ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଚେତାବନୀ: ୨୦୩୦ ସୁଦ୍ଧା ବଢ଼ିଯିବ ଏହି ରୋଗ, ବଦଳାନ୍ତୁ ଜୀବନଶୈଳୀ ନ ହେଲେ…

Published By : Prameya-News7 Bureau | October 24, 2022 IST


ନୂଆଦିଲ୍ଲୀ: କରୋନା ପରଠାରୁ ଅଧିକାଂଶ ଲୋକ ବିଭିନ୍ନ ରୋଗରେ ପୀଡ଼ିତ ହେଉଛନ୍ତି। ଅନେକ ଲୋକ କୋଭିଡ ପରବର୍ତ୍ତୀ ସମସ୍ୟା ସହ ଲଢ଼ୁଛନ୍ତି। ଆଉ ଏଭଳି ସ୍ଥିତିରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପୁଣି ଚେତାବନୀ ଜାରି କରିଛି। ପ୍ରକୃତରେ ନିକଟରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ୨୦୨୨ର ଆମର ଜୀବନଶୈଳୀ ନେଇ ଏକ ବୈଶ୍ୱିକ ରିପୋର୍ଟ, ଗ୍ଲୋବାଲ ଆକ୍ସନ ପ୍ଲାନ ଅନ୍ ଫିଜିକାଲ ଆକ୍ଟିଭିଟି(ଜିଏପିପିଏ) ୨୦୧୮-୨୦୩୦ ଜାରି କରିଛି। ଏଥିରେ ଶାରୀରିକ ବ୍ୟାୟାମକୁ ଅଧିକ ଗୁରୁତ୍ୱ ଦିଆଯାଇଛି। ଏହି ରିପୋର୍ଟରେ ଡବ୍ଲୁଏଚଓ ମୁଖ୍ୟ ଟେଡ୍ରୋସ ଅଧନୋମ ଘେବ୍ରେୟସ କହିଛନ୍ତି ଯେ ଚାଲିବା, ସାଇକେଲ ଚଲାଇବା, ଖେଳ ଏବଂ ଅନ୍ୟ ଶାରୀରିକ ପରିଶ୍ରମ ଶରୀର ପାଇଁ ବହୁତ ଭଲ।

ତେବେ ଏହି ରିପୋର୍ଟରେ ଏକ ଭୟଭୀତ କରିବା ଭଳି ତଥ୍ୟ ଆସିଛି। ରିପୋର୍ଟରେ କୁହାଯାଇଛି ଯେ, ୨୦୩୦ ସୁଦ୍ଧା ୫୦୦ ମିଲିୟନ ଅଣସଂକ୍ରାମକ ରୋଗ ସାମ୍ନାକୁ ଆସିବ। ଯେଉଁଥିରୁ ପ୍ରାୟ ୪୭ ପ୍ରତିଶତ ଉଚ୍ଚ ରକ୍ତଚାପ ଏବଂ ୪୩ ପ୍ରତିଶତ ଡିପ୍ରେସନ କାରଣରୁ ଉତ୍ପନ୍ନ ହେବେ। ଡବ୍ଲୁଏଚଓ ଏହା ପଛର କାରଣ ମଧ୍ୟ କହିଛି। ରିପୋର୍ଟ ଅନୁଯାୟୀ ଶାରୀରିକ ପରିଶ୍ରମର ଅଭାବ ଏହି ରୋଗଗୁଡିକର ମୁଖ୍ୟ କାରଣ ହେବ। ମହିଳାଙ୍କ ମଧ୍ୟରେ ଏହି ରୋଗ ଅଧିକ ମାତ୍ରାରେ ହୋଇପାରେ ବୋଲି ରିପୋର୍ଟରେ କୁହାଯାଇଛି।

ଡବ୍ଲୁଏଚଓ ରିପୋର୍ଟରେ ପରାମର୍ଶ ଦିଆଯାଇଛି ଯେ ଶାରୀରିକ ନିଷ୍କ୍ରିୟତା, ଧୁମ୍ରପାନ ଏବଂ ମଦ୍ୟପାନ କରିବା ଅନେକ ରୋଗର କାରଣ ହୋଇଥାଏ। ଯଦି କେହି ପ୍ରତିଦିନ ଅଧାଘଣ୍ଟାରୁ ଏକ ଘଣ୍ଟା ଶାରୀରିକ ପରିଶ୍ରମ କରୁଛନ୍ତି, ତେବେ ଅନେକ ରୋଗରୁ ମୁକ୍ତି ମିଳିପାରିବ। ‘ହୁ’ କହିଛି ଯେ, ନିୟମିତ ବ୍ୟାୟାମ କରିବା ଦ୍ୱାରା ମୃତ୍ୟୁ ଆଶଙ୍କା ୨୦ ରୁ ୩୦ ପ୍ରତିଶତ, ହୃଦରୋଗ ବିପଦ ୭ ରୁ ୮ ପ୍ରତିଶତ, ଡିପ୍ରେସନ ୭ ରୁ ୮ ପ୍ରତିଶତ, ଟାଇପ୍ ୨ ଡାଇବେଟିସ୍ ଆଶଙ୍କା ୫ ପ୍ରତିଶତ ପର୍ଯ୍ୟନ୍ତ କମ୍ ହୋଇପାରେ।

ତେବେ ରୋଗରୁ ମୁକ୍ତି ପାଇବା ଅଧିକରୁ ଅଧିକ ଶାରୀରିକ ପରିଶ୍ରମ କରନ୍ତୁ, ବ୍ୟାୟାମ ଏବଂ ଅନ୍ୟ ଶାରୀରିକ ପରିଶ୍ରମ କରନ୍ତୁ। ଯେମିତିକି ନିୟମିତ ଭାବରେ ଚାଲିବା, ସାଇକେଲ ଚଲାଇବା, ଦୌଡ଼ିବା, ସିଢ଼ି ଚଢ଼ିବା, ଶାରୀରିକ କାମ କରିବା, ବାହାରେ କିଛି ଖେଳାଖେଳି କରିବା ଆଦି ଲାଭଜନକ ହୋଇପାରେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.