ଭୁବନେଶ୍ଵର: ୨୦୨୪ରେ ରାଜ୍ୟ ରାଜନୀତି ହୋଇଛି ପଟ୍ଟ ପରିବର୍ତ୍ତନ । ବିଜେଡିକୁ ସରକାରରୁ ହଟାଇ ବିରୋଧୀ ଦଳରେ ବସାଇଛନ୍ତି ଜନତା ଜନାର୍ଦ୍ଦନ । ଦୀର୍ଘ ୨୫ ବର୍ଷ ଧରି ମୁଖ୍ୟମନ୍ତ୍ରୀ ରହିଥିବା ନବୀନ ପଟ୍ଟନାୟକ ଏଥର ବିରୋଧୀ ଦଳ ନେତା ହେଉଛନ୍ତି କି ନାହି ତା ଉପରେ ରହିଛି ସମସ୍ତଙ୍କ ନଜର । ତେବେ ଏ ବାବଦରେ ବିଜେଡି ଏପର୍ଯ୍ୟନ୍ତ କିଛି ସିଦ୍ଧାନ୍ତ ନେଇନାହିଁ । କିନ୍ତୁ ନବୀନ ବିରୋଧୀ ଦଳ ନେତା ହୁଅନ୍ତୁ ବୋଲି ଦାବି କରିଛନ୍ତି ବିଜେଡି ବିଧାୟକମାନେ ।
ବିଜେଡିରୁ କିଏ ହେବେ ବିରୋଧୀ ଦଳ ନେତା ? ଏହାକୁ ନେଇ ରାଜନୈତିକ ମହଲରେ ବଢ଼ୁଛି ଚର୍ଚ୍ଚା । ବିଜେଡି ସରକାରରୁ ଯିବା ପରଠାରୁ ଏଭଳି ଆଲୋଚନା ଲାଗି ରହିଛି । ସରକାରରେ ଥିବା ସମୟରେ ଯିଏ ମୁଖ୍ୟମନ୍ତ୍ରୀ ରହିଥାନ୍ତି ପରବର୍ତ୍ତୀ ସମୟରେ ଦଳ ଯଦି ସଂଖ୍ୟା ଗରିଷ୍ଠତା ହରାଇଲା ସେ ବିରୋଧୀ ଦଳ ନେତା ଭୂମିକା ନିର୍ବାହ କରନ୍ତି । ଏପରିକି ବିଜୁ ପଟ୍ଟନାୟକଙ୍କ ଠାରୁ ଆରମ୍ଭ କରି ଜାନକୀ ବଲ୍ଲଭ ପଟ୍ଟନାୟକ ପର୍ଯ୍ୟନ୍ତ ସମସ୍ତେ ବିରୋଧୀ ଦଳ ନେତା ହୋଇଛନ୍ତି ।
Also read: ନୂଆ ସରକାରରେ ମନ୍ତ୍ରୀମାନଙ୍କୁ ବିଭାଗ ବଣ୍ଟନ, ସୂର୍ଯ୍ୟବଂଶୀ ସୂରଜଙ୍କୁ ଉଚ୍ଚ ଶିକ୍ଷା ବିଭାଗ
ଏବେ ବିଜେଡି ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିରୋଧୀ ଦଳ ନେତା ହେବେ କି ନାହିଁ, ସେ ନେଇ ଦଳ କୌଣସି ସିଦ୍ଧାନ୍ତ ନେଇ ନାହିଁ । କିନ୍ତୁ ବିଜେଡି ବିଧାୟକଙ୍କ ଦାବି ନବୀନ ପଟ୍ଟନାୟକ ହିଁ ବିରୋଧୀ ଦଳ ନେତା ହୁଅନ୍ତୁ । କାରଣ ନବୀନ ପଟ୍ଟନାୟକ ଲମ୍ବା ସମୟ ଧରି ମୁଖ୍ୟମନ୍ତ୍ରୀ ରହିଥିଲେ । ତାଙ୍କର ଅନୁଭୂତି ଓ ଅଭିଜ୍ଞତାକୁ ଦେଖିଲେ ସେ ହିଁ ବିରୋଧୀ ଦଳ ନେତା ହେବ ଆବଶ୍ୟକ । ନବୀନ ବିରୋଧୀ ଦଳ ନେତା ହେଲେ ଦେଶ ଓ ଜାତିର ସ୍ବାର୍ଥ ପାଇଁ ସ୍ବର ତେଜ୍ ହେବ ।
୨୦୧୯ରେ ସାଧାରଣ ନିର୍ବାଚନରେ ବିଜେଡି ୧୧୩ ଆସନ ଜିତି ସରକାର କରିଥିଲା । ଲାଗାତର ୫ ଥର ମୁଖମନ୍ତ୍ରୀ ହୋଇଥିଲେ ନବୀନ ପଟ୍ଟନାୟକ । କିନ୍ତୁ ଚଳିତବର୍ଷ ରାଜନୀତି ପଟ୍ଟ ପରିବର୍ତନ କରିଛି । ଏଥର ବିଜେଡି ୫୧ ଆସନ ପାଇଛି । ଜନତା ବିଜେଡିକୁ ବିରୋଧୀ ଦଳରେ ବସାଇଛନ୍ତି । ଏଥର ଦୃଢ଼ ବିରୋଧୀ ଦଳ ଭୂମିକା ନିର୍ବାହ କରିବ ବିଜେଡି । ଏମିତିରେ ସମ୍ବିଧାନ ବ୍ୟବସ୍ଥା ଅନୁଯାୟୀ ବିରୋଧୀ ଦଳରେ ବସି ଗଠନ ମୂଳକ ପ୍ରସଙ୍ଗ ଉଠାଇବା ସହ ପ୍ରଶ୍ନ କରିବୁ ବୋଲି କହିଛନ୍ତି ବିଜେଡି ବିଧାୟକ ।
ଦୀର୍ଘ ଦିନ ପରେ ରାଜ୍ୟବାସୀ ଏକ ଦୃଢ଼ ବିରୋଧୀ ପାଇଛନ୍ତି । କାରଣ ବିଜେଡିର ୫୧ ବିଧାୟକ ଥିବା ବେଳେ କଂଗ୍ରେସର ୧୪ ଜଣ ସଦସ୍ୟ ରହିଛି । ବିରୋଧୀ ଦଳ ଦୃଢ଼ ହେଲେ ସୁସ୍ଥ ଗଣତନ୍ତ୍ର ପାଇଁ ଏହା ସହା୍ୟକ ହେବ ବୋଲି କୁହାଯାଉଛି ।