ତାମିଲନାଡୁ ନିର୍ବାଚନରେ କିଏ ମାରିବ ବାଜି, କେରଳରେ କେଉଁ ଦଳ ଗଢିବ ସରକାର: ସାମ୍ନାକୁ ଆସିଲା ଓପିନିୟନ ପୋଲ୍

Published By : Prameya-News7 Bureau | February 27, 2021 IST

ନୂଆଦିଲ୍ଲୀ ୨୭।୦୨: ନିର୍ବାଚନ ଆୟୋଗଙ୍କ ତାରିଖ ଘୋଷଣା ସହିତ ଦେଶର ୪ ରାଜ୍ୟ ଓ ଏକ କେନ୍ଦ୍ର ଶାସିତ ଅଞ୍ଚଳରେ ବାଜି ସାରିଛି ନିର୍ବାଚନୀ ବିଗୁଲ। ଆସାମରେ ବିଜେପି କ୍ଷମତାକୁ ଫେରୁଥିବା ବେଳେ ତାମିଲନାଡୁରେ କଂଗ୍ରେସ ପାଇଁ ଆସିଛି ଖୁସି ଖବର। ସେହି ପରି କେରଳରେ ବାମପନ୍ଥୀ ପୁଣି ଥରେ କ୍ଷମତାସୀନ ହେବାକୁ ଯାଉଥିବା ଓପିନିୟନ ପୋଲ୍‌ରୁ ଜଣା ପଡିଛି। ପଶ୍ଚିମବଙ୍ଗରେ ପୁଣି ଥରେ ମମତା ବାନାର୍ଜୀଙ୍କ ତୃଣମୂଳ କଂଗ୍ରେସ ସରକାର ଗଢିବାକୁ ଯାଉଥିବା ଓପିନିୟନ ପୋଲ୍‌ରେ ଭବିଷ୍ୟତବାଣୀ କରାଯାଇଛି। ହେଲେ ଆମେ ଏଠି ତାମିଲନାଡୁ ଏବଂ କେରଳକୁ ନେଇ ହୋଇଥିବା ଓପିନିୟନ ପୋଲ୍‌ ବିଷୟରେ ତଥ୍ୟ ରଖୁଛୁ।‌

ଦକ୍ଷିଣ ଭାରତର ରାଜ୍ୟ ତାମିଲନାଡୁରେ ୨୩୪ ବିଧାନସଭା ଆସନା ପାଇଁ ଏପ୍ରିଲ ୬ରେ ମତଦାନ ହେବ ଏବଂ ଫଳାଫଳ ମେ ୨ରେ ଘୋଷଣା ହେବ। ତାମିଲନାଡୁରେ ଏଆଇଏଡିମକେ ପୁଣି ଥରେ କ୍ଷମତାକୁ ଫେରିବା ପାଇଁ ଯଥା ସମ୍ଭବ ପ୍ରୟାସ ଚଳାଇଛି। ଅନ୍ୟପଟେ ବିରୋଧୀ ଡିଏମକେ ନିର୍ବାଚନ ଜିତି ସରକାର ଗଢିବାକୁ ଅଣ୍ଟା ଭିଡିଛି। ଏଆଇଏଡିମକେ ସହ ବିଜେପି ମେଣ୍ଟ କରିଥିବା ବେଳେ ଡିଏମକେକୁ କଂଗ୍ରେସର ସମର୍ଥନ ମିଳିଛି। ନିର୍ବାଚନ ପୂର୍ବରୁ ଏବିପି ନ୍ୟୁଜ୍ ଭୋଟରଙ୍କ ମୋଡ୍ ପରଖିଛି।

କେରଳରେ ବାମପନ୍ଥୀ ଦଳ ପୁଣି ଥରେ କ୍ଷମତାକୁ ଫେରିପାରେ। ଓପିନିୟମ ପୋଲ୍ କେରଳରେ ବାମପନ୍ଥୀ ଦଳର ମେଣ୍ଟ ପୁଣି ଥରେ କ୍ଷମତାକୁ ଫେରିବାର ଭବିଷ୍ୟବାଣୀ କରିଛି। ଏହି ରାଜ୍ୟରେ ଏଲଡିଏଡ଼କୁ ୮୩ ରୁ ୯୧ ଆସନ ମିଳିପାରେ। କଂଗ୍ରେସ ମେଣ୍ଟ ୟୁଡିଏଫ ୪୭ ରୁ ୫୫ ଆସନ ଜିତିପାରେ। ଅନ୍ୟପଟେ ବିଜେପିକୁ ୦ ରୁ ୨ ଆସନ ମିଳିପାରେ।

ତାମିଲନାଡୁରେ କାହାକୁ ମିଳିବ କେତେ ପ୍ରତିଶତ ଭୋଟ୍

ଏବିପି ନ୍ୟୁଜ୍ ସି ଭୋଟରର ଓପିନିୟନ ପୋଲ୍ ଅନୁଯାୟୀ ତାମିଲନାଡୁରେ ଏଆଇଏଡିଏମକେ ମେଣ୍ଟକୁ ୨୯ ପ୍ରତିଶତ ଭୋଟ୍ ମିଳିବାର ସମ୍ଭାବନା ରହିଛି। ଅନ୍ୟପଟେ ଡିଏମକେ ମେଣ୍ଟକୁ ୪୧ ପ୍ରତିଶତ ଭୋଟ୍ ମିଳିବାର ଅନୁମାନ କରାଯାଉଛି। ଅନ୍ୟ ଖାତାକୁ ୩୦ ପ୍ରତିଶତ ଭୋଟ୍ ଯାଉଥିବା ଓପିନିୟନ ପୋଲ୍‌ରେ ପୂର୍ବାନୁମାନ କରାଯାଇଛି।

ତାମିଲନାଡୁରେ କାହାକୁ କେତେ ଭୋଟ୍

ଓପିନିୟନ ପୋଲ୍ ଅନୁଯାୟୀ, ତାମିଲନାଡୁରେ ଏଆଇଏଡିଏମକେ ମେଣ୍ଟକୁ ୫୮-୬୬ ସିଟ୍ ମିଳିବାର ପୂର୍ବାନୁମାନ କରାଯାଇଛି। ଅନ୍ୟପଟେ ଡିଏମକେ ମେଣ୍ଟ କ୍ଷମତାକୁ ଫେରୁଥିବା ଦେଖିବାକୁ ମିଳିଛି। ଏଠାରେ ଡିଏମକେ ମେଣ୍ଟକୁ ୧୫୪ ରୁ ୧୬୨ ସିଟ୍ ଆସନ ମିଳିପାରେ। ଅନ୍ୟ ଖାତାକୁ ୮ ସିଟ୍‌ ଯିବାର ପୂର୍ବାନୁମାନ କରାଯାଇଛି।

ଗତ ୨୦୧୬ ନିର୍ବାଚନରେ ଏଆଇଏଡିଏମକେ ମେଣ୍ଟ ୧୩୪ ଆସନରେ ବିଜୟୀ ହୋଇ ସରକାର ଗଠନ କରିଥିଲା। ଡିଏମକେ ମେଣ୍ଟ ୯୮ ସିଟ୍‌ରେ ବିଜୟୀ ହୋଇ ବିରୋଧୀ ଆସନରେ ବସିଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.