ପିଲାଙ୍କୁ ଅଣ୍ଡା ବାଣ୍ଟିବା ଦାୟିତ୍ବ ମିଳିବ କାହାକୁ...?

Published By : Prameya-News7 Bureau | May 30, 2020 IST

ବ୍ରହ୍ମପୁର୩୦/୫: ଗଞ୍ଜାମରେ ଅଣ୍ଡା ବାଣ୍ଟିବା ଦାୟିତ୍ବ ମିଳିବ କାହାକୁ। ତିନି ସ୍ବୟଂ ସହାୟକ ଗୋଷ୍ଠୀକୁ ଅଣ୍ଡା ବଣ୍ଟନ ଦାୟିତ୍ବ ଦେବାକୁ ଜିଲ୍ଲା ପ୍ରଶାସନ ପ୍ରସ୍ତୁତି ଚଳାଇଥିବା ଅଭିଯୋଗ ସାମ୍ନାକୁ ଆସିଛି। ଅଲ୍ ଓଡିଶା ଅଙ୍ଗନାୱାଡି ଲେଡିଜ୍ ୱାର୍କସ୍ ଆସୋସିଏସନ୍ ପକ୍ଷରୁ ବିରୋଧ କରାଯାଇଛି। ଜିଲ୍ଲାରେ ଏହାକୁ ପ୍ରଚଳନ କରିଲେ ବିରୋଧ କରିବାକୁ ସଂଘର ଚେତାବନୀ ଦେଇଛନ୍ତି। ସେପଟେ ଆଲୋଚନା ମାଧ୍ୟମରେ ସମସ୍ୟାର ସମାଧାନ କରାଯିବ ବୋଲି କହିଛନ୍ତି ଜିଲ୍ଲାପାଳ।

ଅଣ୍ଡା ବଣ୍ଟନକୁ ନେଇ ଏବେ ଗଞ୍ଜାମ ଜିଲ୍ଲାରେ ଚାଲିଛି ତୁତୁ ମେଁମେଁ। କିଏ ବାଣ୍ଟିବ ଅଣ୍ଟା! ଏହାକୁ ନେଇ ଏବେ ଅଙ୍ଗନାୱାଡି ଲେଡିଜ୍ ୱାର୍କସ୍ ଆସୋସିଏସନ୍ ପକ୍ଷରୁ ତୀବ୍ର ଅସନ୍ତୋଷ ଜାହିର କରିଛନ୍ତି। କଣ ପାଇଁ କାହିଁକି ଅସନ୍ତୋଷ ଜାହିର୍ କରିଛନ୍ତି! ଗର୍ଭବତୀ ମହିଳା ହୁଅନ୍ତୁ କିମ୍ବା ଛୋଟ ଶିଶୁ ହୁଅନ୍ତୁ। ଏମାନଙ୍କୁ ଅଣ୍ଡା ଓ ଛତୁଆ ଯୋଗାଣ କରିବା ଦାୟିତ୍ବ ଅଙ୍ଗନା ୱାଡି କର୍ମୀଙ୍କୁ ନ୍ୟସ୍ତ କରାଯାଇଛି। ଏମାନେ ହିଁ ଘର ଘର ବୁଲି ବୁଲି ଅଣ୍ଡା ଓ ଛତୁଆ ଯୋଗାଇଥାନ୍ତି। ଏଣିକି ଆଉ ଅଣ୍ଡା କି ଅନ୍ୟ ଖାଦ୍ୟ ପଦାର୍ଥ ବାଣ୍ଟିବୁ ନାହିଁ ବୋଲି କହିଛନ୍ତି। ପୂର୍ବରୁ ଅଙ୍ଗନାୱାଡି କର୍ମୀମାନେ ନିଜେ ଅଣ୍ଡା କିଣି ବଣ୍ଟନ କରୁଥିଲେ।

ପରବର୍ତ୍ତୀ ସମୟରେ ବିଲ୍ ପ୍ରଦାନ କରି ଅଣ୍ଡାର ମୂଲ୍ୟ ଗ୍ରହଣ କରୁଥିଲେ। ଅଣ୍ଡା ସହ ରନ୍ଧନ ଖାଦ୍ୟ ବଣ୍ଟନ ପାଇଁ ସରକାରଙ୍କ ପକ୍ଷରୁ ୭.୭୦ ପଇସା ପ୍ରଦାନ କରାଯାଉଛି। ଏବେ କିନ୍ତୁ ଅଣ୍ଡା ବଣ୍ଟନ ଦାୟିତ୍ବ ଜିଲ୍ଲାର ତିନି ସ୍ବୟଂ ସହାୟକ ଗୋଷ୍ଠୀଙ୍କୁ ଦାୟିତ୍ବ ପ୍ରଦାନ ପାଇଁ ଜିଲ୍ଲା ପ୍ରଶସାନ ପ୍ରସ୍ତୁତି ଚଳାଇଥିବା ଅଲ୍ ଓଡିଶା ଅଙ୍ଗନାୱାଡି ଲେଡିଜ୍ ୱାର୍କସ୍ ଆସୋସିଏସନ୍ ଅଭିଯୋଗ କରିଛି। ଗୋଟିଏ ଅଣ୍ଡା ବଣ୍ଟନ କରିବାକୁ ୪.୯୦ ପଇସାରେ ଦେବାକୁ ପ୍ରସ୍ତୁତି ଚାଲିଥିବା ଅଭିଯୋଗ କରିଛନ୍ତି।

ବଳକା ୨.୮୦ ପଇସାରେ ସକାଳ ଜଳଖିଆ, ଲୁଣ, ମସଲା, ଡାଲି,ପରିବା, ଜାଳେଣି ଅଙ୍ଗନାୱାଡି କର୍ମୀ କେମିତି ଯୋଗାଣ କରିବେ ବୋଲି ପ୍ରଶ୍ନ କରିଛନ୍ତି। ଦରଦାମ୍ ମହଙ୍ଗା ବଜାରରେ ଏତେ କମ୍ ପଇସାରେ ରନ୍ଧନ ଖାଦ୍ୟ ବଣ୍ଟନ କରିବା ସମ୍ଭବପର ନୁହେଁ ବୋଲି ସଂଘ କହିଛି। ଯଦି ତିନି ସ୍ବୟଂ ସହାୟକ ଗୋଷ୍ଠୀଙ୍କୁ ଅଣ୍ଡା ବଣ୍ଟନ ଦାୟିତ୍ବ ନ୍ୟସ୍ତ କରାଯିବ ତାହାହେଲେ ରନ୍ଧନ ଖାଦ୍ୟ ବଣ୍ଟନର ଦାୟିତ୍ବ ମଧ୍ୟ ତାଙ୍କୁ ପ୍ରଦାନ କରାଯାଉ ବୋଲି ସଂଘ ଦାବୀ କରିଛି। ମହିଳା ସ୍ବୟଂ ସହାୟକ ଗୋଷ୍ଠୀଙ୍କୁ ଅଣ୍ଡା ଏବଂ ଅଙ୍ଗନାୱାଡି କର୍ମୀଙ୍କୁ ରନ୍ଧନ ଖାଦ୍ୟ ବଣ୍ଟନ ଦାୟିତ୍ବକୁ ଗ୍ରହଣ କରିବୁ ନାହିଁ ବୋଲି ସଂଘ ରୋକ୍‌ଠୋକ୍ ମନା କରିଦେଇଛି। ଗତ ଦୁଇ ମାସର ଅଣ୍ଡା କିଣା ବିଲ୍ ଏ ପର୍ଯ୍ୟନ୍ତ ମିଳିନଥିବା ସଂଘ ଅଭିଯୋଗ କରିଛି। ସମାସ୍ୟାର ସମାଧାନ ନହେଲେ ଜୁନ୍ ମାସ ୧ ତାରିଖରୁ କାର୍ଯ୍ୟବନ୍ଦ ଆନ୍ଦୋଳନ କରିବାକୁ ସଂଘ ଚେତାବନୀ ଦେଇଛି।

ଜିଲ୍ଲା ପ୍ରଶସାନର ଏଭଳି ପ୍ରସ୍ତୁତିକୁ ଜିଲ୍ଲା ବି.ଜେ.ପି ମଧ୍ୟ ଅଙ୍ଗୁଳି ନିର୍ଦ୍ଦେଶ କରିଛି। କାହା ସ୍ବାର୍ଥରେ ଏଭଳି ପାଇଲଟ୍ ପ୍ରସ୍ତୁତି ଚାଲିଛି ବୋଲି ବି.ଜେ.ପି ପ୍ରଶ୍ନ କରିଛି! ସେପଟେ ଖୁବ୍ ଶୀଘ୍ର ଏହାର ସମାଧାନ କରାଯିବ ବୋଲି କହିଛନ୍ତି ଗଞ୍ଜାମ ଜିଲ୍ଲାପାଳ। ଆଲୋଚନା କରାଯାଇ ସମାସ୍ୟାର ସମାଧାନ କରାଯିବ ବୋଲି ସଂକ୍ଷିପ୍ତ ପ୍ରତିକ୍ରିୟା ରଖିଛନ୍ତି ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.