ଭିତରେ ରହି ସରକାରଙ୍କୁ ଟ୍ୟକ୍ସ କାଟ କରବାକୁ ପଡ଼ିବ। WPIରେ, ମେଟାଲ, କେମିକଲ, ପ୍ଲାଷ୍ଟିକ୍, ରବର ପରି କାରଖାନା ସମ୍ବନ୍ଧୀୟ ସାମଗ୍ରୀକୁ ଅଧିକ ଗୁରୁତ୍ୱ ଦିଆଯାଏ।
ମୁଦ୍ରାସ୍ଫୀତି କିପରି ମପାଯାଏ?
ଭାରତରେ ଦୁଇ ପ୍ରକାରର ମୁଦ୍ରାସ୍ଫୀତି ଆକଳନ କରାଯାଏ। ଗୋଟିଏ ହେଉଛି ରିଟେଲ ବା ଖୁଚୁରା ଓ ଅନ୍ୟଟି ହୋଲସେଲ ମୁଦ୍ରାସ୍ଫୀତି।ଖୁଚୁରା ମୁଦ୍ରାସ୍ଫୀତି ହାର ସାଧାରଣ ଗ୍ରାହକମାନଙ୍କ ଦ୍ୱାରା ଦିଆଯାଇଥିବା ମୂଲ୍ୟ ଉପରେ ଆଧାରିତ ହୋଇଥାଏ। ଏହାକୁ ଗ୍ରାହକ ମୂଲ୍ୟ ସୂଚକାଙ୍କ (ସିପିଆଇ) ମଧ୍ୟ କୁହାଯାଏ। ଏଥିସହିତ, ହୋଲସେଲ ମୂଲ୍ୟ ସୂଚକାଙ୍କ (ଡବ୍ଲୁପିଇ)ର ଅର୍ଥ ହେଉଛି ହୋଲସେଲ ବଜାରରେ ଜଣେ ବ୍ୟବସାୟୀ ଅନ୍ୟ ବ୍ୟବସାୟୀଙ୍କଠାରୁ ଚାର୍ଜ କରୁଥିବା ମୂଲ୍ୟ।
ମୁଦ୍ରାସ୍ଫୀତି ମାପିବା ପାଇଁ ବିଭିନ୍ନ ଆଇଟମ୍ ସାମିଲ କରାଯାଏ। ଉଦାହରଣ ସ୍ୱରୂପ, ହୋଲସେଲ ମୁଦ୍ରାସ୍ଫୀତିରେ ଉତ୍ପାଦିତ ଦ୍ରବ୍ୟର ଅଂଶ ୬୩.୭୫%, ଖାଦ୍ୟ ୨୦.୦୨% ଏବଂ ଇନ୍ଧନ ଓ ଶକ୍ତି ୧୪.୨୩% ପରି ପ୍ରାଥମିକ ସାମଗ୍ରୀଗୁଡ଼ିକୁ ସାମିଲ୍ କରାଯାଏ। ସେହିପରି ଖୁଚୁରା ମୁଦ୍ରାସ୍ଫୀତିରେ ଖାଦ୍ୟ ଏବଂ ଉତ୍ପାଦର ଅଂଶ ୪୫.୮୬%, ଗୃହ ୧୦.୦୭% ଏବଂ ଇନ୍ଧନ ସହିତ ଅନ୍ୟାନ୍ୟ ସାମଗ୍ରୀର ମଧ୍ୟ ଅଂଶ ରହିଛି।