ରାହୁଲ, ଖଡଗେ ନା ଉଦ୍ଧବ, ‘ଇଣ୍ଡିଆ’ ମେଣ୍ଟ ଜିତିଲେ କିଏ ହେବ ପ୍ରଧାନମନ୍ତ୍ରୀ? ଜବାବ ଦେଲେ ଜୟରାମ ରମେଶ

Published By : Prameya-News7 Bureau | May 22, 2024 IST

ନୂଆଦିଲ୍ଲୀ ୨୨।୫: ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଲୋକସଭା ନିର୍ବାଚନ ଲଢୁଥିବା ଏନଡିଏ ମେଣ୍ଟର ନେତାମାନେ ଇଣ୍ଡିଆ ମେଣ୍ଟର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ କିଏ ବୋଲି ଲଗାତାର ପ୍ରଶ୍ନ କରୁଛନ୍ତି। ଏଥିରେ ଇଣ୍ଡି ମେଣ୍ଟ ଏପର୍ଯ୍ୟନ୍ତ ନିଜର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ସ୍ଥିର କରି ନାହିଁ। ଏ ନେଇ କଂଗ୍ରେସ ନେତା ଜୟରାମ ରମେଶଙ୍କୁ ପଚରା ଯିବାରେ ସେ କହିଛନ୍ତି ଯେ ଏହା ବ୍ୟୁଟି କଣ୍ଟେଷ୍ଟ ନୁହେଁ, ଆମେ ଏକ ପାର୍ଟି ଆଧାରିତ ଗଣତନ୍ତ୍ର। ତେବେ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଯେତେ ଗୁରୁତ୍ୱପୂର୍ଣ୍ଣ ନୁହେଁ କେଉଁ ପାର୍ଟି ଅଥବା ମେଣ୍ଟକୁ ଜନାଦେଶ ମିଳିବ ତାହା ହିଁ ଏବେ ଗୁରୁତ୍ୱପୂର୍ଣ୍ଣ । ଯେଉଁ ମେଣ୍ଟ ବା ପାର୍ଟିକୁ ଜନାଦେଶ ମିଳିବ ସେ ନିଜର ନେତା ବାଛିବ ଓ ସେ ପ୍ରଧାନମନ୍ତ୍ରୀ ହେବେ ବୋଲି କହିଛନ୍ତି। 

କଂଗ୍ରେସ ନେତା କହିଛନ୍ତି ଯେ ଆମେ ସର୍ଟକଟ୍‌ ରେ ବିଶ୍ୱାସ ରଖୁନା। ନିର୍ବାଚନ ଫଳାଫଳ ଘୋଷଣା ହେବାର ୨ ଦିନ ମଧ୍ୟରେ 


ପ୍ରଧାନମନ୍ତ୍ରୀଙ୍କ ନାମ ଘୋଷଣା ହୋଇଯିବ। ସଂଖ୍ୟାଗରିଷ୍ଠତା ପାଇଥିବା ମେଣ୍ଟ ପ୍ରାର୍ଥୀ ହିଁ ପ୍ରଧାନମନ୍ତ୍ରୀ ହେବେ। ଏହା ସେପରି ହେବ ଯାହା ୨୦୦୪ ମସିହାରେ ହୋଇଥିଲା। ସେହିପରି ଏକ ଘରୋଇ ଚ୍ୟାନେଲ ସାକ୍ଷାତକାର କାଳରେ ସଚ୍ଚିନ ପାଇଲଟଙ୍କୁ ‘ଇଣ୍ଡି’ ମେଣ୍ଟ  ଦେଶକୁ ଏକ ସ୍ଥିର ସରକାର ଦେଇ ପାରିବ କି ପଚରାଯିବାରେ ସେ କହିଛନ୍ତି ଯେ ଇଣ୍ଡି ମେଣ୍ଟ ନିଶ୍ଚିତ ଦେଶକୁ ଏକ ସ୍ଥିର ସରକାର ଦେଇ ପାରିବ। ପ୍ରଥମେ ୟୁପିଏ କାଳରେ କେନ୍ଦ୍ରରେ ମେଣ୍ଟ ସରକାର ଥିଲା ଏହି ସରକାର ଠିକଠାକ ଚାଲିଥିଲା। ଏହା ପୂର୍ବରୁ ବିଜେପି ନେତୃତ୍ୱାଧୀନ ଏନଡିଏ ମେଣ୍ଟ ମଧ୍ୟ ବେଶ୍ ଠିକଠାକ ଚାଲିଥିଲା ବୋଲି ସେ କହିଛନ୍ତି। 


ସଚ୍ଚିନ ପାଇଲଟ କହିଛନ୍ତି ଯେ ଆମର ଲକ୍ଷ ଲୋକଙ୍କ ନିକଟକୁ ବିକାଶ ପହଞ୍ଚାଇବା ଓ ଆମ ଦେଶର ବିକାଶ ହେଉ। ଏହି ଲକ୍ଷ ରଖି ସରକାର ଚାଲିଲେ କୌଣସି ପ୍ରକାର ଅସ୍ଥିରତା ଉପୁଜିବନି। ସେହିପରି ଇଣ୍ଡି ମେଣ୍ଟର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ବାବଦେ ପାଇଲଟଙ୍କୁ ପଚରା ଯିବାରେ ସେ ମଧ୍ୟ ଜୟରାମ ରମେଶଙ୍କ ଭଳି କହିଛନ୍ତି। ସେ କହିଛନ୍ତି ଯେ ପ୍ରଥମେ ଭୋଟ ଗଣନା ସରୁ। ଲୋକେ କାହାକୁ ଜନାଦେଶ ଦେଇଛନ୍ତି ତାହା ସ୍ପଷ୍ଟ ହେଉ। ଯଦି ଇଣ୍ଡି ମେଣ୍ଟକୁ ଜନାଦେଶ ମିଳିଥିବ ସମସ୍ତେ ମିଶି ଗୋଟିଏ ଦିନରେ ପ୍ରଧାନମନ୍ତ୍ରୀ ବାଛିଦେବେ ବୋଲି ପାଇଲଟ କହିଛନ୍ତି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.