କିଏ ହେବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ? ଜେପି ନଡ୍ଡା ମନ୍ତ୍ରୀ ହେବା ପରେ ଚାଲିଛି ନେତା ଖୋଜା

Published By : Prameya-News7 Bureau | June 11, 2024 IST

ନୂଆଦିଲ୍ଲୀ,୧୧।୬: କିଏ ହେବେ ଭାରତୀୟ ଜନତା ପାର୍ଟିର ପରବର୍ତ୍ତୀ ରାଷ୍ଟ୍ରୀୟ ଅଧ୍ୟକ୍ଷ । ଜେ.ପି ନଡ୍ଡା କେନ୍ଦ୍ର କ୍ୟାବିନେଟରେ  ସାମିଲ ହେବା ପରେ ସେ ଦଳର ଅଧ୍ୟକ୍ଷ ପଦ ଛାଡିବାର ସମ୍ଭାବନା ରହିଛି । ତେଣୁ ତାଙ୍କ  ସ୍ଥାନରେ କାହାକୁ ଦଳର ଅଧ୍ୟକ୍ଷ ବାଛିବ ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଗଲାଣି । ଜେ.ପି ନଡ୍ଡା ୨୦୧୪ରୁ ୨୦୧୯ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ଭାବେ ନରେନ୍ଦ୍ର   ମୋଦିଙ୍କ ପ୍ରଥମ ପାଳି କ୍ୟାବିନେଟରେ ସ୍ଥାନ ପାଇଥିଲେ । ତେବେ ଅମିତ ଶାହ ଦଳର ଅଧ୍ୟକ୍ଷ  ପଦ ଛାଡିବା ପରେ ୨୦୨୦ ଜାନୁଆରୀରେ ନଡ୍ଡା ଏହି ପଦ ସମ୍ଭାଳିଥିଲେ । ଦଳର  ନୀତି ଅନୁସାରେ ଜଣେ ବ୍ୟକ୍ତି ଗୋଟିଏ ପଦ ଆଧାରରେ ନଡ୍ଡାଙ୍କୁ ବର୍ତ୍ତମାନ ଅଧ୍ୟକ୍ଷ ପଦ ଛାଡିବାକୁ ପଡିବ । ତେଣୁ ତାଙ୍କ ସ୍ଥାନରେ ନୂଆ  ଅଧ୍ୟକ୍ଷ କିଏ ହେବେ ତାକୁ ନେଇ ନେତା ଖୋଜା ଆରମ୍ଭ ହୋଇଯାଇଛି ।  

ପୂର୍ବରୁ ଅମିତ ଶାହ ଏହି ପଦବୀକୁ ଫେରବେ ବୋଲି ଚର୍ଚ୍ଚା ହେଉଥିଲା ବେଳେ ଧର୍ମେନ୍ଦ୍ର ପ୍ରଧାନ ଓ ଶିବରାଜ ସିଂହ ଚୌହାନଙ୍କ  ନାମ ମଧ୍ୟ ଆଲୋଚନାକୁ ଆସିଥିଲା । କିନ୍ତୁ  ବର୍ତ୍ତମାନ ସେମାନେ କେନ୍ଦ୍ରରେ ମନ୍ତ୍ରୀ ହୋଇସାରିଥିବାରୁ ଦଳର ଅନ୍ୟ କୌଣସି  ନେତାଙ୍କୁ ଅଧ୍ୟକ୍ଷ କରାଯିବା ସମ୍ଭାବନା ରହିଛି । ଯେଉଁ କେତେଜଣଙ୍କ ନାମ ଅଧ୍ୟକ୍ଷ ପଦକୁ ନେଇ ବର୍ତ୍ତମାନ ଚର୍ଚ୍ଚାରେ ରହିଛି ସେମାନଙ୍କ ମଧ୍ୟରେ  ଅଛନ୍ତି ଦଳର ସାଧାରଣ ସମ୍ପାଦକ ବିନୋଦ ତାୱଡେ । ସେ ମହାରାଷ୍ଟ୍ରର ପୂର୍ବତନ ମନ୍ତ୍ରୀ ଏବଂ ତାଙ୍କର ସାଙ୍ଗଠନିକ ଦକ୍ଷତା ରହିଛି । ଚଳିତବର୍ଷ ଶେଷ ବେଳକୁ ମହାରାଷ୍ଟ୍ରରେ ବିଧାନସଭା  ନିର୍ବାଚନ ହେବାର ଅଛି । ତେଣୁ ତାଙ୍କୁ ହୁଏତ ଏହି ଦାୟିତ୍ୱ ମିଳିପାରେ । 

ସେହିପରି ତେଲଙ୍ଗାନା ବିଜେପି ଓବିସି ମୋର୍ଚ୍ଚା ମୁଖ୍ୟ କେ. ଲକ୍ଷ୍ମଣଙ୍କ ନାମ ଚର୍ଚ୍ଚାକୁ ଆସିଛି । ଟିଡିପି ଓ ଜେଏସ୍‌ପି ସହାୟତାରେ ଆନ୍ଧ୍ରପ୍ରଦେଶରେ ପ୍ରବେଶ କରିବା ପରେ ବର୍ତ୍ତମାନ ତେଲଙ୍ଗାନା ବିଜେପିର ଫୋକସରେ  ରହିଛି । ପୂର୍ବରୁ ଲକ୍ଷ୍ମଣ ରାଜ୍ୟ ସଭାପତି ଭାବେ ଦାୟିତ୍ୱ ନିର୍ବାହ କରିଛନ୍ତି । ସେ ଉଭୟ ଶାନ୍ତ ଓ   ଆକ୍ରାମକ ସ୍ୱଭାବର ନେତା ଭାବେ ପରିଚିତ । ସେହିଭଳି ଓଡ଼ିଶା, ତେଲଙ୍ଗାନା ଓ ପଶ୍ଚିମବଙ୍ଗ  ପାଇଁ ଦଳୀୟ ପ୍ରଭାରୀ ରହିଥିବା ସୁନୀଲ ବଂଶଲଙ୍କ ନାମ ଅଧ୍ୟକ୍ଷ ପଦକୁ ନେଇ ଚର୍ଚ୍ଚାରେ ରହିଛି । ରାଜସ୍ଥାନର ରାଜ୍ୟସଭା ସଦସ୍ୟ ଓମ୍‌ ମାଥୁର ବି  ଚର୍ଚ୍ଚାରେ ଅଛନ୍ତି । ସେ ପୂର୍ବରୁ ଆରଏସ୍‌ଏସ୍‌ର  ପ୍ରଚାରକ ଥିଲେ ଏବଂ ଗୁଜରାଟ ପ୍ରଭାରୀ ଭାବେ  ମଧ୍ୟ କାର୍ଯ୍ୟ କରିଥିଲେ । ପୂର୍ବତନ କେନ୍ଦ୍ରମନ୍ତ୍ରୀ  ସ୍ମୃତି ଇରାନୀଙ୍କ ନାମ ମଧ୍ୟ ଅଧ୍ୟକ୍ଷ ପଦକୁ ନେଇ  ବେଶ୍‌ ଚର୍ଚ୍ଚା ହେଉଛି । ଲୋକସଭା ନିର୍ବାଚନ ଲଢ଼ି ଆମେଥିରୁ ସେ ପରାଜିତ ହୋଇଛନ୍ତି । ତେଣୁ  ତାଙ୍କୁ ଦଳର ପ୍ରଥମ ମହିଳା ଅଧ୍ୟକ୍ଷ କରାଯିବାର ସମ୍ଭାବନା ରହିଛି । ଅନ୍ୟପଟେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଅନୁରାଗ ସିଂହ ଠାକୁରଙ୍କ ନାମ ମଧ୍ୟ ଦଳର ଅଧ୍ୟକ୍ଷ ପଦକୁ  ନେଇ ବର୍ତ୍ତମାନ ଚର୍ଚ୍ଚାରେ ରହିଛି । ତେବେ କିଏ ହେବ ଭାରତୀୟ ଜନତା ପାର୍ଟିର ଆଗାମୀ ଅଧ୍ୟକ୍ଷ ତାକୁ ନେଇ ଦଳରେ ନେତା ଖୋଜା ଆରମ୍ଭ ହୋଇଦଲାଣି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.