କୋହଲି, ରୋହିତ, ଯଶସ୍ବୀ କି ଇଶାନ୍‌, କିଏ ହେବ ଟି-୨୦ ଓ୍ବାର୍ଲ୍ଡକପ୍‌ର ଓପନର୍‌ ?

Published By : Prameya-News7 Bureau | April 16, 2024 IST

ନୂଆଦିଲ୍ଲୀ ୧୬।୦୪: ୨୬ ମଇରେ ଖେଳାଯିବ ଆଇପିଏଲ୍‌ ୨୦୨୪ । ଏହାର କିଛି ଦିନ ପରେ ଅର୍ଥାତ୍‌ ୧ଜୁନ୍‌ରୁ ଆରମ୍ଭ ହେବ ଟି-୨୦ ଓ୍ବାର୍ଲ୍ଡକପ୍‌ ମହାସମର । ଚଳିତ ସିଜିନ୍‌ରେ ରହିଛନ୍ତି ଅନେକ ଦାବିଦାର୍ । ଏଥିପାଇଁ ଚୟନକର୍ତ୍ତାଙ୍କୁ କରିବାକୁ ପଡିବ ଖୁବ୍‌ କସରତ୍ । ଟି-୨୦ ଓ୍ବାର୍ଲ୍ଡକପ୍‌ ପାଇଁ ଟପ୍‌ ଅର୍ଡର ଠାରୁ ଆରମ୍ଭ କରି ମିଡିଲ୍‌ ଅର୍ଡର ଯାଏଁ, ଏହାପରେ ଅଲ୍‌ରାଉଣ୍ଡର, ସ୍ପିନର୍‌ ଠାରୁ ପେସର୍‌ ଯାଏଁ…. ସବୁ ଡିପାର୍ଟମେଣ୍ଟରେ ହେବ ଖେଳାଳୀଙ୍କ ସିଲେକ୍ସନ୍‌ । ଏଥିପାଇଁ ଦେଖିବାକୁ ମିଳିବ ବଡ କମ୍ପିଟେସନ୍‌ । 

ଏହି ଦୌଡରେ କଟିପାରେ ଅନେକ ପ୍ରତିଭାଶାଳୀ ପ୍ଲେୟରଙ୍କ ଟିକେଟ୍‌ । ସେହିପରି କିଛି ନୂଆ ଚେହେରାଙ୍କୁ ମିଳିପାରେ ଚାନ୍ସ । ଟି-୨୦ ଓ୍ବାର୍ଲ୍ଡକପ୍‌ ଆରମ୍ଭକୁ ବାକି ରହିଛି ଦେଢମାସ । ଓ୍ବାର୍ଲ୍ଡକପ୍‌ରେ କିଏ ସମ୍ଭାଳିବ ଟପ୍‌ ଅର୍ଡର ବା ଓପନିଙ୍ଗ୍‌ ବ୍ୟାଟର ତାକୁ ନେଇ ଏବେ ଚିନ୍ତା ? ଟି-୨୦ ରେକର୍ଡ ଅନୁଯାୟୀ, ପୁରା ଫର୍ମାଟରେ ଓପନର ଭାବେ ଆଗରେ ରହିଛନ୍ତି ହିଟ୍‌ମ୍ୟାନ୍‌ । ରନ୍‌ ଦୃଷ୍ଟିରୁ ଟିମ୍‌ ଇଣ୍ଡିଆର କ୍ୟାପଟେନ ରୋହିତ ଶର୍ମା ୧ ନମ୍ବରରେ ରହିଛନ୍ତି । ସେହିପରି ଆଭରେଜ୍‌ ଦୃଷ୍ଟିରୁ ବିରାଟ କୋହଲି ସବୁଠାରୁ ଆଗରେ ରହିଛନ୍ତି । 

ତେବେ ସଞ୍ଜୁ ସାମସନ୍‌, ଯଶସ୍ବୀ ଜୟସ୍ବାଲ୍‌ ଏବଂ ସୂର୍ଯ୍ୟକୁମାରଙ୍କ ଓପନିଂ ବ୍ୟାଟର ଭାବେ ଷ୍ଟାଇକ୍‌ ରେଟ୍‌ ବେଶ୍‌ ଭଲ ରହିଛି । ଟିମ୍‌ ଇଣ୍ଡିଆ ନିଜର ଶେଷ ଟି-୨୦ ମ୍ୟାଚ୍‌ ୧୭ ଜାନୁଆରୀରେ ଆଫଗାନିସ୍ତାନ ବିପକ୍ଷରେ ଖେଳିଥିଲା । ଯେଉଁଥିରେ ଓପନିଂ କରିଥିଲେ ରୋହିତ ଶର୍ମା ଏବଂ ଯଶସ୍ବୀ ଜୟସ୍ବାଲ୍‌ । ଏହାକୁ ନଜରକୁ ନେଲେ ଜୟସଓ୍ବାଲ୍‌ଙ୍କ ପଲ୍ଲା ଭାରୀ ରହିଛି । ରୋହିତ ଏବଂ ଜୟସଓ୍ବାଲ୍‌ଙ୍କ ବ୍ୟତୀତ ଶୁଭମାନ୍‌ ଗିଲ୍‌, ଋତୁରାଜ୍‌ ଗାଏକ୍ବାଡ୍‌ ବି ଦାବିଦାର୍‌ ଅଛନ୍ତି ।

 ଇଶାନ କିଶନ ବି ଏହି ପାରାମିଟରରେ ଫିଟ୍‌ ବସୁଛନ୍ତି । ଯିଏକି ଓ୍ବିକେଟକିପର ହେବା ସହ ଓପନିଂ ବ୍ୟାଟର ଅଟନ୍ତି । କିନ୍ତୁ ଇଶାନ କିଶନଙ୍କୁ ନିକଟରେ BCCI ନିଜ ବର୍ଷିକିଆ ଅନୁବନ୍ଧିତ ଲିଷ୍ଟରୁ ବାଦ ଦେଇଥିଲା । ଯେଉଁ କାରଣକୁ ତାଙ୍କୁ ଚାନ୍ସ ମିଳିବା କଷ୍ଟସାଧ୍ୟ । ଯଦି ସେ ଆଇପିଏଲରେ ଅସାଧାରଣ ପ୍ରଦର୍ଶନ କରନ୍ତି ତେବେ ସେ ମଧ୍ୟ ଜଣେ ଦାବିଦାର ହେବେ । 


ଅନ୍ୟପଟେ ବିରାଟ କୋହଲି ଆଇପିଏଲ୍ ୨୦୨୪ର ପ୍ରାରମ୍ଭିକ ମ୍ୟାଚ୍‌ରେ ଯେପରି ଓପନିଂ କରିଛନ୍ତି, ଏହାକୁ ନଜରରେ ରଖି କିଛି ଦିଗ୍ଗଜ କୋହଲିଙ୍କୁ ଓପନିଂ ସ୍ଲଟ୍‌ ପାଇଁ ଦାବିଦାର କହୁଛନ୍ତି । ତେବେ ଟି-୨୦ ଫର୍ମାଟରେ ସବୁଠାରୁ ସଫଳ ବ୍ୟାଟର ହେଉଛନ୍ତି ରୋହିତ ଶର୍ମା । 

ହିଟ୍‌ମ୍ୟାନ୍‌ ଟି-୨୦ ଫର୍ମାଟରେ ଭାରତ ପାଇଁ ଓପନିଂ କରି ସବୁଠାରୁ ଅଧିକ ରନ୍‌ କରିଛନ୍ତି । ଚୌକା-ଛକ୍କା ମାରିବାରେ ଅନ୍ୟ ଓପନର୍‌ଙ୍କ ତୁଳନାରେ ସବୁଠାରୁ ଆଗରେ ରୋହିତ । ଟି-୨୦ରେ ଅଧିକ ରନ୍‌ କରିବା ଲିଷ୍ଟର ଦ୍ବିତୀୟରେ ରହିଛନ୍ତି କେଏଲ୍‌ ରାହୁଲ୍‌ । ତେବେ ଲିଷ୍ଟର ତୃତୀୟରେ ରହିଛନ୍ତି ମ୍ୟାଚ୍‌ ଓପନର୍‌ ଶିଖର ଧଓ୍ବନ୍‌ । 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.