ମୁଖ୍ୟ ଶାସନ ସଚିବ ରେସରେ ୩ ଓଡିଆ, ବଦଳି ନ ପାରନ୍ତି ଡିଜିପି , ୬ ବର୍ଷ ପରେ ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ସଚିବ ହେବେ ନିଯୁକ୍ତ

Published By : Prameya-News7 Bureau | June 19, 2024 IST

ଭୁବନେଶ୍ବର: ପ୍ରଦୀପ ଜେନାଙ୍କ ପରେ କିଏ ହେବେ ରାଜ୍ୟର ମୁଖ୍ୟଶାସନ ସଚିବ।ନୂଆ ସରକାର ଆସିବା ପରେ ରାଜ୍ୟର ମୁଖ୍ୟ  ମୁଖ୍ୟଶାସନ ସଚିବ ପଦବୀକୁ ନେଇ ଉତ୍କଣ୍ଠା ଢେର ବଢିଛି । କାରଣ ସରକାର ପରିବର୍ତ୍ତନ ସହ ପ୍ରାଶାସନୀକ ଅଦଳ ବଦଳ ଏକ ସାଧାରଣ ତଥା ନିଶ୍ଚିତ ପ୍ରକ୍ରିୟା । ତେବେ ବର୍ତ୍ତମାନର ମୁଖ୍ୟ ଶାସନ ସଚିବ  ପ୍ରଦୀପ ଜେନାଙ୍କ କାର୍ଯ୍ୟକାଳ ଏଇ ମାସ ୩୦ ତାରିଖରେ ଶେଷ ହେଉଛି। ତେଣୁ ତାଙ୍କ ପରବର୍ତ୍ତୀ ଅଧିକାରୀ କିଏ ?   ତାଙ୍କ କାର୍ଯ୍ୟକାଳ ବଢିବ କି ? ଓଡି଼ଆ ନା ଅଣ ଓଡ଼ିଆ ଅଫିସର ଏଥର ମୁଖ୍ୟ ଶାସନ ସଚିବ ? ପାୱାର କରିଡରରେ ଏହି ପ୍ରଶ୍ନ ସବୁର ଚର୍ଚ୍ଚା।  

ତେବେ ମୁଖ୍ୟ ଶାସନ ସଚ୍ଚିବ ଦୌଡରେ ୩ ଜଣ ଓଡିଆ ଆଇଏଏସ ଅଫିସର ଥିବା ଏକ ବିଶ୍ବସ୍ତ ସୂତ୍ରରୁ ଜଣାପଡିଛି।  ଏପଟେ ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ସଚିବ ପଦବୀ ଏକ କ୍ୟାଡର ପୋଷ୍ଟ ହୋଇଥିଲେ ମଧ୍ୟ ତାହା ୨୦୧୮ରୁ ଖାଲି ପଡିଛି।  ତେଣୁ ୬ ବର୍ଷ ପରେ ଏହି ପଦବୀ ପୂରଣ ହେବାକୁ ଯାଉଛି। ଏପଟେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ତାଙ୍କ ଟିମ୍ ଗଠନ କରିବା ପ୍ରକ୍ରିୟା ଆରମ୍ଭ କରିଛନ୍ତି। ତେଣୁ କିଏ ହେବେ ବଡ ଅଫିସର ଓ ପାୱାରଫୁଲ୍ ପଦବୀର ଅଧିକାରୀ ?  

Also read: ମୋଦିଙ୍କ କ୍ୟାବିନେଟ ମନ୍ତ୍ରୀ ଲେଖି ପାରିଲେନି ‘ବେଟି ବଚାଓ ବେଟି ପଢାଓ’, ଯାହା ଲେଖିଲେ ତାହା ପାଲଟିଛି ଚର୍ଚ୍ଚାର ବିଷୟ

ବେଶି ଚର୍ଚ୍ଚାରେ ମୁଖ୍ୟ ଶାସନ ସଚିବ ସିଂହାସନ। ପ୍ରଦୀପ ଜେନାଙ୍କ କାର୍ଯ୍ୟକାଳ ଜୁନ ୩୦ ତାରିଖରେ ଶେଷ ହେବ । ତା ପୂର୍ବରୁ  ମୁଖ୍ୟଶାସନ ସଚିବ ପଦବୀରେ ଜଣେ ଓଡିଆ ଅଫିସରଙ୍କୁ ବସାଇବା ପାଇଁ ଆରମ୍ଭ ହୋଇଗଲାଣି କସରତ। ମୁଖ୍ୟଶାସନ ସଚିବ ଦୌଡରେ ଆଗରେ ଅଛନ୍ତି ଏସଆରସି ସତ୍ୟବ୍ରତ ସାହୁ। ସତ୍ୟବ୍ରତ ସାହୁ ହେଉଛନ୍ତି ୧୯୯୧ର ମସିହାର ଆଇଏଏସ ଅଫିସର। ତାଙ୍କ ପଛକୁ ଅଛନ୍ତି ୧୯୯୩ ବ୍ୟାଚ୍ ଆଇଏଏସ୍ ତଥା ରାଜ୍ୟ ମୁଖ୍ୟନିର୍ବାଚନ ଅଧିକାରୀ  ନିକୁଞ୍ଜ ଧଳ ।  ତୃତୀୟରେ ଅଛନ୍ତି କେନ୍ଦ୍ରୀୟ ଡେପୁଟେସନରେ ଥିବା ଆଇଏଏସ ଅଫିସର ସନ୍ତୋଷ ଷଢ଼ଙ୍ଗୀ।  ସନ୍ତୋଷ ଷଢ଼ଙ୍ଗୀ ହେଉଛନ୍ତି ୧୯୯୪ବ୍ୟାଚର ଆଇଏସ ଅଫିସର। 

ବରିଷ୍ଠତା ଭିତିରେ ଦେଖିବାକୁ ଗଲେ ଆହୁରି ଅନେକ ଅଫିସର ମୁଖ୍ୟଶାସନ ସଚିବ ପଦବୀ ଦୌଡରେ ଅଛନ୍ତି। ୧୯୯୦ ବ୍ୟାଚର ୫ ଆଇଏଏସ ଥିଲେ ମଧ୍ୟ ସମସ୍ତେ ଦିଲ୍ଲୀ ଡେପୁଟେସନରେ ଅଛନ୍ତି। ୧୯୯୧ ବ୍ୟାଚର ଆଉ ୪ ଜଣ ଆଇଏଏସ ଅଫିସର ମଧ୍ୟ ଅଛନ୍ତି।

ଏପଟେ ୨୦୧୮ ମସିହାରୁ ମୁଖ୍ୟମନ୍ତ୍ରୀଙ୍କ ପ୍ରମୂଖ ସଚିବ ପଦବୀ ଖାଲି ପଡିଛି। ଏହା ଏକ କ୍ୟାଡର ପୋଷ୍ଟ ହୋଇଥିଲେ ବି ରାଜେଶ ବର୍ମାଙ୍କ ପରେ ଆଉ କାହାକୁ ମୁଖ୍ୟମନ୍ତ୍ରୀଙ୍କ ପ୍ରମୂଖ ସଚିବ ଭାବେ ନିଯୁକ୍ତି ଦିଆଯାଇ ନାହିଁ। । ଅନ୍ୟପକ୍ଷରେ ୧୯୮୮ ବ୍ୟାଚ୍  ଅବସରପ୍ରାପ୍ତ ଆଇଏଏସ୍ ଅଫିସର ପ୍ରଦୀପ୍ତ ମହାପାତ୍ରଙ୍କୁ ଗୁରୁତ୍ବପୂର୍ଣ୍ଣ ଦାୟୀତ୍ବ ମିଳିବା ନେଇ ଚର୍ଚ୍ଚା ହେଉଛି। । ପ୍ରଦୀପ୍ତ ମହାପାତ୍ର ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶଦାତା ହୋଇପାରନ୍ତି। ଏପଟେ ମୁଖ୍ୟମନ୍ତ୍ରୀଙ୍କ ଅଫିସରେ ଥିବା ୨୨ ଅଧିକାରୀଙ୍କୁ ଅପସାରଣ କରାଯାଇଛି। ସେମାନଙ୍କ ଭିତରେ ଜଣେ ଡେପୁଟି ସେକ୍ରେଟାରୀ ରା୍ୟାଙ୍କର ଅଧିକାରୀ, ୬ ସେକସନ ଅଫିସର ଓ ୧୫ ଜଣ ଏଏସଓ ଅଛନ୍ତି।   

ମୁଖ୍ୟମନ୍ତ୍ରୀ ମୋହନ ମାଝୀ ତାଙ୍କର ଟିମ୍ ଗଢ଼ିବେ। ବର୍ତ୍ତମାନ ସୁଦ୍ଧା ଦୁଇ ଜଣ ଅଧିକାରୀ ନିଯୁକ୍ତି ହୋଇସାରିଲାଣି। କେନ୍ଦୁଝର ଉପଜିଲ୍ଲାପାଳ ତ୍ରିଲୋଚନ ମହାନ୍ତିଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଯୁଗ୍ମ ସଚିବ ଭାବେ ନିଯୁକ୍ତି ଦିଆଯାଇଥିବା ବେଳେ ବୁଧବାର ଦିନ ସତୀଶ ସାମଲଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ବ୍ୟକ୍ତିଗତ ସଚିବ ଭାବେ ନିଯୁକ୍ତି ଦିଆଯାଇଛି। 

ପ୍ରଶାସନିକ ପଦବୀର ଚର୍ଚ୍ଚା ଭଳି  ପୋଲିସ ମହାନିର୍ଦ୍ଦେଶକ ପଦବୀକୁ ନେଇ ମଧ୍ୟ ଚର୍ଚ୍ଚା । ତେବେ ବର୍ତ୍ତମାନ କାମଚଳା ଡଜିପି ଭାବେ ଅରୁଣ ଷଢ଼ଙ୍ଗୀ  କାର୍ଯ୍ୟ କରୁଛନ୍ତି। ତାଙ୍କୁ ବଦଳାଯିବ ନାହିଁ ବୋଲି ବିଶେଷ ସୂତ୍ରରୁ ଜଣାପଡିଛି। କାମଚଳା ଡିଜିପି ବଦଳରେ ଅରୁଣ ଷଡ଼ଙ୍ଗୀଙ୍କୁ  ସ୍ଥାୟୀ ଡିଜିପି ରୂପେ କାର୍ଯ୍ୟ କରିବାକୁ ବିଧିବଦ୍ଧ ନିଷ୍ପତ୍ତି ନିଆଯାଇପାରେ  ବୋଲି ଚର୍ଚ୍ଚା ହେଉଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.