କିଏ ଦେବ କରୋନା ଟିକା, କେନ୍ଦ୍ର ନା ରାଜ୍ୟ ? ରାଜ୍ୟ ସରକାରଙ୍କୁ ଘେରିଲେ ବିରୋଧୀ, କହିଲେ- ନିର୍ବାଚନ ନାହିଁ ବୋଲି ତତ୍ପରତା ଦେଖାଉନି ବିଜେଡି ସରକାର

Published By : Prameya-News7 Bureau | December 16, 2020 IST

ଭୁବନେଶ୍ଵର ୧୬।୧୨: ବାହାରିନ କୋଭିଡ୍ ଟିକା। ଚାଲିଛି ଏହାର ତୃତୀୟ ପର୍ଯ୍ୟାୟ ପରୀକ୍ଷଣ। ୧୧ଟି ଦେଶରେ ଫାଇଜର ବାୟୋଟେକ ଭାକ୍ସିନକୁ ଜରୁରୀକାଳୀନ ବ୍ୟବହାର ହେଲାଣି। ଏପଟେ କେନ୍ଦ୍ର ସରକାର ଟିକାର ତୃତୀୟ ପରୀକ୍ଷଣକୁ ଫଳାଫଳକୁ ଅପେକ୍ଷା କରିଥିବାବେଳେ ବିହାର ଓ କେରଳ ସରକାର ମାଗଣାରେ କରୋନା ଟିକା ସମସ୍ତଙ୍କୁ ଦେବାକୁ ଘୋଷଣା କରିଛନ୍ତି। ତେବେ ଓଡ଼ିଶା ସରକାର କିନ୍ତୁ ଟିକା ପ୍ରଦାନ ନେଇ କୌଣସି ପଦକ୍ଷେପ ନେଇ ନାହାନ୍ତି ବୋଲି ଅଭିଯୋଗ କରି ସରକାରଙ୍କୁ ଘେରିଛନ୍ତି ବିରୋଧୀ। ଏପଟେ ବିଜେଡିର ଯୁକ୍ତି, କୋଭିଡ୍ ପରିଚାଳନାରେ ରାଜ୍ୟ ସରକାର ନମ୍ବର ଓ୍ବାନ ହୋଇଛନ୍ତି । ତେଣୁ ଟିକା ଦେବା ପାଇଁ ସମସ୍ତ ବ୍ୟବସ୍ଥା ହୋଇଛି।

ଲୋକେ କେମିତି ପାଇବେ କୋଭିଡ ଟିକା। ମାଗଣାରେ ନା  କିଣିବାକୁ ପଡିବ।  କେନ୍ଦ୍ର ସରକାର ନା ରାଜ୍ୟ ସରକାର କେହି ବି ଏପର୍ଯ୍ୟନ୍ତ ସ୍ପଷ୍ଟ କରିନାହାନ୍ତି। ଏପଟେ କିନ୍ତୁ କେରଳ ଓ ବିହାର ସରକାର କୋଭିଡ ଟିକା ସମସ୍ତଙ୍କୁ ମାଗଣାରେ ଦେବାକୁ ଘୋଷଣା କରିସାରିଛନ୍ତି।  ଏହାକୁ ନେଇ ଏବେ ରାଜ୍ୟସରକାରଙ୍କୁ  ଘେରିଛନ୍ତି ବିରୋଧୀ । କଂଗ୍ରେସର କହିବା କଥା ରାଜ୍ୟ ସରକାର ନିର୍ବାଚନ ଆସିଲେ କୋଭିଡ ଟିକା ମଗଣାରେ ଦେବାକୁ ଘୋଷଣା କରିବେ। ଯେହେତୁ ବର୍ତମାନ ନିର୍ବାଚନ ନାହିଁ ସେଥିପାଇଁ ରାଜ୍ୟ ସରକାର କରୋନା ଟିକା ପାଇଁ ତତ୍ପରତା ଦେଖାଉନାହାନ୍ତି । ଏପଟେ ବିଜେପି ଦାବି କରିଛି ଗରିବ ଲୋକେ କେମିତି ଟିକା ପାଇବେ ସେଥିପାଇଁ ରାଜ୍ୟ ସରକାର ବଜେଟରୁ ବ୍ୟବସ୍ଥା କରନ୍ତୁ। କରୋନା ଟିକା କେମିତି ଦିଆଯିବ ସେନେଇ ଅନ୍ୟରାଜ୍ୟମାନେ ବ୍ୟବସ୍ଥା କରୁଥିବାବେଳେ ଓଡିଶା ସରକାର କଣ କରୁଛନ୍ତି ବୋଲି ପ୍ରଶ୍ନ କରିଛି ବିଜେପି।

ବର୍ତ୍ତମାନ ୬ଟି କୋଭିଡ  ଭାକ୍ସିନ ଲାଇନରେ ଅଛି। ଜାନୁୟାରୀରେ କିଛି ଭାକ୍ସିନ ଉପଲବ୍ଧ ହୋଇପାରେ। ଭାକ୍ସିନ ଆଗମନକୂ ଦେଖି ବିଭିନ୍ନ ରାଜ୍ୟ ପଦକ୍ଷେପ ନେଉଛନ୍ତି । ସେରମ ଇନଷ୍ଟିଚ୍ୟୁଟ ସହିତ ମୁଖ୍ୟମନ୍ତ୍ରୀ ଆଲୋଚନା କରିଥିଲେ।  ବର୍ତ୍ତମାନ ସୁଦ୍ଧା ରାଜ୍ୟ ସରକାର କୋଭିଡ ଟିକା ପ୍ରଦାନ ପାଇଁ କେନ୍ଦ୍ରସରକାରଙ୍କ ନିର୍ଦ୍ଦେଶ କ୍ରମେ ସ୍ବାସ୍ଥ୍ୟ କର୍ମୀମାନଙ୍କ ତାଲିକା ପ୍ରସ୍ତୁତ କରି ନାହାନ୍ତି। ୫୦ ବର୍ଷରୁ ଉର୍ଦ୍ଧ୍ଵ ଲୋକଙ୍କୁ କୋଭିଡ ଟିକା ଦେବା ପାଇଁ ଘୋଷଣା କରିଥିଲେ ବି ବର୍ତ୍ତମାନ ପର୍ଯ୍ୟନ୍ତ ତାଲିକା ହୋଇନି। କିନ୍ତୁ ବିଜେଡିର ଯୁକ୍ତି କୋଭିଡ ପରିଚଳନାରେ ରାଜ୍ୟସରକାର ନମ୍ବର ଓ୍ବାନ । ତେଣୁ ଟିକା ପ୍ରଦାନ ପାଇଁ ସରାକର ସମସ୍ତ ବ୍ୟବସ୍ଥା କରିଛନ୍ତି ।

୧୧ଟି ଦେଶ ଫାଇଜର ବାୟୋଟେକ ଟିକାକୁ ଜରୁରୀ କାଳୀନ ବ୍ୟବହାରୀ କରିବାକୁ ଅନୁମତି ଦେଇଛନ୍ତି । ତେବେ ଭାରତରେ କୌଣସି ଟିକା ଅନୁମତି ମିଳିନି। ତୃତୀୟ ଟ୍ରାଏଲ ରେଜଲ୍ଟକୁ  ଅପେକ୍ଷା  କରାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.