ଭୁବନେଶ୍ଵର: ନିର୍ବାଚନ ପରଠାରୁ ରାଜ୍ୟ କଂଗ୍ରେସ ମୁଖ୍ୟ ପଦ ଖାଲି ପଡ଼ିଛି। କଂଗ୍ରେସ ଭବନ ବି ଖାଁ ଖାଁ। ହେଲେ ହଠାତ ଆଜି କଂଗ୍ରେସ ଭବନ ଚଳଚଞ୍ଚଳ ହୋଇଥିଲା। କାରଣ ଥିଲା ନୂଆ ରାଜ୍ୟ ସଭାପତି ବାଛିବା ପାଇଁ କଂଗ୍ରେସ ଭବନରେ ପହଞ୍ଚିଥିଲେ ଦୁଇ ପର୍ଯ୍ୟବେକ୍ଷକ। ଆଉ ପର୍ଯ୍ୟବେକ୍ଷକ ଚରଣ ଦାସ ମହାନ୍ତ ଏବଂ ମିନାକ୍ଷୀ ନଟରାଜନ ରାଜ୍ୟ କଂଗ୍ରେସ ଭବନରେ ଦଳୀୟ ନେତାଙ୍କ ସହିତ ୱାନ ଟୁ ୱାନ କଥା ହୋଇଛନ୍ତି। ଏହି ରିପୋର୍ଟ ହାଇକମାଣ୍ଡଙ୍କ ପାଖରେ ଉପସ୍ଥାପନ କରାଯିବ।
ରାଜ୍ୟ କଂଗ୍ରେସର ନୂଆ ନେତା ବାଛିବା ପାଇଁ ଛତିଶଗଡ଼ର ବିରୋଧି ଦଳ ନେତା ତଥା ବରିଷ୍ଠ କଂଗ୍ରେସ ନେତା ଚରଣଦାସ ମହନ୍ତ ଏବଂ ବରିଷ୍ଠ ନେତ୍ରୀ ମିନାକ୍ଷୀ ନଟରାଜନ ଭୁବନେଶ୍ବରରେ ପହଞ୍ଚି ମାନସ ମନ୍ଥନ କରିଛନ୍ତି । ଏତିକି ବେଳେ କଂଗ୍ରେସ ଭବନରେ ନିଜ ନିଜର ପତିଆରା ପ୍ରଦର୍ଶନ କରିଥିଲେ କିଛି ନେତା। କଂଗ୍ରେସ ବିଧାୟକ ତାରା ବାହିନୀପତି ୫ଜଣ ବିଧାୟକଙ୍କୁ ସାଙ୍ଗରେ ଧରି କଂଗ୍ରେସ ଭବନରେ ପହଁଚିଥିଲେ। ସେହିଭଳି ସାନଖେମୁଣ୍ଡି ବିଧାୟକ ରମେଶ ଜେନା ମଧ୍ୟ ନିଜର ପତିଆରା ଦେଖାଇଥିଲେ। ବିଶାଳ ରାଲି କରି ସେ କଂଗ୍ରେସ ଭବନରେ ପହଁଚିଥିଲେ। ମହମ୍ମଦ ମୋକିମ ମଧ୍ୟ ନିଜ ସମର୍ଥକଙ୍କୁ ଧରି କଂଗ୍ରେସ ଭବନରେ ପହଞ୍ଚିଥିଲେ । ନକହିଲେ ବି ରାଜ୍ୟ କଂଗ୍ରେସର ପରବର୍ତ୍ତୀ ସଭାପତି ହେବା ପାଇଁ ଯେମିତି ନେତାଙ୍କ ମଧ୍ୟରେ ଚାଲିଥିଲା ଲବି।
Also read: ‘ଦାନା’ ଉଜାଡି ଦେଲା ୬୦୦ କୋଟି, ଭାଙ୍ଗିଦେଲା ୧୬ ହଜାରରୁ ଅଧିକ ଘର
ହେଲେ ଭୁବନେଶ୍ବର ଆସିଥିବା ପର୍ଯ୍ୟବେକ୍ଷକ ଯେମିତି କୌଣସି ଚାପରେ ଆସିବେ ନାହିଁ ସେନେଇ ପ୍ରଥମରୁ ସିଗନାଲଲ ଦେଇଥିଲେ। ଚରଣ ଦାସ ମହନ୍ତଙ୍କୁ ବିମାନବନ୍ଦରରେ ସ୍ବାଗତ କରିବାକୁ ଯାଇଥିବା ଏକ ବର୍ଣ୍ଣାଢ୍ୟ ଗାଡ଼ିକୁ ସେ ଏଡ଼ାଇ ଯାଇଥିଲେ। ବରଂ ବିଧାୟକଦଳ ନେତା ରାମଚନ୍ଦ୍ର କାଡାମଙ୍କ ଗାଡ଼ିରେ କଂଗ୍ରେସ ଭବନରେ ସେ ପହଞ୍ଚିଥିଲେ। ରାଜ୍ୟ କଂଗ୍ରେସ ଭବନରେ ବିଭିନ୍ନ ନେତାଙ୍କ ମତାମତ ନେଇଥିଲେ ଦୁଇ ପର୍ଯ୍ୟବେକ୍ଷକ । ଷ୍ଟିଅରିଂ କମିଟି ସଦସ୍ୟ .ଏବଂ ବିଧାୟକମାନଙ୍କ ସହ ୱାନ ଟୁ ୱାନ ଆଲୋଚନା କରିଥିଲେ। ଏହା ପରେ ବିଭିନ୍ନ ଛାମୁଆ ସଂଗଠନ ସହ ଆଲୋଚନା କରି ମତାମତ ସଂଗ୍ରହ କରିଥିଲେ । ବୈଠକରେ ସର୍ବସମ୍ମତି କ୍ରମେ ରିଜୋଲ୍ୟୁସନ ପାସ ହୋଇଥିଲା । ଏହି ରିଜୋଲ୍ୟୁସନ ଥିଲା ଯାହାକୁ ହାଇକମାଣ୍ଡ ବାଛିବେ ଆମେ ତାଙ୍କୁ ଗ୍ରହଣ କରିବୁ । ଏଥିସହିତ ଚରଣ ଦାସ ମହନ୍ତ ସ୍ପଷ୍ଟ କରିଦେଇଥିଲେ ଯେ ତାଙ୍କ ପାଖରେ କୌଣସି ଲବି କାମ କରିପାରିବନି।
ସୂଚନା ଅନୁସାରେ ହାଇକମାଣ୍ଡ ଏତେ ଶୀଘ୍ର ତାଙ୍କର ମତାମତ ଦେଉନାହାନ୍ତି। ମହାରାଷ୍ଟ୍ର ଏବଂ ଝାଡ଼ଖଣ୍ଡ ନିର୍ବାଚନ ପରେ ଅର୍ଥାତ ନଭେମ୍ବର ୨୩ ପରେ ହାଇକମାଣ୍ଡଙ୍କ ପାଖରେ ଓଡ଼ିଶା ରିପୋର୍ଟ ଦାଖଲ ହେବ ତାପରେ ଯାହା ନିଷ୍ପତ୍ତି ନିଆଯିବ।