ଦିଲ୍ଲୀ ବନାମ କେନ୍ଦ୍ର: ସେବା ଉପରେ କାହାର ନିୟନ୍ତ୍ରଣ ରହିବ, ୫ ଜଣିଆ ଖଣ୍ଡପୀଠ କରିବେ ମାମଲାର ଶୁଣାଣି

Published By : Prameya-News7 Bureau | August 22, 2022 IST

ନୂଆଦିଲ୍ଲୀ: ଦିଲ୍ଲୀ ବନାମ କେନ୍ଦ୍ର ରାଜନୀତି ଲାଗି ରହିଛି। ରାଜଧାନୀ ଦିଲ୍ଲୀରେ ପ୍ରଶାସନିକ ସେବା ଉପରେ କାହାର ଅଧିକାର ରହିବ ରାଜ୍ୟ ନା କେନ୍ଦ୍ର ସରକାରଙ୍କର। ଏହାକୁ ନେଇ ଆମ୍ ଆଦମୀ ପାର୍ଟି ଏବଂ କେନ୍ଦ୍ର ସରକାରଙ୍କ ମଧ୍ୟରେ ଟଣାଓଟରା ଲାଗି ରହିଛି। ଏହି ମାମଲା ସଂପ୍ରତି ସୁପ୍ରିମକୋର୍ଟରେ ବିଚାରଧୀନ ରହିଛି। ଏବେ ମାମଲାର ଶୁଣାଣି କରିବେ ପାଞ୍ଚ ଜଣିଆ ବୃହତ ଖଣ୍ଡପୀଠ। ସୋମବାର ଏହାର ସୂଚନା ଦେଇଛନ୍ତି ପ୍ରଧାନ ବିଚାରପତି ଏନଭି ରମଣା। ସେ କହିଛନ୍ତି ଦେଶର ରାଜଧାନୀରେ ସେବାର ନିୟନ୍ତ୍ରଣକୁ ନେଇ କେନ୍ଦ୍ର ତଥା ଦିଲ୍ଲୀ ସରକାରଙ୍କ ଆଇନ ଏବଂ କାର୍ଯ୍ୟକାରୀ ଶକ୍ତିକୁ ନେଇ ଉପଜୁଥିବା ମାମଲାର ଶୁଣାଣି ପାଇଁ ପାଞ୍ଚ ଜଣିଆ ସାମ୍ବିଧାନିକ ପୀଠ ଗଠନ କରାଯାଇଛି।

ସିଜେଆଇ କହିଛନ୍ତି, ବିଚାରପତି ଡିଓ୍ଵାଇ ଚନ୍ଦ୍ରଚୂଡଙ୍କ ନେତୃତ୍ଵାଧୀନ ପୀଠ କେନ୍ଦ୍ର ଏବଂ  ଦିଲ୍ଲୀ ସରକାରଙ୍କ ମଧ୍ୟରେ ଜାରି ବିବାଦର ଶୁଣାଣି କରିବେ। ଏହା ପୂର୍ବରୁ ଜଣେ ଓକିଲ ପ୍ରଧାନ ବିଚାରପତି ଏନଭି ରମଣା, ବିଚାରପତି ହିମା କୋହଲି ଏବଂ ବିଚାରପତି ସିଟି ରବିକୁମାରଙ୍କ ପୀଠରେ ମାମଲାକୁ ଉଠାଇଥିଲେ। ଏହା ପରେ ମେ ୬ରେ ସୁପ୍ରିମକୋର୍ଟ ମାମଲାର ଶୁଣାଣି ପାଇଁ ପାଞ୍ଚ ଜଣିଆ ସାମ୍ବିଧାନିକ ଖଣ୍ଡପୀଠକୁ ପଠାଇଥିଲେ।

କେନ୍ଦ୍ର ସରକାର ପ୍ରଶାସନିକ ସେବାର ନିୟନ୍ତ୍ରଣ ଏବଂ ସଂଶୋଧିତ ଜିଏନସିଟିଡି ଅଧିନିୟମ ୨୦୨୧ର ସାମ୍ବିଧାନିକ ବୈଧତାକୁ ଚ୍ୟାଲେଞ୍ଜ ଦେଉଥିବା ଦିଲ୍ଲୀ ସରକାରଙ୍କୁ ଦୁଇ ଅଲଗା ଅଲଗା ଆବେଦନ ଉପରେ ଯୁଗ୍ମ ଭାବେ ଶୁଣାଣି କରିବାକୁ ଅନୁରୋଧ କରିଥିଲେ। ଜିଏନସିଟିଡି ଅଧିନିୟମରେ ଉପ ରାଜ୍ୟପାଳଙ୍କୁ କଥିତ ଭାବେ ଅଧିକ ଶକ୍ତି ପ୍ରଦାନ କରାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.